ଧର୍ମେନ୍ଦ୍ର ପ୍ରଧାନ
୧୮୧୭ ମସିହା, ଓଡ଼ିଶାର ପ୍ରାଣୋଚ୍ଛଳ ଜୀବନ ଯାତ୍ରାରେ ଏକ ଐତିହାସିକ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ। ସେତେବେଳେ ଓଡ଼ିଆ ଜାତିର ଅସ୍ମିତା ଉପରେ ସଂଶୟ ଏବଂ ଅନିଶ୍ଚିତ ଭବିଷ୍ୟତର କଳା ବାଦଲ। ପୁରୀ ଗଜପତି ମହାରାଜା ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରି ବ୍ରିଟିଶ, ଓଡ଼ିଶାର ରାଜତ୍ୱକୁ ନିଜ ଅକ୍ତିଆରରେ ଆଣି ସାରିଥିଲେ। ଏହାସହ ଆରମ୍ଭ ହୋଇଥିଲା ବର୍ବର ବ୍ରିଟିଶ ସେବାର ଅତ୍ୟାଚାର ଏବଂ ଦମନଲୀଳା। ପାରମ୍ପରିକ ଭାବରେ କୃଷି ସହିତ ସୈନିକ କାର୍ଯ୍ୟ କରି ଆସୁଥିବା ପାଇକମାନଙ୍କଠାରୁ ତାଙ୍କର ଜମି ଅଧିକାର ଛଡ଼େଇ ନେବା ସହ ଅଯୌକ୍ତିକ କର ଆଦାୟ ବ୍ରିଟିଶ ସରକାର ଆରମ୍ଭ କରିଥିଲେ।
ମହାରାଜା ମୁକୁନ୍ଦ ଦେବଙ୍କ ସେନାପତି ବକ୍ସି ଜଗବନ୍ଧୁ, ବ୍ରିଟିଶ ସରକାରଙ୍କ ଏହି ଅତ୍ୟାଚାରୀ ଶାସନରୁ ଓଡ଼ିଶାକୁ ମୁକୁଳେଇବା ପାଇଁ ବଜ୍ର ଶପଥ ନେଇଥିଲେ। ବୀର ପାଇକମାନଙ୍କୁ ଏକତ୍ର କରି ବ୍ରିଟିଶ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ ବକ୍ସି ଜଗବନ୍ଧୁ। ଅଦମ୍ୟ ସାହସ ସହ ଯୁଦ୍ଧ ଆରମ୍ଭ କରିଥିଲେ। ବକ୍ସି ଜଗବନ୍ଧୁଙ୍କୁ ବଳିଷ୍ଠ ସମର୍ଥନ ଓ ସହଯୋଗ ଦେଇଥିଲେ ପୁରୀ, ପିପିଲି, କଟକ, ଘୁମୁସର, କନିକା, କୁଜଙ୍ଗ, ନୟାଗଡ଼ର ତତ୍କାଳୀନ ଜନତା ତଥା ଶାସକ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ବିଦ୍ରୋହକୁ ତତ୍କାଳୀନ ସମାଜର ସବୁ ବର୍ଗ ଯଥା ଚାଷୀ, ଆଦିବାସୀ, ଜମିଦାର ଇତ୍ୟାଦିଙ୍କ ଅପାର ସହଯୋଗ ମିଳିଥିଲା। ଏହା ଓଡ଼ିଶାର ପାଇକ ବିଦ୍ରୋହର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ।
ଓଡ଼ିଶାର ପରମ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା ସହ ବିଦ୍ରୋହୀ ପାଇକମାନେ ବଜେଇଥିଲେ ରଣଦୁନ୍ଦୁଭି। ବ୍ରିଟିଶ ସରକାରଙ୍କ ଦଖଲରେ ଥିବା କୋଷାଗାର, ଥାନା, ପ୍ରଶାସନିକ କାର୍ଯ୍ୟାଳୟ ଇତ୍ୟାଦିକୁ ବିଦ୍ରୋହୀ ପାଇକମାନେ ବୀରତ୍ୱ ସହ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ। ବ୍ରିଟିଶ ସେନାର ଅପେକ୍ଷାକୃତ ବଳଶାଳୀ ସେନା ପାଇକମାନଙ୍କ ବିଦ୍ରୋହକୁ ଦମନ କରିବାରେ ଦୀର୍ଘ ଦିନ ଧରି ବିଫଳ ହୋଇଥିଲେ। କଳବଳ କୌଶଳ ଦ୍ୱାରା
ପାଇକ ବିଦ୍ରୋହକୁ ଦମନ କରିଥିଲେ ବ୍ରିଟିଶ ସେନା। ପାଇକ ବିଦ୍ରୋହର ଶୀର୍ଷ ନାୟକ ବକ୍ସି ଜଗବନ୍ଧୁଙ୍କୁ ୧୮୨୫ ମସିହାରେ ବ୍ରିଟିଶ ସରକାର ଗିରଫ କରି ୧୮୨୯ ପର୍ଯ୍ୟନ୍ତ କାରାଗାରରେ ବନ୍ଦୀ କରି ରଖିଥିଲେ। ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅଦମ୍ୟ ସାହସର ଜ୍ୱଳନ୍ତ ଗାଥା। ବୀରତ୍ୱପୂର୍ଣ୍ଣ ଓ ଶୌର୍ଯ୍ୟମୟ ପାଇକ ବିଦ୍ରୋହ ଓଡ଼ିଆ ଜନମାନସରେ ଏକ ଗୌରବମୟ ସ୍ଥାନ ରଖିଛି। ଜାତୀୟ ଇତିହାସର ମୁଖ୍ୟ ଧାରାରେ ବିଭିନ୍ନ କାରଣରୁ ଉପେକ୍ଷିତ ଓ ଅନାଲୋଚିତ ହୋଇ ରହିଆସିଥିବା ପାଇକ ବିଦ୍ରୋହକୁ ଏକ ସମ୍ମାନନୀୟ ସ୍ଥାନ ଦେବା ପାଇଁ ନରେନ୍ଦ୍ର ମୋଦୀ ସରକାର ଏକ ପ୍ରଶଂସନୀୟ ନିଷ୍ପତ୍ତି ନେଇଥିଲେ। ୨୦୧୭ର ବଜେଟ୍ରେ ମୋଦି ସରକାର ପାଇକ ବିଦ୍ରୋହର ପାଳନ ପାଇଁ ଅର୍ଥ ବ୍ୟୟବରାଦ କରିବା ଏକ ବିରାଟ ପଦକ୍ଷେପ ଥିଲା।
ପାଇକ ବିଦ୍ରୋହର ଦ୍ୱିଶତ ବର୍ଷ ପୂର୍ତ୍ତିକୁ ରାଷ୍ଟ୍ରୀୟ ସ୍ତରରେ ପାଳନ ପାଇଁ ମୋଦି ସରକାରଙ୍କ ଅବିଳମ୍ବେ କାର୍ଯ୍ୟକାରୀ କରିଥିଲେ। ୨୦୧୭ ମସିହାର ତତ୍କାଳୀନ ରାଷ୍ଟ୍ରପତି ପ୍ରବଣ ମୁଖାର୍ଜୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ରାଷ୍ଟ୍ରୀୟ ଉତ୍ସବକୁ ଉଦ୍ଘାଟନ କରି ପାଇକ ବିଦ୍ରୋହକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ଉଦ୍ଘୋଷଣାର ଉଜ୍ଜ୍ୱଳ ଘଟଣା ବୋଲି ଅଭିହିତ କରିଥିଲେ। ପାଇକ ବିଦ୍ରୋହର ଦ୍ୱିଶତ ବର୍ଷ ଉତ୍ସବ ସମସ୍ତ ଓଡ଼ିଆଙ୍କୁ ଗୌରବାନ୍ୱିତ କରିଥିଲା। ପୁନଶ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରେଣ୍ୟ ପାଇକ ବୀରଗଣଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରି ଓଡ଼ିଆ ଜାତିର ବୀରତ୍ୱକୁ ସମ୍ମାନିତ କରିଥିଲେ।
ଏତଦ୍ ବ୍ୟତୀତ, ଶୌର୍ଯ୍ୟ ପୁଣ୍ୟ ପାଇକ ବିଦ୍ରୋହକୁ ‘ଏନ୍ସିଇଆରଟି’ର ପାଠ୍ୟ ପୁସ୍ତକରେ ସମ୍ମିଳିତ କରାଯିବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୂଆଦିଲ୍ଲୀର ‘ଓଡ଼ିଶା ପର୍ବ’ ଉତ୍ସବରେ ପ୍ରଦର୍ଶିତ ପାଇକ ବିଦ୍ରୋହ ଚଳଚ୍ଚିତ୍ର ସମସ୍ତଙ୍କ ମନରେ ଦେଶପ୍ରୀତିର ନୂଆ ଶିହରଣ ସୃଷ୍ଟି କରିଥିଲା।
୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ପାଇକ ବିଦ୍ରୋହର ସଂଗ୍ରାମୀ ପୀଠ ବରୁଣେଇରେ ପାଇକ ବିଦ୍ରୋହର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା, ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାରକୁ ଅୟମାରମ୍ଭ କରି ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ।
ପାଇକ ବିଦ୍ରୋହର ସ୍ମୃତିକୁ ଅମର କରି ରଖିବା ପାଇଁ ଖୋର୍ଦ୍ଧାର ଅନତିଦୂରରେ ଥିବା ବରୁଣେଇଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣ ପାଇଁ ମୋଦି ସରକାର ୨୦୧୭ ମସିହାରେ ଘୋଷଣା କରିଥିଲେ। ଏଥିପାଇଁ ଅତ୍ୟାବଶ୍ୟକ ୫୦ ଏକର ଜମି ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ୨୦୧୯ରେ ଓଡ଼ିଶା ସରକାର କମ୍ ହେଲେ ବି ୧୦ ଏକର ଜମି ପ୍ରଦାନର ସମ୍ମତି ଦେଇଛନ୍ତି।
ଏହା ଅତ୍ୟନ୍ତ ଆନନ୍ଦର କଥା ଯେ, ଭାରତର ମହାମହିମ ରାଷ୍ଟ୍ରପତି ପାଇକ ବିଦ୍ରୋହର ଭବ୍ୟ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଦ୍ୱାରା ପାଇକ ବିଦ୍ରୋହ ସ୍ମାରକ ନିର୍ମାଣ ପାଇଁ ସହଯୋଗ ପ୍ରଦାନ କରାଯାଇଛି। କୋଣାର୍କରେ ମଧ୍ୟ ଏକ ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ‘ଇଣ୍ଟରପ୍ରିଟେସନ ସେଣ୍ଟର’ (ବ୍ୟାଖ୍ୟାନ କେନ୍ଦ୍ର) ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ସହାୟତାରେ କାର୍ଯ୍ୟକ୍ଷମ ହେବା ଖୁସିର ବିଷୟ।
ବରୁଣେଇ ପାହାଡ଼ର ପାଦଦେଶରେ ନିର୍ମିତ ହେବାକୁ ଯାଉଥିବା ଭବ୍ୟ ପାଇକ ବିଦ୍ରୋହ ସ୍ମାରକରେ ବରେଣ୍ୟ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସାଙ୍ଗରେ ତାଙ୍କର ଅନ୍ୟ ବୀର ସାଥୀଗଣଙ୍କ ପ୍ରତିମା ଶୋଭା ପାଇବ। ଏଠାରେ ସାଉଣ୍ଡ୍ ଆଣ୍ଡ୍ ଲାଇଟ୍ ସୋ ପାଇଁ ଏମ୍ପିଥିଏଟର, ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ତଥା ଡିଜିଟାଲ ବ୍ୟବସ୍ଥା ସମ୍ବଳିତ ମ୍ୟୁଜିୟମ୍ ସାଙ୍ଗକୁ ଦର୍ଶକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ରହିବ। ପାଇକ ବିଦ୍ରୋହ ସ୍ମାରକ ପାଖରେ ଅଛି ଆଇ.ଆଇ.ଟି, ଭୁବନେଶ୍ୱର; ନାଇଜର, ଜଟଣୀ; ଆଇସିଆଇଆଇଓଜି, ଭୁବନେଶ୍ୱର। ଏଠାକାର ଉଦୀୟମାନ ଛାତ୍ରଛାତ୍ରୀମାନେ ତଥା ଅନ୍ୟ ଯୁବପିଢ଼ିଙ୍କୁ ପାଇକ ବିଦ୍ରୋହର ଅନାଲୋଚିତ ଘଟଣାବଳି ଉପରେ ଗବେଷଣା ପାଇଁ ପ୍ରେରିତ କରିବ। ଏହା ବ୍ୟତୀତ ବରୁଣେଇର ପାଇକ ବିଦ୍ରୋହ ସ୍ମାରକର ଅନତି ଦୂରରେ ପ୍ରସ୍ତାବିତ ନୂତନ ବିମାନବନ୍ଦର, ଖୋର୍ଦ୍ଧାଗଡ଼, ମା’ ବରୁଣେଇ ମନ୍ଦିର, ମଙ୍ଗଳାଯୋଡ଼ି ଏବଂ ମରାଳମାଳିନୀ- ନୀଳାମ୍ବୁ ‘ଚିଲିକା’ ଥିବା ଯୋଗୁଁ ଏହା କର୍ମନିଯୁକ୍ତି ସୃଷ୍ଟି କରିବାରେ ବଳିଷ୍ଠ ଯୋଗଦାନ କରିବ।
ଏକ ବୀରତ୍ୱପୂର୍ଣ୍ଣ ଏବଂ ଶୌର୍ଯ୍ୟମୟ ଜାତିର ଉତ୍ତରପିଢ଼ି ଭାବେ ଆମେ ଆମର ପୂର୍ବପୁରୁଷଙ୍କ ଅଦମ୍ୟ ସାହସର ଗାଥାକୁ ନେଇ ଗୌରବାନ୍ୱିତ। ପୁନଶ୍ଚ, ଆମ ପୂର୍ବଜମାନେ ଅନ୍ୟାୟ, ଅତ୍ୟାଚାର ଏବଂ ଅରାଜକତା ବିରୋଧରେ ଉଠେଇଥିବା ଶାଣିତ ସ୍ୱର ଆଜି ବି ଆମ ହୃଦୟରେ ଦେଶପ୍ରୀତିର ଭାବ ସ୍ମରଣ କରେ। ମୋଦି ସରକାର ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମର୍ଯ୍ୟାଦାବନ୍ତ ସ୍ଥାନ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେଇ ଆସିଛନ୍ତି।
ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକ ହେବ ପୂଜ୍ୟ ବୀର ପାଇକମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞ ରାଷ୍ଟ୍ରର ଏକ ଭକ୍ତିପୂର୍ଣ୍ଣ ଅର୍ଘ୍ୟ। ପାଇକ ବିଦ୍ରୋହ ସ୍ମାରକ ହେବ ଓଡ଼ିଆ ଜାତିର ଅଦମ୍ୟ ସାହସ, ବୀରତ୍ୱ ତଥା ଶୌର୍ଯ୍ୟର ଏକ ଅମର ପ୍ରତୀକ।
(ଲେଖକ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଇସ୍ପାତ ମନ୍ତ୍ରାଳୟର ମନ୍ତ୍ରୀ, ଭାରତ ସରକାର)