ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କିଏ ହେବେ ରାଜ୍ୟ ବିଜେପିର ସଭାପତି? ଏହି ପ୍ରସଙ୍ଗକୁ ନେଇ ଗତ ଦୁଇ ମାସ ହେଲା ବିଜେପି ଶିବିରରେ ଚର୍ଚ୍ଚା ଚାଲିଛି। ରାଜ୍ୟ ବିଜେପିର ମଙ୍ଗ ଧରିବା ପାଇଁ ଅନେକ ନେତାଙ୍କ ନାଁ ରେସ୍‌ରେ ରହିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ଅପରାଜିତା ରାଜ୍ୟ ବିଜେପିର ମଙ୍ଗ ଧରି ପାରନ୍ତି।

ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲିଛି। ବୁଥ୍‌ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସଙ୍ଗଠନରେ ଅଦଳ ବଦଳ ହେବ। ତାଛଡ଼ା ଡିସେମ୍ବରରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି। ଏଣୁ ବସନ୍ତଙ୍କ ଜାଗାରେ ଅପରାଜିତା ବସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆଠୁ ଆରମ୍ଭ କରି ବିଜେପିର ତୃଣମୂଳ ସ୍ତରର କର୍ମୀଙ୍କ ମୁହଁରେ ଅପରାଜିତାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଅପରାଜିତାଙ୍କ ନାଁକୁ ନେଇ ଚର୍ଚ୍ଚା ହେବାର ଅନେକ କାରଣ ମଧ୍ୟ ରହିଛି। ଭୁବନେଶ୍ୱର ସାଂସଦ ଭାବେ ଅପରାଜିତା ନିର୍ବାଚିତ ହେବା ପରେ ବିଜେପିର କେନ୍ଦ୍ର ନେତାମାନଙ୍କ ଗୁଡ୍‌ବୁକ୍‌ରେ ରହିଛନ୍ତି। ଏହାସହ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅପରାଜିତାଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଛି।

ସବୁଠୁ ବଡ଼ କଥା ହେଉଛି ଅପରାଜିତା ଜଣେ ମହିଳା। ଆଇଏଏସ୍‌ ଚାକିରି ଛାଡ଼ି ଅପରାଜିତା ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରଠୁ ହିଁ ଅପରାଜିତା ଓଡ଼ିଶା ବିଜେପିର ପୋଷ୍ଟର ଗର୍ଲ ବୋଲି ଚର୍ଚ୍ଚା ହୋଇ ଆସୁଛି। ଏପରିକି ଯଦି ବିଜେପି ଓଡ଼ିଶାରେ କ୍ଷମତାକୁ ଆସେ ତାହାଲେ ଅପରାଜିତା ମୁଖ୍ୟମନ୍ତ୍ରୀ ହେବା ନେଇ ନିର୍ବାଚନ ସମୟରେ ଏକ ଚର୍ଚ୍ଚା ଚାଲିଥିଲା। ହେଲେ ବିଜେପି ମାତ୍ର ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଆସନରେ ବସିଥିଲା।

ବିଧାନସଭା ଆସନ ଅପେକ୍ଷା ବିଜେପି ଲୋକସଭା ଆସନ ଉପରେ ଅଧିକ ଫୋକସ୍‌ ଦେଇଥିଲା। ଓଡ଼ିଶାରୁ ୨୧ରୁ ୨୧ ଆସନ ପୋଛିନେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଥିଲା। ହେଲେ ସମସ୍ତଙ୍କ ନଜର ଭୁବନେଶ୍ୱର ଲୋକସଭା ଆସନ ଉପରେ ରହିଥିଲା। ଅପରାଜିତା ଏହି ଆସନରେ ପ୍ରାର୍ଥୀ ହୋଇଥିବାରୁ ସମସ୍ତଙ୍କ ନଜର ଅପରାଜିତାଙ୍କ ଉପରେ ରହିଥିଲା।

ଶେଷରେ ଅପରାଜିତା ବିଜୟୀ ହେଲେ। ମୋଦୀଙ୍କ କ୍ୟାବିନେଟ୍‌ରେ ଅପରାଜିତା ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଲା। କିନ୍ତୁ ପ୍ରତାପ ଷଡ଼ଙ୍ଗୀ ବାଜି ମାରିନେଲ। ଅପରାଜିତା ମନ୍ତ୍ରୀ ହୋଇପାରି ନଥିଲେ। ଅପରାଜିତାଙ୍କୁ ନେଇ ବଡ଼ ମିଶନରେ ବିଜେପି ରହିଥିବା ସେତେବେଳେ ଚର୍ଚ୍ଚା ହେଲା। ଅପରାଜିତା ଜଣେ ଉଚ୍ଚଶିକ୍ଷିତା ହୋଇଥିବାରୁ ତାଙ୍କର ସାଙ୍ଗଠନିକ ଦକ୍ଷତା ମଧ୍ୟ ଭଲ। ଏହାର ପ୍ରମାଣ ସେ ଗତ ନିର୍ବାଚନରେ ଦେଇ ସାରିଛନ୍ତି। ଏଣୁ ଅପରାଜିତା ବିଜେପିର ମଙ୍ଗ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କେବଳ ଅପରାଜିତା ଭୁବନେଶ୍ୱରରେ ସୀମିତ ନାହାନ୍ତି। ନିକଟରେ ଶେଷ ହୋଇଥିବା ବିଜେପୁର ଏବଂ ପାଟକୁରା ଉପନିର୍ବାଚନରେ ବି ଅପରାଜିତା ପ୍ରଚାର କରିଥିଲେ। ଘର ଘର ବୁଲି ଭୋଟ ମାଗିଥିଲେ। ଅପରାଜିତାଙ୍କ ନିଆରା ଷ୍ଟାଇଲ୍ ଭୋଟରଙ୍କୁ ପ୍ରଭାବିତ କରୁଥିବା ଲୋକ କହୁଛନ୍ତି।

୨୦୧୮ ନଭେମ୍ବର ୨୭ରେ ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବାସଭବନରେ ପଦ୍ମ ଧରି ଓଡ଼ିଶା ଫେରିଥିଲେ ଅପରାଜିତା। ଆଇଏଏସ୍‌ ଚାକିରି ଛାଡ଼ି ଅପରାଜିତା ସକ୍ରିୟ ରାଜନୀତିକୁ ଆସିଥିବାରୁ ଓଡ଼ିଶା ବିଜେପିରେ ଉତ୍ସାହ ଭରି ଯାଇଥିଲା। ଅପରାଜିତାଙ୍କୁ ଆଗରେ ରଖି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ବିଜେପି ନେତା।

ଓଡ଼ିଶା ଫେରିବା ପରେ ଅପରାଜିତାଙ୍କୁ ଏଠି ସେଠି ସବୁଠି ଦେଖିବାକୁ ମିଳିଥିଲା। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଗୁରୁତ୍ୱ ବଢ଼ିଥିଲା। ଅପରାଜିତା ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହିଥିଲେ।

ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଅପରାଜିତାଙ୍କ ବଡ଼ ବଡ଼ ହୋର୍ଡିଂ ଲାଗିଲା। ରାମମନ୍ଦିର ଛକରୁ ଚନ୍ଦ୍ରଶେଖରପୁର, ମାଷ୍ଟରକ୍ୟାଣ୍ଟିନରୁ ଖଣ୍ଡଗିରି ସବୁଠି ଅପରାଜିତାଙ୍କ ହୋର୍ଡିଂ ଲୋକଙ୍କ ନଜରରେ ପଡ଼ିଲା। ଗତ ବର୍ଷେ ହେଲା ଅପରାଜିତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି।

ବିଜେପି ରାଜ୍ୟ ସଭାପତି ପଦ ପାଇଁ ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, କନକ ବର୍ଦ୍ଧନ ସିଂହଦେଓ, ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅପରାଜିତା କିନ୍ତୁ ଆଗରେ ଅଛନ୍ତି। ତେବେ ଦେଖାଯାଉ ରାଜ୍ୟ ବିଜେପିର ମଙ୍ଗ ଅପରାଜିତାଙ୍କ ହାତରେ ରହୁଛି ନା ଆଉ କିଏ ବାଜି ମାରି ନେଉଛି?

1 COMMENT

  1. ଅପରାଜିତା ମାଡାମ୍ ,ହବା ଦରକାର୍ ଆଉ ଯିଏ ହେବ ସେ ରବର stamp hoi basiba, pura 100%

Comment