ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହୋଇଛି ‘ଅକ୍ଷର’ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। 

  • ୧୦ ଦିନ ଧରି ଚାଲିଲା ପୁସ୍ତକ ମହୋତ୍ସବ
  • ମେଳାରେ ଥିଲା ୫୦୦ ଷ୍ଟଲ୍‌
  • ବିଶେଷ ଆକର୍ଷଣ ସାଜିଥିଲା ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଷ୍ଟଲ
  • ଡିସେମ୍ବର ୬ରେ ଆରମ୍ଭ ହୋଇଥିଲା ପୁସ୍ତକ ମହୋତ୍ସବ
  • ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭାଙ୍ଗି ଯାଉଥିବା ଆସ୍ଥା ଓ ବିଶ୍ୱାସକୁ ଫେରାଇ ଆଣିବା ସହିତ ଜୀବନକୁ ଆଗକୁ ନେବାରେ ପୁସ୍ତକ ସହାୟକ ହୋଇଥାଏ ବୋଲି ବାର୍ତ୍ତା ଦେଇ ବିଦାୟ ନେଇଛି ୨ୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ଧରି ଆୟୋଜିତ ପସ୍ତକ ମେଳା ସବୁ ଦୃଷ୍ଟିରୁ ବେଶ ସଫଳ ହୋଇଛି। ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, କଳିଙ୍ଗ ପୁସ୍ତକ ମେଳା ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ମିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ୫ ଶହ ଷ୍ଟଲ ରହିଥିଲା। ଓଡ଼ିଶା ସାହିତ୍ୟ ଏକାଡେମି, ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗନ୍ଥାଗାର, ରାଜ୍ୟ ସଂଗ୍ରହାଳୟର ଷ୍ଟଲ ଖୋଲାଯାଇଥିଲା।

ଏଥର ମେଳାର ବିଶେଷ ଆକର୍ଷଣ ସାଜିଥିଲା ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଷ୍ଟଲ। ଏଥିରେ ଗାନ୍ଧିଜୀଙ୍କ ପିଲା ବେଳର ଫଟୋଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବହୁ ବିରଳ ଫଟୋ ସହ ପୁସ୍ତକ ଓ ନଥି ପ୍ରଦର୍ଶିତ ହୋଇଥିଲା।

ପ୍ରତିଦିନ ମେଳାରେ ପାଠକଙ୍କ ଭିଡ଼ ଲାଗୁଥିବା ବେଳେ ରାତି ଦଶଟା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ପାଠକ ନିଜ ନିଜ ସ୍ୱାଦକୁ ନେଇ ଷ୍ଟଲ ଷ୍ଟଲ ବୁଲି ବହି ଖୋଜିବା, ବହି କଣି ସାଥିରେ ଧରି ଘରକୁ ଯିବାର ଦୃଶ୍ୟ ମେଳାରେ ଉପସ୍ଥିତ ପ୍ରତିଟି ପୁସ୍ତକପ୍ରେମୀଙ୍କୁ ଉତ୍ସାହିତ କରିଥିଲା। ଏଥି ସହିତ ସଂଧ୍ୟାରେ ମେଳା ପରିସରରେ ସାହିତ୍ୟିକ, ଲେଖକ, ପ୍ରକାଶକ, ବିକ୍ରେତା ଓ ପାଠକଙ୍କୁ ନେଇ ହେଉଥିବା ସାରଗର୍ଭକ ଆଲୋଚନା ମଧ୍ୟ ପୁସ୍ତକ ମେଳାକୁ ଅଧିକ ସଫଳ କରି ପାରିଥିଲା।

ଡିସେମ୍ବର ୬ ତାରିଖରେ ରାଜ୍ୟ ତଥା ରାଜ୍ୟ ବାହାରର ପୁସ୍ତକ ପ୍ରକାଶକ, ବିତରକ, ପାଠକ, ବୁଦ୍ଧିଜୀବୀଙ୍କ ମହାକୁମ୍ଭ ଭାବେ ପରିଚିତ ଏହି ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏହି ପୁସ୍ତକ ମହୋତ୍ସବ ଗାନ୍ଧିଜୀଙ୍କ ପ୍ରତି ସମର୍ପିତ ହୋଇଥିଲା।

ମହୋତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘‘ଗାନ୍ଧିଜୀଙ୍କ ପ୍ରତିଟି ଲେଖା ମାନବତାର ବାର୍ତ୍ତା ଦେଉଥିଲା। ଆଜିର ଯୁବପିଢ଼ି ଗାନ୍ଧୀଜୀ ଓ ତାଙ୍କ ଆଦର୍ଶକୁ ପଢ଼ି, ଜାଣି ଓ ବୁଝି ଶ୍ରେଷ୍ଠ ବିଶ୍ୱ ଗଢ଼ିବା ଦିଗରେ କାମ କରିବା ଦରକାର।”

ଚଳିତବର୍ଷ ମହୋତ୍ସବକୁ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଯାଇଛି। ଆସନ୍ତାବର୍ଷ ଓଡ଼ିଶାର ତଥା ଭାରତବର୍ଷର କୌଣସି ପ୍ରସିଦ୍ଧ ସାରସ୍ୱତ ସାଧକଙ୍କ ଉଦ୍ଦେଶ୍ୟରେ ପୁସ୍ତକ ମହୋତ୍ସବ ଉତ୍ସର୍ଗ କରାଯିବ। ଏହା ଛଡ଼ା ପୁସ୍ତକ ମହୋତ୍ସବ ସହିତ ଏକ ସାହିତ୍ୟ ମହୋତ୍ସବର ଆୟୋଜିତ ହେବ। ଏହା ଦ୍ୱାରା ପୁସ୍ତକ ମହୋତ୍ସବ ଆହୁରି ଆକର୍ଷଣୀୟ ହୋଇ ପାରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଥିଲେ।

ପୁସ୍ତକ ହେଉଛି ବିଶ୍ୱକୁ ଗବାକ୍ଷ ସଦୃଶ। ଏହାକୁ ପାଠ କରି ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣର ଅନୁଭବ ମିଳିଥାଏ। ପୁସ୍ତକର ଚିରନ୍ତନ ଆବେଦନ ଚିରକାଳ ସ୍ୱୀକାର୍ଯ୍ୟ ବୋଲି ବିଶିଷ୍ଟ କଥାକାର ତଥା ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ କହିଥିଲେ।

ଏହି ଅବସରରେ ପୁସ୍ତକକୁ ଶ୍ରେଷ୍ଠ ବନ୍ଧୁ ବୋଲି କହିବା ସହିତ ପୁସ୍ତକ କେବେ ବି ପାଠକ ସହ ବିଶ୍ୱାସଘାତକତା କରେ ନାହିଁ ବୋଲି ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ କହିଥିଲେ।

‘‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ନିଶ୍ଚିତ ଭାବେ ଏକ ପାଠକୀୟ ପରିବେଶ ସୃଷ୍ଟି କରିବ। ଏଥି ସହିତ ରାଜଧାନୀରେ ଏଭଳି ମେଳାର ନିହାତି ଆବଶ୍ୟକ ରହିଛି। ଗୋଟିଏ ପ୍ଲାଟଫର୍ମରେ ଜରୁରୀ ପୁସ୍ତକ ମିଳିବା ନିଶ୍ଚିତ ଭାବେ ବଡ଼ କଥା। ପୂର୍ବ ମେଳା ତୁଳନାରେ ଏହି ମେଳା ଯଥେଷ୍ଟ ବଡ଼ ହୋଇଥିବାରୁ ଏହା ପାଠକଙ୍କ ଚାହିଦା ପୂରଣରେ ସଫଳ ହେବ’’, ଜଗନ୍ନାଥ ସାମଲ କହିଛନ୍ତି।

ଅନ୍ୟ ଜଣେ ପାଠକ ସୁଜାତା ମୁଦୁଲି କହିଛନ୍ତି, ‘‘ଅନେକ ପୁରୁଣା ପୁସ୍ତକ ସହିତ ଅନ୍ୟ ସ୍ଥାନରେ ମିଳୁ ନ ଥିବା ବହି ପୁସ୍ତକ ମହୋତ୍ସବରେ ମିଳୁଛି। ଏ ସବୁ ବହିକୁ ଦେଖିଲେ ତାକୁ ପଢ଼ିବାକୁ ଇଛା ହେଉଛି। ବିଶେଷକରି ଛୋଟ ପିଲାଙ୍କ ବହି ବେଶ ଉପଯୋଗୀ।’’

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହି ଅବସରରେ ରାଜ୍ୟପାଳ କହିଥିଲେ, ‘‘ଅନ୍ଧକାରରୁ ଆଲୋକ ଆଡ଼କୁ ଦିଶା ଦେଇଥାଏ ପୁସ୍ତକ। ଭାରତ ଓ ଭାରତୀୟ ପୁସ୍ତକ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇ ଆସୁଛି।’’

ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ପୁସ୍ତକ ମେଳାକୁ ଆହୁରି ପରିବ୍ୟାପ୍ତ କରିବା ସହିତ ଏହାକୁ ଅଧିକ ସମୟ ଧରି ଆୟୋଜନ କରାଯିବା ଦରକାର। ଏଥି ସହିତ ବିଭିନ୍ନ ବିଦ୍ୟାଳୟ ସହିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦଳଗତ ଭାବେ ମହୋତ୍ସବକୁ ବୁଲିବାକୁ ଆସିବାକୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ।

ଉଦ୍‌ଯାପନୀ ସଂଧ୍ୟାରେ ଅନ୍ୟତମ ଅତିଥି ଭାବେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ କହିଥିଲେ ଯେ, ଜୀବନର ଅଭିନ୍ନ ଅଙ୍ଗ ହେଉଛି ପୁସ୍ତକ। ବିନା ପୁସ୍ତକରେ ଘର ଅସମ୍ପୂର୍ଣ୍ଣ। ସବୁରି ମୂଳରେ ରହିଛି ଶିକ୍ଷା। ପୁସ୍ତକ ମାଧ୍ୟମରେ ଏହା ସମ୍ଭବ। ଆଗକୁ ଏହି ମହୋତ୍ସବକୁ ପରିବ୍ୟାପ୍ତ କରାଯିବା ସହିତ ଯେଭଳି ଭାବେ ଏହା ଦେଶର ଏକ ନମ୍ବର ହୋଇପାରିବ। ସେ ନେଇ ସମସ୍ତ ଉଦ୍ୟମ ହେଉଛି ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ।

ସତ କହିଲେ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଏଥର ବେଶ୍‌ ଜମିଲା। ପ୍ରତି ସଂଧ୍ୟାରେ ଭିଡ଼ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଜା ନେଲେ ପାଠକ ଓ ବୁଦ୍ଧିଜୀବୀ। କିଏ ପୁସ୍ତକ କିଣା କିଣି କରି ସମୟ ବିତାଇ ଦେଲା ତ ଆଉ କିଏ ସାରସ୍ୱତ ଆଲୋଚନାରେ ନିଜକୁ ମଜେଇ ଦେଇଥିଲା। ପ୍ରତି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆହୁରି ସୁନ୍ଦର କରି ଗଢ଼ି ତୋଳିଥିଲା ଏଥର ପୁସ୍ତକ ମହୋତ୍ସବକୁ।

Comment