ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାନଦୀ ପଠାର ୪୦୦ ଏକର ଜମିର ଉନ୍ନତି କରଣ
  • ୪ ଲେନ୍ ରାସ୍ତା, ପାର୍କ, ୱାଟର ସ୍ପୋର୍ଟସ୍ କମ୍ପେ୍ଲକ୍ସ
  • ୫ ତାରକା ହୋଟେଲ୍, ଏସ୍‌ସିବି କ୍ୟାମ୍ପସ-୨ ନିର୍ମାଣ
  • ଅନ୍ତର୍ଜାତୀୟ ସ୍ତରର ହେବ ବାଲିଯାତ୍ରା ପ୍ରଦର୍ଶନୀ ପଡ଼ିଆ

କଟକ: ମହାନଦୀ ସଲଗ୍ନ ରିଂ ରୋଡ୍‌ କ୍ୟାଣ୍ଟନମେଣ୍ଟ ଥାନାଠାରୁ ବାଲିଯାତ୍ରା ପଡ଼ିଆ, ସିସୋର ପଠା ଓ ହାଡ଼ିଆ ପଠା ଅଞ୍ଚଳରେ ପର୍ଯ୍ୟାପ୍ତ ଜମି ଅଦରକାରୀ ହୋଇ ପଡ଼ିଛି। ଏହି ଅଞ୍ଚଳରେ କେବଳ ଅନାବନା ଗଛ, ଚରା ଭୂମି ଓ ବିସ୍ତୃତ ବାଲି ଅଞ୍ଚଳ ପଡ଼ିଛି। ଏହି ଅଞ୍ଚଳ ପ୍ରାୟ ୪ଶହ ଏକର ଜାଗା ହେବ। ତେବେ ଏହି ଅଞ୍ଚଳର ଉନ୍ନତିକରଣ କରି ଏହାକୁ ଉପଯୋଗୀ କରିବା ପାଇଁ ପ୍ରଶାସନ ଏବେ ଅଣ୍ଟା ଭିଡ଼ିଛି। ବାଲିଯାତ୍ରା ପଡ଼ିଆଠାରୁ ଯୋବ୍ରା ମାରିଟାଇମ୍ ମ୍ୟୁଜିୟମ୍ ପର୍ଯ୍ୟନ୍ତ ମହାନଦୀର ପଠାକୁ ଉନ୍ନତିକରଣ କରାଯିବ।

ଅଦରକାରୀ ହୋଇ ପଡ଼ିଥିବା ଏହି ଅଞ୍ଚଳକୁ ବ୍ୟବହାର ଉପଯୋଗୀ କରାଯିବ। ଏପରିକ ସହରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେହି ଅଞ୍ଚଳରେ ଚଉଡ଼ା ରାସ୍ତା ସହିତ ପାର୍କ, ୱାଟର ସ୍ପୋର୍ଟସ ଏପରିକି ୫ ତାରକା ହୋଟେଲ୍ ନିର୍ମାଣ କରିବାକୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ବାଲିଯାତ୍ରା ରିଭରଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ (ବରଫି) ନାମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ରୂପରେଖ ଚୁଡ଼ାନ୍ତ ପାଇଁ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ଥିତି ଯାଞ୍ଚ କରିଛନ୍ତି।

ଖାସ୍‌ କରି ବାଲିଯାତ୍ରା ପଡ଼ିଆଠାରୁ ଯୋବ୍ରା ମାରିଟାଇମ୍ ମ୍ୟୁଜିୟମ୍ ଭିତରେ ଥିବା ଏହି ସରକାରୀ ଜମିକୁ ଉପଯୋଗୀ କରି ତାହାକୁ ସାଧାରଣ ଲୋକଙ୍କ ବ୍ୟବହାରରେ ଆଣିବାକୁ ଯୋଜନା କରାଯାଇଛି। ଏହି କ୍ରମରେ ମହାନଦୀ ପଠାରେ ପ୍ରାୟ ୧୦୦ ମିଟର ଚଉଡ଼ାର ୪ ଲେନ୍ ବିଶିଷ୍ଟ ୩.୫ କିଲୋ ମିଟର ଲମ୍ବ ଏକ ରାସ୍ତା ନିର୍ମାଣ ହେବ। ଏହି ରାସ୍ତା କଡ଼ରେ ବୃକ୍ଷରୋପଣ, ଫୁଟଫାଥ ବା ପାଦଚଲା ଟ୍ରାକ୍, ବସିବା ପାଇଁ ବେଞ୍ଚ ଆଦି ନିର୍ମାଣ କରାଯିବ। ଏହି ରାସ୍ତାକୁ ରିଂ ରୋଡ୍ ସହିତ ଏକ ବାଇପାସ୍ ରାସ୍ତା ଭାବେ ସଂଯୋଗ କରାଯାଇ ବ୍ୟବହାର କରାହେବ।

ଏହା ଦ୍ଵାରା ଟ୍ରାଫିକ୍ ସମସ୍ୟାକୁ ଏକ ପ୍ରକାର ଦୂର କରାଯାଇ ପାରିବ। ସେହିପରି ରାସ୍ତାକୁ ଲାଗିକରି ଥିବା ପ୍ରାୟ ୪ଶହ ଏକର ଜମିକୁ ବ୍ୟବହାର ଉପଯୋଗୀ କରାଯାଇ ସେଥିରେ ସ୍ପୋର୍ଟସ କମ୍ପେ୍ଲକ୍ସ, ପ୍ରର୍ଶନୀ ପଡ଼ିଆ, ରିକ୍ରିୟସନ୍ ପଏଣ୍ଟ, ୫ ତାରକା ହୋଟେଲ୍, ପର୍ଯ୍ୟଟନ ସ୍ଥଳୀ, ଜଳକ୍ରୀଡ଼ା ସହିତ ଏସ୍‌ସିବିର କ୍ୟାମ୍ପସ-୨ ଓ ଏକ ବଡ଼ ସରକାରୀ କାର୍ଯ୍ୟାଳୟ ସେଠାରେ ନିର୍ମାଣ ହେବ। ଏହି ସ୍ଥାନକୁ ସମତୁଲ କରିବା ପାଇଁ ମହାନଦୀରୁ ବାଲି ଉଠାଣ ହେବ । ଇଣ୍ଡିଆନ୍ ଅଏଲ୍ ପୋର୍ପରେସନ୍‌ ପକ୍ଷରୁ ପ୍ରଦାନ କରାଯାଉଥିବା ୨୯୮ କୋଟିକୁ ଏହି ଉନ୍ନତିକରଣରେ ବ୍ୟୟ କରାଯିବ।

ସେହିପରି ବାଲିଯାତ୍ରା ପଡ଼ିଆର ମଧ୍ୟ ଉନ୍ନତିକରଣ କରାଯିବ। ଅର୍ନ୍ତଜାତୀୟ ସ୍ତରର ପଡ଼ିଆ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ହାଡ଼ିଆ ପଠା ଓ ଏହାର ନିକଟ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହି ସବୁ ଉନ୍ନତିକରଣ କାମ ସିଡିଏ (କଟକ ଉନ୍ନୟନ କର୍ତ୍ତୃପକ୍ଷ)ଙ୍କ ତତ୍ତ୍ଵାବଧାନରେ ହେବ। ଏଥିରେ ରାଜସ୍ୱ, ଜଳ ସମ୍ପଦ, ପୂର୍ତ୍ତ ଗୃହ ଓ ନଗର ଉନ୍ନୟନ, କ୍ରୀଡ଼ା , ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହଯୋଗ କରିବେ। ଏନେଇ ଏବେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଉଛି।

ଶୁକ୍ରବାର ସ୍ଥିତି ପରଖିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ସଂପୂର୍ଣ୍ଣ ଅଞ୍ଚଳର ପରିଦର୍ଶନ କରିଛନ୍ତି। ଏହି ଯୋଜନାରେ କଟକ ସହରବାସୀ ବହୁ ଉପକୃତ ହେବେ ବୋଲି ମନ୍ତ୍ରୀ ମତ ଦେଇଛନ୍ତି। ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ଏହି ପ୍ରକଳ୍ପ ନେଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିଏମ୍‌ସି କମିସନର ଅନନ୍ୟା ଦାସ, ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଜାଇକା ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ, ଜଳସମ୍ପଦ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଅଧିକାରୀ ଓ ସିଡିଏର ବରିଷ୍ଠ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Comment