ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧୁମେହ ରୋଗୀଙ୍କ ଚକ୍ଷୁ ସମସ୍ୟା, ଓ ତାହାର ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ।

ଡାଇବେଟିସ୍ ବା ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗରେ ପରିଣତ ହୋଇଛି। ଅଧିକାଂଶ ଲୋକ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଜଙ୍କ୍‌ ଫୁଡ୍‌ ଖାଇବା, କୌଣସି ଶାରୀରିକ ପରିଶ୍ରମ ନକରିବା, ଅବସାଦ ଏହି ରୋଗର ମୁଖ୍ୟ କାରଣ ବୋଲି ଡାକ୍ତର କହୁଛନ୍ତି। ମଧୁମେହ ରୋଗୀଙ୍କ ନିକଟରେ ଆଉ ଏକ ସମସ୍ୟା ମଧ୍ୟ ଦେଖାଯାଏ ତାହା ହେଉଛି ଚକ୍ଷୁ ସମସ୍ୟା। ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ଚକ୍ଷୁ ସମସ୍ୟା ବିଷୟରେ କ’ଣ କହୁଛନ୍ତି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ।

‘‘ବର୍ତ୍ତମାନ ଘରେ ଘରେ ଲୋକଙ୍କଠାରେ ଡାଇବେଟିସ ଦେଖାଯାଉଛି। ଏହାର ନିରାକରଣ, ପ୍ରତିଷେଧ, ଚିକିତ୍ସା ଯଦି ମୂଳରୁ ଠିକ ଭାବେ ନକରାଯାଏ ତେବେ ରୋଗୀଙ୍କଠାରେ ଚକ୍ଷୁ ସମସ୍ୟା ଦେଖାଯାଏ‘‘, କହିଛନ୍ତି ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ।

ମଧୁମେହ ରୋଗର ଦୁଇଟି ସ୍ତର ରହିଛି। ଗୋଟିଏ ହେଉଛି ପୋଲିଫରେଟିଭ୍‌ ଡାଇବେଟିସ୍‌ ଓ ଅନ୍ୟଟି ନନ୍‌ପୋଲିଫରେଟିଭ୍‌ ଡାଇବେଟିସ୍‌।

ନନ୍‌ପୋଲିଫରେଟିଭ୍‌ ଡାଇବେଟିସରୁ ପୋଲିଫରେଟିଭ୍‌ ଡାଇବେଟିସ୍‌ ହେବା ପାଇଁ ୧୦ ବର୍ଷ ସମୟ ଲାଗିଥାଏ। ପ୍ରାଥମିକ ଅବସ୍ଥାରେ ଏହି ନନ୍‌ପୋଲିଫରେଟିଭ୍‌ ଦେଖାଯାଇଥାଏ। ଏହି ସମୟରେ ଯଦି ପ୍ରତି ୬ମାସରେ ଡାକ୍ତର ରୋଗୀଙ୍କର ଚିକିତ୍ସା କରନ୍ତି ତେବେ ସେମାନଙ୍କ ଚକ୍ଷୁ ରୋଗର ଭଲ ଭାବରେ ଚିକିତ୍ସା ହୋଇପାରିବ।

ପୋଲିଫରେଟିଭ୍‌ ଡାଇବେଟିସ୍‌ ଷ୍ଟେଜରେ ସେମାନଙ୍କ ଚକ୍ଷୁ ସମସ୍ୟାର ଚିକିତ୍ସା କରିବା କଷ୍ଟ ହୋଇଥାଏ। ଚିକିତ୍ସା କଲେ ଚକ୍ଷୁ ସମସ୍ୟା ଦୂରେଇ ହେବ ତାହାର କୌଣସି ଗ୍ୟାରେଣ୍ଟି ମଧ୍ୟ ନଥାଏ।

କିପରି କରିବେ ଚିକିତ୍ସା?

ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ଚକ୍ଷୁ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଡାଇବେଟସକୁ ନିୟନ୍ତ୍ରଣରେ ରଖନ୍ତି ସେମାନଙ୍କ ନିକଟରେ ୨୦ ବର୍ଷ ଯାଏଁ ଚକ୍ଷୁ ସମସ୍ୟା ଦେଖାଯାଇନଥାଏ। ଏଥିପାଇଁ ପ୍ରତ୍ୟେକ ରୋଗୀ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ଦରକାର।

ଦ୍ୱିତୀୟ କଥା ନିୟମିତ ଭାବେ ଡାକ୍ତରଙ୍କ ସହ ପରାମର୍ଶ କରି ଚକ୍ଷୁର ଚିକିତ୍ସା କରିବା ଦରକାର।

ଛୋଟପିଲା ମଧୁମେହରେ ପୀଡ଼ିତ ଥିଲେ ଚକ୍ଷୁ ଚିକିତ୍ସା କେମିତି କରିବେ?

ଡାଇବେଟିସ ଦୁଇ ପ୍ରକାର ରହିଛି। କୋଟିଏ ହେଲା ଟାଇପ୍‌ ୧ ଓ ଅନ୍ୟଟି ଟାଇପ୍ ୨। ଟାଇପ୍‌ ୧ ଡାଇବେଟିସ ସାଧାରଣତଃ ଜିନ୍‌ ଜନିତ। ୮ରୁ ୧୫ ବର୍ଷ ବୟସର ପିଲାଙ୍କଠାରେ ଏହି ଡାଇବେଟସ ଦେଖାଯାଏ। ଏହି ଛୋଟ ପିଲାଙ୍କ ଚିକିତ୍ସା ପାଇଁ ପ୍ରଥମରୁ ଇନସ୍ୟୁଲିନ ଇଞ୍ଜେକସନ ଦେବାକୁ ପଡ଼ିଥାଏ। ବଟିକା ବା ଅନ୍ୟ କୌଣସି ଔଷଧ ଏମାନଙ୍କଠି କାମ କରିନଥାଏ। ଟାଇପ ୨ ଡାଇବେଟିସ କିନ୍ତୁ ସାଂଘାତିକ। ଏଥିରେ ପୀଡ଼ିତ ଥିଲେ ଯଦି ଠିକ ସମୟରେ ଚିକିତ୍ସା ନହୁଏ ତେବେ ଚକ୍ଷୁ ନଷ୍ଟ ହେବାର ସମ୍ଭାବନା ଥାଏ।

ଡାଇବେଟିସକୁ ନିୟନ୍ତ୍ରଣରେ ରଖିବାକୁ କ’ଣ କରିବେ?

ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବେ।

ବ୍ୟାୟାମ ନିଶ୍ଚିତ କରିବେ।

ପ୍ରତିଦିନ ୩୦ ମିନିଟ ଚାଲିବେ।

ଯୋଗ କରିପାରିବେ।

LEAVE A REPLY

Please enter your comment!
Please enter your name here