ଭାସ୍କର ପରିଚ୍ଛା

ନାଗରିକତା ସଂଶୋଧନ ବିଲ ଉପରେ ଇତିମଧ୍ୟରେ ରାଷ୍ଟ୍ରପତିଙ୍କ ମୋହର ବସିବା ପରେ ତାହା ଆଇନରେ ପରିଣତ ହୋଇଛି। ବିଗତ କିଛି ଦିନ ଧରି ଅର୍ଥନୀତିରେ ମାନ୍ଦା ଅବସ୍ଥା, ଜିଡ଼ିପିରେ ହ୍ରାସ ଓ କେତେକ ରାଜ୍ୟରେ ବିଜେପିର ଖରାପ ରାଜନୈତିକ ପ୍ରଦର୍ଶନ ଏସବୁ ପାଇଁ ଦଳ ବ୍ୟାକଫୁଟକୁ ଆସିଯାଇଥିବା ବେଳେ ଏହି ନାଗରିକତା ସଂଶୋଧନ ବିଜେପିକୁ ପୁଣି ଫ୍ରଣ୍ଟଫୁଟକୁ ନେଇଆସିଛି ବୋଲି ବୁଝିବାକୁ ପଡ଼ିବ।

ଏହି ବିଲ୍‌କୁ ଯେନ ତେନ ପ୍ରକାରେଣ କ୍ୟାବିନେଟରେ ପାସ୍‌ କରାଇବା ସହ ସଂସଦର ଉଭୟ ଗୃହରେ ମଧ୍ୟ  ଗୃହୀତ କରିଦିଆଯିବା ପଛରେ ଗୋଟିଏ ବଡ଼ କାରଣ ହେଉଛି ହିନ୍ଦୁତ୍ୱ ଭୋଟକୁ ଏକାଠି କରିବା। ଏହି ଲକ୍ଷ୍ୟରେ ବିଜେପି ନିଶ୍ଚିତ ଭାବରେ ସଫଳ ହୋଇଛି ଓ ଶିବସେନା ଏବଂ ଜେଡ଼ିୟୁ ଭଳି କ୍ଷମତାଲୋଭୀ ଦଳକୁ ପୂରା ପାଲରେ ପକାଇପାରିଛି। ରାଜନୈତିକ ଦୃଷ୍ଟିକୋଣରୁ  ବିଜେପିକୁ କ୍ୟାବ ପୂରା ଫାଇଦା ପହଞ୍ଚାଇବାରେ ସାହାଯ୍ୟ କରିଛି। ଶିବସେନା ସମେତ ଏନ୍ଡ଼ିଏର ଅନ୍ୟ ଦଳ ଏବେ ଆଉ ମେଣ୍ଟରୁ ଦୂରରେ ରହିବା କଥା ଚିନ୍ତା ବି କରି ପାରିବେ ନାହିଁ।

ତେବେ ଏହି ଆଇନ ବିରୁଦ୍ଧରେ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ବ୍ୟାପକ ହଙ୍ଗାମା ପ୍ରଦର୍ଶନ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ ବେଳେ  କିଛି  ଲୋକ ପ୍ରାଣ ବି ହରାଇଛନ୍ତି। ଅବଶ୍ୟ ମୋଦି ସରକାର ଏହି ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବା ପାଇଁ ଆଇନରେ କେତୋଟି କୋହଳ ବ୍ୟବସ୍ଥା ରଖିଛନ୍ତି। ସମ୍ବିଧାନର ଷଷ୍ଠ ସୂଚୀ ଅଧୀନରେ ଆସୁଥିବା ପୂର୍ବୋତ୍ତର ରାଜ୍ୟ ଗୁଡ଼ିକୁ ଏହି ଆଇନ ବାହାରେ ରଖାଯାଇଛି।

ଷଷ୍ଠ ଅନୁସୂଚୀରେ ଆସାମ, ମେଘାଳୟ,ତ୍ରିପୁରା ଓ ମିଜୋରମର  ବେଶ୍ କିଛି ଅଂଚଳକୁ ଆଇନର  ପରିସର ବାହାରେ ରଖାଯାଇଛି।ଠିକ୍ ସେହିଭଳି ଆଉ କିଛି ରାଜ୍ୟ ଯଥା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶର ଇନର ଲାଇନ ପରମିଟ ଅଞ୍ଚଳ ମଧ୍ୟ ଏହି ନାଗରିକତା ଆଇନ ଭିତରେ ଆସୁନାହାନ୍ତି।କେବଳ ଗୋଟିଏ ଦୁଇଟି ରାଜ୍ୟରେ ଏହି ଆଇନକୁ ଲୋକେ ବିରୋଧ କରୁଛନ୍ତି।

ବୁଝିବାକୁ ପଡ଼ିବ ଯେ ,ଏହି ନାଗରିକତା ଆଇନ ଦ୍ୱାରା ବିଜେପି ଏକ ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି  କରି ପାରିଛି।କୁହାଯାଉଛି ପ୍ରାୟ ଏକ ଲକ୍ଷ ଅଣ ମୁସଲିମ୍ ଶରଣାର୍ଥୀ ତତ୍କାଳ ଭାରତୀୟ ନାଗରିକତା ପାଇବା ଆଶା ବାନ୍ଧି ବସିଛନ୍ତି।ଏହି ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବ।

ଏସବୁ ଭିତରେ ଗୋଟିଏ ବଡ଼ ବିଡ଼ମ୍ବନା ଏହି ଯେ ୨୦୧୯ ନିର୍ବାଚନରେ ବିଜେପିକୁ ଯେଉଁ ଜନାଦେଶ ମିଳିଥିଲା ତାହାର ସଠିକ ଉପଯୋଗ କରାଯାଇପାରିନାହିଁ।ନିଜ ଭୋଟ ବ୍ୟାଙ୍କକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଦେଶକୁ ଏକ ବଡ଼ ସଙ୍କଟ ମୁହଁକୁ ଠେଲି ଦେଉଛନ୍ତି। ଗୋଟିଏ ପଟେ ଦେଶରେ ଅନୁପ୍ରବେଶକାରୀଙ୍କ ସମସ୍ୟା ଲାଗି ରହିଛି ଓ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଉଦ୍ୟମ କରୁଛେ।ଏହି କାରଣରୁ ମଧ୍ୟ ଭାରତରେ ଜନସଂଖ୍ୟାର ବୋଝ ଏବେ ଗମ୍ଭୀର ଅବସ୍ଥାରେ ରହିଛି।

ଖାସ ଏହି ବୋଝକୁ ହାଲକା କରିବା ପାଇଁ ଏନଆରସି ଜରିଆରେ ଉଦ୍ୟମ କରାଯାଉଥିବା ବେଳେ ତେଣେ ନାଗରିକତା ସଂଶୋଧନ ଆଇନ ଜରିଆରେ  ଜନସଂଖ୍ୟା ବୃଦ୍ଧି କରିବାର ଉଦ୍ୟମ କରୁଛନ୍ତି  କେନ୍ଦ୍ର ସରକାର।ଏହା ଏକ ବିଡ଼ମ୍ବନା।ନୂଆ ନାଗରିକତା ଆଇନ ଫଳରେ  ପଡ଼ୋଶୀ ତିନିଟି ରାଷ୍ଟ୍ରର ଅଣମୁସଲିମ ଅନୁପ୍ରବେଶକାରୀଙ୍କୁ ନିଶ୍ଚିତ ଭାବରେ ଆଶ୍ୱସ୍ତି ମିଳିବ।କିନ୍ତୁ କାଗଜପତ୍ର ଦେଖାଇ ପାରୁ ନଥିବାରୁ ଦେଶର ମୂଳ ମୁସଲିମ ସମ୍ପ୍ରଦାୟର ଲୋକମାନେ ହରକତରେ ପଡ଼ିବେ।ଏହି ମୌଳିକ  ବିଡ଼ମ୍ବନାକୁ ‘ଦୂର’ କରିବା ତ ପର କଥା ସମସ୍ୟାକୁ ବୁଝିବା ପାଇଁ ସରକାରରେ  ତଳରୁ ଉପର କେହି ପ୍ରସ୍ତୁତ ନୁହଁନ୍ତି।

Comment