ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବଦଳିବ ବାରବାଟୀ ଷ୍ଟାଡିୟମ୍ କ୍ଲକ୍ ଟାୱାରର ରୂପରେଖ। ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ଏହି ଟାୱାରର ନବକଳେବର କରାଯାଉଛି। ରୋମାନ୍ ଷ୍ଟାଇଲରେ ଏହାର ପୁନଃପ୍ରତିଷ୍ଠା କରାଯିବ। ଏନେଇ ଜୋର୍ଦାର କାମ ଚାଲିଥିବା ବେଳେ ମ୍ୟାଚ ପୂର୍ବରୁ ଚୂଡାନ୍ତ ରୂପରେଖ ସାମ୍ନାକୁ ଆସିବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

୧୯୬୭ ମସିହାରେ ବାରବାଟୀ ଷ୍ଟାଡିୟମସ୍ଥିତ ଟର୍ଚ୍ଚ କମ୍ କ୍ଲକ୍ ଟାୱାର ନିର୍ମାଣ କରାଯାଇଥିଲା। ୧୦୦ ଫୁଟ୍ ବିଶିଷ୍ଟ ଏହି ଟାୱାର ପାଇଁ ଖର୍ଚ୍ଚ ହୋଇଥିଲା ୧ଲକ୍ଷ ୧୭ହଜାର ୫୪୧ ଟଙ୍କା। ସେତେବେଳେ କଟକରୁ ସବୁଠାରୁ ଉଚ୍ଚ ନିର୍ମାଣ ଭାବେ କ୍ଲକ୍ ଟାୱାର ପ୍ରତିଷ୍ଠା ଅର୍ଜନ କରିଥିଲା। ତେବେ କ୍ଲକ୍ ଟାୱାର ପାଇଁ ସେତେବେଳେ ଘଣ୍ଟା ବେଙ୍ଗାଳୁରୁରୁ ଅଣାଯାଇଥିଲା। ଟର୍ଚ୍ଚ କମ୍ କ୍ଲକ୍ ଟାୱାର ନିର୍ମାଣରେ କୋଣାର୍କ ମନ୍ଦିର ନିର୍ମାଣ ଶୈଳୀକୁ ଅନୁସରଣ କରାଯାଇଛି।

ଟାୱାର ଉପରେ ଏମିତି ଏକ ଟର୍ଚ୍ଚ ବ୍ୟବସ୍ଥା କରାଯାଇଛି ଯେଉଁଥିରେ ସକାଳର ପ୍ରଥମ ସୂର୍ଯ୍ୟ କିରଣ ପଡିଲେ ତାହା ଜଳୁଥିବା ଭଳି ଦୃଶ୍ୟମାନ ହୋଇଥାଏ। କ୍ଲକ୍ ଟାୱାରକୁ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଭାଷ୍ୟକାରମାନେ କମେଣ୍ଟ୍ରି କରିଥାନ୍ତି। ଗୋଟିଏ ପଟରେ ମହାନଦୀ ପାର୍ଶ୍ୱ ଏବଂ ଅନ୍ୟପକ୍ଷରେ କ୍ଲକ୍ ଟାୱାରକୁ କମେଣ୍ଟ୍ରିରେ ଉପଯୋଗ କରୁଥିବାର ଶୁଣିବାକୁ ମିଳେ।

କଟକ ସହରର ସର୍ବାଧିକ ଉଚ୍ଚତା ବିଶିଷ୍ଟ ସ୍ଥପତି ଭାବେ ଏହା ଜଣାଶୁଣା ଥିଲା। କଟକ ସହର ଏବଂ ଉପକଣ୍ଠର ବିଭିନ୍ନ ଅଞ୍ଚଳକୁ ଏହା ଦେଖାଯାଉଥିଲା। ଏବେ ସହରରେ ବହୁ ସଂଖ୍ୟକ ବିଲ୍ଡିଂ ନିର୍ମାଣ ହୋଇଯିବାରୁ କ୍ଲକ୍ ଟାୱାର୍ ଆଉ ଦିଶୁନାହିଁ। ତା’ଛଡା ଫନି ବାତ୍ୟା ସମୟରେ ଏହା ପ୍ରଭାବିତ ହୋଇଥିଲା। ବିଶେଷ କରି ଘଣ୍ଟାର କିଛି ଅଂଶ ଭାଙ୍ଗିଯାଇଥିଲା। ତେଣୁ ଏହାର ପୁନରୁଦ୍ଧାର କରାଯାଉଛି। ଏବେ ରୋମାନ୍ ଷ୍ଟାଇଲରେ ନିର୍ମାଣ କରାଯାଉଛି। ଘଣ୍ଟା ଭିତରେ ଥିବା ନମ୍ବରଗୁଡିକର ଷ୍ଟାଇଲ୍ ବଦଳାଯାଇ ରୋମାନ୍ ଷ୍ଟାଇଲରେ କରାଯିବ ବୋଲି ଓସିଏ ତରଫରୁ ସୂଚନା ଦିଆଯାଇଛି।

Comment