ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅନେକ ରାଜନେତା ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି।

ଗଣଦୁଷ୍କର୍ମ ଏକ ସ୍ପର୍ଶକାତର ମାମଲା। ଗଣଦୁଷ୍କର୍ମକୁ ରୋକିବା ପାଇଁ କଠୋର ଆଇନ୍‌ ପ୍ରଣୟନ କରିବାକୁ ବିଭିନ୍ନ ମହଲରୁ ଦାବି ଆସୁଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ କଟାକ୍ଷ କରି ରାହୁଲ ‘ରେପ୍‌ ଇନ୍‌ ଇଣ୍ଡିଆ’ କହି ଅଡୁଆରେ ଫସିଛନ୍ତି।

ରାହୁଲଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦରେ ଝଡ଼ ବହିଛି। ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। କେବଳ ରାହୁଲ ନୁହନ୍ତି, ବିଗତ ଦିନରେ ଅନେକ ନେତା ଦୁଷ୍କର୍ମକୁ ନେଇ ବିବଦୀୟ ବୟାନ ଦେଇଥିଲେ। ରାହୁଲଙ୍କ ବ୍ୟତୀତ ଆଉ କେଉଁମାନେ ବିବଦୀୟ ମନ୍ତବ୍ୟ ଦେଇ ଫସିଥିଲେ ଜାଣନ୍ତୁ।

‘‘ଦୁଇ ଜଣ ଦୁଷ୍କର୍ମ କଲେ ତାହା ଗଣଦୁଷ୍କର୍ମ ନୁହେଁ’’

୨୦୧୫ରେ କର୍ଣ୍ଣାଟକର ତତ୍କାଳୀନ ଗୃହମନ୍ତ୍ରୀ କେ ଜେ ଜର୍ଜ ଗଣଦୁଷ୍କର୍ମ ସମ୍ପର୍କରେ ବୟାନ ଦେଇ ବିବାଦରେ ଫସିଥିଲେ। ସେ କହିଥିଲେ, ‘‘ଦୁଇ ଜଣ ପୁରୁଷ ଜଣେ ମହିଳାଙ୍କୁ ଦୁଷ୍କର୍ମ କଲେ ତାହା ଗଣଦୁଷ୍କର୍ମ ନୁହେଁ। ଯେତେବେଳେ ଚାରି କିମ୍ବା ୫ ଜଣ ପୁରୁଷ ଦୁଷ୍କର୍ମ କରିବେ ସେତେବେଳେ ତାକୁ ଗଣଦୁଷ୍କର୍ମ କୁହାଯିବ।’’

ଏହି ମନ୍ତବ୍ୟ କେ ଜେ ଜର୍ଜଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଜାତୀୟ ମହିଳା କମିସନ ନିଜ ଆଡୁ କେ ସି ଜର୍ଜଙ୍କ ବିରୋଧରେ ମାମଲା ରୁଜୁ କରି ନୋଟିସ୍‌ ଦେଇଥିଲେ।

‘‘ଜନସଂଖ୍ୟା ବୃଦ୍ଧି ଯୋଗୁ ଦୁଷ୍କର୍ମ ବଢୁଛି’’

ଦୁଷ୍କର୍ମ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ତାଲିକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ବି ରହିଛି। ସେ ୨୦୧୩ରେ ଏମିତି ଏକ ବୟାନ ଦେଇଥିଲେ ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଦୁଷ୍କର୍ମ ପାଇଁ ସେ ଜନସଂଖ୍ୟା ବୃଦ୍ଧିକୁ ଦାୟୀ କରିଥିଲେ।

‘‘ପଶ୍ଚିମବଙ୍ଗ ସମେତ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ପାଉଛି। ୧୯୪୮ ମସିହାରେ ଯେତିକି ଜନସଂଖ୍ୟା ଥିଲା ତାହା ଏବେ ଆଶାତୀତ ବୃଦ୍ଧି ପାଇଛି। ଜନସଂଖ୍ୟା ବୃଦ୍ଧି ସହିତ ଦୁଷ୍କର୍ମର ଲିଙ୍କ ରହୁଛି।’’

‘‘ପୁଅ ସବୁବେଳେ ପୁଅ, ସେମାନେ ଭୁଲ୍‌ କରିଥାନ୍ତି’’

ଏକ ଗଣଦୁଷ୍କର୍ମ ମାମଲାରେ ତିନି ଜଣ ଯୁବକ ଅଟକ ହେବା ପରେ ୨୦୧୪ରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦୁଷ୍କର୍ମ ଘଟଣାରେ ସେ ତାଙ୍କ ମନ୍ତବ୍ୟରେ ପୁଅମାନଙ୍କୁ ସମର୍ଥନ କରିଥିଲେ।

ସେ କହିଥିଲେ, ‘‘ପୁଅ ସବୁବେଳେ ପୁଅ। ସେମାନେ ସବୁବେଳେ ଭୁଲ୍‌ କରିଥାନ୍ତି।’’

ଏହି ମନ୍ତବ୍ୟକୁ ନେଇ ସେତେବେଳେ ଆଲେଡ଼ନ ସୃଷ୍ଟି ହୋଇଥିଲା।

‘‘ଝିଅମାନେ ଶୀଘ୍ର ବାହା ହେଲେ ଦୁଷ୍କର୍ମ ବନ୍ଦ ହେବ’’

ଏମିତି ଏକ ବିଭ୍ରାନ୍ତିକର ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା। ୨୦୧୨ରେ ସେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଝିଅମାନେ ଯଦି କମ୍‌ ବୟସରେ ବିବାହ କରିବେ ତାହାଲେ ଦୁଷ୍କର୍ମ ରୋକା ଯାଇ ପାରିବ ବୋଲି ସେ କହିଥିଲେ।

ଦେଶରେ ‘ରେପ୍‌ ଇନ୍‌ ଇଣ୍ଡିଆ’

ଗୁରୁବାର ଝାଡ଼ଖଣ୍ଡ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ରାହୁଲ କହିଥିଲେ,”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ କରିଥିଲେ। ହେଲେ ବର୍ତ୍ତମାନ ଦେଶରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ନୁହେଁ ରେପ୍‌ ଇନ୍‌ ଇଣ୍ଡିଆ ଚାଲୁଛି।”

ଏହାକୁ ନେଇ ସଂସଦରେ ଝଡ଼ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ଟାର୍ଗେଟ କରିଥିଲେ।

Comment