ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲେଶ୍ୱରରୁ ହରିଦ୍ୱାର ଓ ଋଷିକେଶକୁ ଗଲା ତୀର୍ଥଯାତ୍ରୀ ଟ୍ରେନ୍
  • ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
  • ତୀର୍ଥଯାତ୍ରାରେ ମୋଟ ୯୭୦ ଲୋକ ସାମିଲ
  • ୨୦୨୦ରେ ଆହୁରି ତିନୋଟି ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାଲେଶ୍ୱରରୁ ବରିଷ୍ଠ ତୀର୍ଥଯାତ୍ରୀ ଦଳଙ୍କୁ ନେଇ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ବାହାରିଛି ସ୍ୱତନ୍ତ୍ର ଟ୍ରେନ୍। ଶୁକ୍ରବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସ ସାହାଯ୍ୟରେ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବାଲେଶ୍ୱର ଷ୍ଟେସନରୁ ୧୨ଟି ତୀର୍ଥଯାତ୍ରୀ ଦଳଙ୍କୁ ନେଇ ଶୁକ୍ରବାର ଟ୍ରେନଟି ନିଜର ଯାତ୍ରା ଆରମ୍ଭ କରିଛି। ଏହା ହରିଦ୍ୱାର, ଋଷିକେଶ ଭଳି ତୀର୍ଥସ୍ଥାନଗୁଡ଼ିକର ଭ୍ରମଣ କରିବ। ଏହି ଯାତ୍ରାରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ପାଖାପାଖି ୯୭୦ ଜଣ ଲୋକ ସାମିଲ ହୋଇଛନ୍ତି।
ଏଥିପାଇଁ ବାଲେଶ୍ୱର ଷ୍ଟେସନ ନିକଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିଥିଲେ।୨୦୨୦ ବର୍ଷରେ ମଧ୍ୟ ରାଜ୍ୟସରକାରଙ୍କ ତରଫରୁ ଆଉ ତିନୋଟି ତୀର୍ଥଯାତ୍ରା କରିବାର ମଧ୍ୟ ଯୋଜନା କରାଯାଇଛି। ସେଥିମଧ୍ୟରୁ ଗୋଟିଏ ତୀର୍ଥଯାତ୍ରୀ ଦଳ ଜାନୁଆରୀ ମାସରେ ବ୍ରହ୍ମପୁରରୁ ରାମେଶ୍ୱର ଓ ମଦୁରାଇ, ଅନ୍ୟଟି ଫେବୃଆରୀ ମାସରେ ସମ୍ବଲପୁରରୁ ଆଗ୍ରା- ମଥୁରା ଏବଂ ବୃନ୍ଦାବନ ଅଭିମୁଖେ ଯାତ୍ରା କରିବ। ସେହିପରି ଆଉ ଗୋଟିଏ ତୀର୍ଥଯାତ୍ରୀ ଦଳ ଭୁବନେଶ୍ୱରରୁ ଆଲାହାବାଦ୍ ଓ ବନାରସ ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିବ ବୋଲି ସୂଚନା ଦିଆଯାଇଛି।

୨୦୧୬ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକଙ୍କୁ ରାଜ୍ୟ ସରକାର ତୀର୍ଥଯାତ୍ରା କରିବାର ସୁଯୋଗ ଦେଇଛନ୍ତି। ଏଥିରେ ବରିଷ୍ଠ ନାଗରିକମାନଙ୍କୁ ଟ୍ରେନରେ ନିଆଯାଇ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦିଆଯାଉଛି।

Comment