ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୋସିଆଲ ମିଡିଆରେ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ଜୋର୍‌।

‘ଅପରାଜିତା ଧରିବେ କି ରାଜ୍ୟ ବିଜେପିର ମଙ୍ଗ’? ଏ ସମ୍ପର୍କୀତ ଖବର ଗତ ୮ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ କିଛି ଲୋକ କମେଣ୍ଟ ମଧ୍ୟ ଦେଇଥିଲେ। ଅପରାଜିତା ରାଜ୍ୟ ବିଜେପିର ମଙ୍ଗ ଧରିଲେ ସଙ୍ଗଠନ ସୁଦୃଢ଼ ହେବ ବୋଲି କିଛି ଲୋକ ମତ ଦେଇଥିଲେ।

ଏହି ମତାମତ ଭିତରେ ବୈଜୟନ୍ତ ପଣ୍ଡାଙ୍କ ନାଁ ବି କିଛି ଲୋକ କମେଣ୍ଟ କରିଥିଲେ। ଅପରାଜିତା ନୁହଁ, ବୈଜୟନ୍ତ ପଣ୍ଡା ସଭାପତି ହେବେ ବୋଲି କମେଣ୍ଟ ଦେଇଥିଲେ। କାରଣ ତାଙ୍କ ପାଖରେ ‘ମନି ଓ ମିଡିଆ’ ଅଛି। ଏହି ଦୁଇଟି କାରଣ ପାଇଁ ସେ ବିଜେପିର ସଭାପତି ହେବେ ବୋଲି ସୋସିଆଲ ମିଡିଆରେ କମେଣ୍ଟ ଆସିଥିଲା।

କାରଣ ବିଜେପିର କିଛି ଗୋଷ୍ଠୀ ବୈଜୟନ୍ତଙ୍କ ସପକ୍ଷରେ ଥିବା ବେଳେ ଆଉ କିଛି ବୈଜୟନ୍ତ ସଭାପତି ହେବା ଠିକ୍‌ ହେବ ନାହିଁ ବୋଲି ମତ ଦେଉଛନ୍ତି।

ଗ୍ରହଣୀୟ ହେବେନି ବୈଜୟନ୍ତ!

ବୈଜୟନ୍ତ ବିଜେପିର ମୂଳ ନେତା ନୁହନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପି ଆସିଥିଲେ। ବୈଜୟନ୍ତ ବିଜେପିରେ ଯୋଗ ଦେବାର ମାତ୍ର ୭ ମାସ ହୋଇଛି। ବିଜେପିର ସାଙ୍ଗଠନିକ ପାଠ ବୁଝିବାକୁ ତାଙ୍କୁ ଆହୁରି ସମୟ ଲାଗିବ। କାରଣ ବିଜେଡିରେ ଯେଉଁ କାଇଦା କଟକଣା ଥିଲା ତାହା ବିଜେପିରେ ନାହିଁ।

ଏହାଛଡ଼ା ବିଜେପିର ଗୋଟିଏ ଗୋଷ୍ଠୀଙ୍କର କହିବା କଥା ହେଲା ବୈଜୟନ୍ତ ତୃଣମୂଳ ସ୍ତରର ନେତା ନୁହନ୍ତି। ତାଙ୍କୁ କିଛି ଲୋକ ‘ହେଲିକପ୍ଟର’ ନେତା କୁହନ୍ତି। ବିଜେପିର ତୃଣମୂଳ ସ୍ତରର କର୍ମୀଙ୍କ ସହ ବୈଜୟନ୍ତ ଭଲଭାବେ ମିଶିପାରି ନାହାନ୍ତି। ଏଣୁ ବୈଜୟନ୍ତଙ୍କୁ ସଭାପତି କରାଗଲେ ସଙ୍ଗଠନ ସୁଦୃଢ଼ ହେବା ବଦଳରେ କନ୍ଦଳ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏଣୁ ବୈଜୟନ୍ତ ସଭାପତି ଭାବେ ବିଜେପିରେ ଗ୍ରହଣୀୟ ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

ବିଜେଡିର ଛାପ!

ବୈଜୟନ୍ତ ପଣ୍ଡା ସଭାପତି ନହେବା ପଛରେ ଆଉ ଏକ ବଡ଼ କାରଣ ହେଉଛି ବିଜେଡି ଫ୍ୟାକ୍ଟର। କାରଣ ଅତୀତରେ ଦେଖାଦେଇଛି ଯେଉଁମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ସେମାନେ ବିଜେପିର ମଙ୍ଗ ଧରି ନାହାନ୍ତି। ଏହାର ଉଦାହରଣ ହେଉଛନ୍ତି ବିଜୟ ମହାପାତ୍ର। ୨୦୧୪ ନିର୍ବାଚନ ପରେ ବିଜୟ ବିଜେପିର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବିଜୟଙ୍କ ବଦଳରେ ବସନ୍ତ ପଣ୍ଡା ସଭାପତି ହୋଇଥିଲେ।

ସେହିପରି ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପି ଆସିଥିଲେ। ହେଲେ ନିର୍ବାଚନ ପରେ ତାଙ୍କୁ ଦଳ କୌଣସି ଦାୟିତ୍ୱରେ ନରଖିବାରୁ ଅସନ୍ତୋଷ ପ୍ରକାଶ କରି ଦାମ ଦଳ ଛାଡ଼ି ଦେଇଥିଲେ। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଯେଉଁ କିଛି ନେତା ବିଜେପି ଆସିଥିଲେ ସେମାନଙ୍କ ଭିତରେ ଦାମ ଏବଂ ବୈଜୟନ୍ତ ଥିଲେ ଚର୍ଚ୍ଚାରେ। ହେଲେ ଘଟଣାକ୍ରମରେ ଦାମ ଦଳ ଛାଡ଼ିଥିବା ବେଳେ ବୈଜୟନ୍ତ ଏବେ ବିଜେପିରେ ଅଛନ୍ତି।

ପଦ୍ମ ଧରୁ ଧରୁ ଉପ-ସଭାପତି

ନୂଆଦିଲ୍ଲୀରେ ପଦ୍ମ ଧରୁ ଧରୁ ବୈଜୟନ୍ତଙ୍କୁ ବିଜେପି ରାଷ୍ଟ୍ରୀୟ ଉପସଭାପତି କରିଥିଲା। ଏହି ପଦବୀକୁ ନେଇ ଚର୍ଚ୍ଚା ହେଲା ଯେ ବିଜେପିରେ ବୈଜୟନ୍ତଙ୍କ ଗୁରୁତ୍ୱ ବଢ଼ିଲା। ବୈଜୟନ୍ତଙ୍କୁ ବିଜେପି କେନ୍ଦ୍ରାପଡ଼ା ଲୋକସଭା ଆସନରେ ଟିକେଟ ଦେଲା। ନିର୍ବାଚନ ଜିତିଲେ ବୈଜୟନ୍ତ ବିଜେପିରେ ସୁନା ପୁଅ ହୋଇ ରହିବେ ବୋଲି କୁହାଗଲା। କିନ୍ତୁ ବୈଜୟନ୍ତ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ଲକ୍ଷାଧିକ ଭୋଟରେ ପରାଜିତ ହୋଇଥିଲେ। ନିର୍ବାଚନ ପୂର୍ବରୁ ବୈଜୟନ୍ତଙ୍କୁ ନେଇ ବିଜେପିରେ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ କମି ଯାଇଛି। ଯଦିଓ ସଭାପତି ପଦ ପାଇଁ ତାଙ୍କୁ ନେଇ ଆଲୋଚନା ଚାଲିଛି, ହେଲେ ସେ ଏହି ପଦ ପାଇ ନପାରନ୍ତି ବୋଲି କୁହାଯାଉଛି।

ବୈଜୟନ୍ତଙ୍କୁ ନିକଟରେ ରାଜସ୍ଥାନର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦିଲ୍ଲୀ ଦରବାରରେ ବୈଜୟନ୍ତଙ୍କର ଭଲ ଦବ୍‌ଦବା ମଧ୍ୟ ରହିଛି। ଏଣୁ ଏସବୁକୁ ନେଇ ବୈଜୟନ୍ତ ସଭାପତି ହୋଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ବୈଜୟନ୍ତ ତୃଣମୂଳ ସ୍ତରର କର୍ମୀଙ୍କ ସହ ସହଜରେ ଯୋଡ଼ି ହୋଇପାରୁ ନଥିବାରୁ ଏହି ପଦ ତାଙ୍କ ପାଖରୁ ଦୂରେଇ ଯାଇପାରେ।

ରାଜନୀତି କରିଡରରେ ଚର୍ଚ୍ଚା ହୁଏ ଯେ ବୈଜୟନ୍ତ ହେଉଛନ୍ତି ଜଣେ ଉଚ୍ଚାଭିଳାସି ନେତା। ଯେତେବେଳେ ସେ ବିଜେପିରେ ଯୋଗ ଦେଲେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ସେ ବିଜେଡିରୁ ଆସିଥିବାରୁ ଏବଂ ତାଙ୍କ ପାଖରେ ମିଡିଆ ଓ ମନି ଥିବାରୁ ତାଙ୍କୁ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଥିଲା। ହେଲେ ନିର୍ବାଚନ ପରେ ଏସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡୁଥିବା କୁହାଯାଉଛି।

Comment