ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜକୁମାର ରାଓଙ୍କଠାରୁ ଆରମ୍ଭ କରି ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଅଭିନେତା ବିନା ଗଡଫାଦରରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

ବଲିଉଡ଼ରେ କେହି ସମ୍ପର୍କୀୟ ବା ପରିଚିତ ନଥାଇ ବି ଅନେକ କଳାକାର ଢ଼େର ସଫଳତା ହାସଲ କରିଥାନ୍ତି। ଏଭଳି ପାଞ୍ଚଜଣ ୟଙ୍ଗଷ୍ଟାରଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଆସନ୍ତୁ ସେହି ଯୁବ କଳାକାରଙ୍କ ସମ୍ପର୍କରେ ଜାଣିବା…

ରାଜ କୁମାର ରାଓ

ରାଷ୍ଟ୍ରୀୟ ପୁରସ୍କାର ଓ ଫିଲ୍ମ ଫେଆର୍ ଆୱାର୍ଡ ହାସଲ କରିଥିବା ରାଜକୁମାର ରାଓ ଆଜି ସମୟର ଜଣେ ଚର୍ଚ୍ଚିତ ଓ ସଫଳ କଳାକାର। ତାଙ୍କ ପ୍ରଥମ ସିନେମା ହେଲା ‘ଲଭ୍ ସେକ୍ସ ଔର୍ ଧୋକା’। ଏହାପରେ ସେ ‘ସାହିଦ୍’, ‘କୁଇନ୍’, ‘ସିଟି ଲାଇଟ୍ସ’, ‘ଆଲିପଡ଼’, ‘ଟ୍ରାପଡ୍’, ‘ନିଉଟନ୍’ ଏବଂ ‘ବରେଲି କି ବର୍ଫି’ ଭଳି ସିନେମାରେ ନଜର ଆସିଛନ୍ତି। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ପାସ୍ ହେବା ପରେ ରାଜକୁମାର ବଲିଉଡ଼ରେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି।

ରାଧିକା ଆପ୍‌ଟେ

ରାଧିକା ମଞ୍ଚରେ ଅଭିନୟ କରି  ସିନେମା ଜଗତରେ ପାଦ ଥାପିଥିଲେ । ତେବେ ୨୦୦୫ରେ ରିଲିଜ୍ ହୋଇଥିବା ‘ୱାବ ଲାଇଫ୍ ହୋ ତୋ ଐସି’ ହେଲା ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା। ତା’ପରେ ରାଧିକା ‘ସୋର୍‌ଇନ୍‌ ଦ ସିଟି’, ‘ରକ୍ତ ଚରିତ୍ର’, ‘ବଦ୍‌ଲାପୁର’, ‘ମାଟି’ ଏବଂ ‘ପ୍ୟାଡମ୍ୟାନ୍’ ଭଳି ହିନ୍ଦୀ ସିନେମାରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଜଣେ ଭିନ୍ନ ଧରଣର ନାୟିକା ଭାବେ ବେଶ୍ ସଫଳତା ସାଉଁଟିଛନ୍ତି।

ଆୟୁଷ୍ମାନ୍ ଖୁରାନା

ଆୟୁଷ୍ମାନ ଖୁରାନା  ବଲିଉଡ଼ର ଏବେ ଜଣେ ସଫଳ ନାୟକ। ହେଲେ ଆପଣ କ’ଣ ଜାଣନ୍ତି କି ସେ ଏକ ଟେଲିଭିଜନ ରିଆଲିଟି ସୋ’ରେ ପ୍ରତିଯୋଗୀ ଭାବେ ଗ୍ଲାମର ଲାଇନରେ ପ୍ରବେଶ କରିଥିଲେ। ଏହା ପରେ ଆୟୁଷ୍ମାନ୍‌ ‘ମାନ୍ ନା ମାନ୍ ମେଁ ତେରା ଆୟୁଷ୍ମାନ’ ନାମକ ଏକ ସୋ’ରେ ରେଡିଓ ଜକି ଭାବେ ଲୋକପ୍ରିୟତା  ଅର୍ଜନ କରିଥିଲେ। ୨୦୧୨ରେ ରିଲିଜ୍‌ ହୋଇଥିବା ସୁଜିତ ସରକାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍’ ଜରିଆରେ ବଲିଉଡ଼ ଡେବ୍ୟୁ କରିଥିଲେ ସେ। ଏହା ସୁପରହିଟ୍ ହୋଇଥିଲା। ତା’ପରେ ‘ବରେଲି କି ବର୍ଫି’, ‘ଶୁଭ ମଙ୍ଗଳ ସାବଧାନ୍’ ଓ ‘ଦମ୍ ଲଗାକେ ହୈସା’ ଆଦି ସିନେମାରେ ନାୟକ ଭୂମିକାରେ ଅଭିନୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଆୟୁଷ୍ମାନ ଜଣେ ଗାୟକ, ଗୀତିକାର ଓ ସଙ୍ଗୀତକାର ମଧ୍ୟ।

ଭୂମି ପେଡ଼େନକର୍

ବଲିଉଡ଼ର ଜଣେ ନିଆରା ନାୟିକା ହେଲେ ଭୂମି ପେଡେନକର। ୟଶରାଜ ଫିଲ୍ମସ କମ୍ପାନିରେ ଜଣେ କାଷ୍ଟିଂ ଡାଇରେକ୍ଟର ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ସେ। ଭୂମି ‘ଦମ୍ ଲଗାକେ ହୈସା’ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରି ବଲିଉଡରେ ସଫଳତା ହାସଲ କରିଥିଲେ। ଏହା ପରେ ଅକ୍ଷୟ କୁମାରଙ୍କ ସହିତ ବହୁ ଚର୍ଚ୍ଚିତ ସିନେମା ‘ଟଏଲେଟ୍-ଏକ ପ୍ରେମ୍ କଥା’ରେ ନଜର ଆସିଥିଲେ ଭୂମି ପେଡେନକର। ଏହା ବି ସୁପରହିଟ ହେଲା। ତା’ ପରେ ତାଙ୍କୁ ‘ଶୁଭ ମଙ୍ଗଲ ସାବଧାନ’ ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି। ଖୁବଶୀଘ୍ର ଭୂମିଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ସୋନ୍ ଚିରିୟା ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ସିନେପ୍ରେମୀ।

ସୁଶାନ୍ତ ସିଂହ ରାଜପୁତ

ଅଧାରେ ଆଇଆଇଟି ଛାଡ଼ିଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଅଭିନୟ ନିଶାରେ ପ୍ରଥମେ ମଞ୍ଚରେ କାମ କରିଥିଲେ। ସେ ନାଜିରା ବବରଙ୍କ ‘ଏକଜୁଟ୍’ ଥିଏଟର ଗ୍ରୁପ୍‌ରେ ପ୍ରାୟ ଅଢ଼େଇ ବର୍ଷ ଯାଏଁ କାମ କରିଥିଲେ। ୨୦୦୯ ମସିହାରେ ସୁଶାନ୍ତଙ୍କୁ ଜୀ’ଟିଭିରେ ପ୍ରସାରିତ ମେଗା ଧାରାବାହିକ “ପବିତ୍ର ରିସ୍ତା”ରେ ନାୟକ ଭୂମିକା ନିଭାଇବାର ସୁଯୋଗ ମିଳିଥିଲା। ଏଥିରେ ଅଭିନୟ କରିବା ପରେ ସେ ରାତାରାତି ଷ୍ଟାର୍ ବନିଯାଇଥିଲେ।

୨୦୧୧ରେ ସୁଶାନ୍ତ  ସିଂହ ରାଜପୁତ ‘ପବିତ୍ର ରିସ୍ତା’କୁ ଅଲବିଦା କରି ଅଭିଷେକ କପୁରଙ୍କ ଫିଲ୍ମ ‘କାଇପୋଚେ’ରେ ନାୟକ ଭୂମିକା ନିଭାଇଥିଲେ। ଏହା ମଧ୍ୟ ହିଟ୍ ହେଲା। ତା’ପରେ ତାଙ୍କୁ ‘ଏମ୍ ଏସ ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’, ‘ରାବ୍‌ତା’ ଆଜି ଫିଲ୍ମରେ ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ଅଭିନୀତ ‘ଡ୍ରାଇଭ୍’, ‘କେଦାରନାଥ୍’ ଓ ‘ଚମ୍ବଲ୍’ ଆଦି ସିନେମା ରିଲିଜ୍ ଅପେକ୍ଷାରେ ରହିଛି।

Comment