ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୦ ଦିନ ଧରି ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଯୋଗଦେଇ କହିଥିଲେ ଯେ, ଅନ୍ଧକାରରେ ଆଲୋକ ଦେଖାଇଥାଏ ପୁସ୍ତକ। ଭାରତରେ ଯାହା ବି ଅଛି ତାହା ଅନ୍ୟ କେଉଁ ଦେଶରେ ନାହିଁ। ଭାରତ ଓ ଭାରତୀୟ ପୁସ୍ତକ ସମଗ୍ର ବିଶ୍ୱକୁ ଦିଗ୍‌ଦର୍ଶନ ଦେଇ ଆସିଛି।

ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଶେଷ ସନ୍ଧ୍ୟାରେ ସମସ୍ତ ଷ୍ଟଲ ମଧ୍ୟ ବୁଲି ଦେଖିଥିଲେ ରାଜ୍ୟପାଳ।

ଏହି ଅବସରରେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ, ‘‘ପୁସ୍ତକ ବିନା ଘର ଅସମ୍ପୂର୍ଣ୍ଣ। ପୁସ୍ତକରୁ ହିଁ ଜଣେ ଶିକ୍ଷା ଲାଭ କରିପାରିବ।’’

କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ସ୍ଵାଧୀନତା ସଂଗ୍ରାମ ସମୟରେ ସାହିତ୍ୟର ଗୁରୁତ୍ୱ ଅଧିକ ଥିଲା। ଉତ୍କଳମଣୀ ଗୋପବନ୍ଧୁ ଦାସ ମଧ୍ୟ ସାହିତ୍ୟରେ ବାର୍ତ୍ତା ଦେଉଥିଲେ। ଶ୍ରୀ ପଟ୍ଟନାୟକ ସାହିତ୍ୟ ଲେଖା ମାଧ୍ୟମରେ ଦେଶକୁ ଆଗେଇ ନେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡକ୍ଟର ଜୟନ୍ତୀ ରଥ ଉପସ୍ଥିତ ଥିଲେ।

ଏହି ଅବସରରେ ପୁସ୍ତକ ‘ପୁରୀ ବୋଲି’, ‘ମୁଁ ସ୍ୱାତୀ ମହାପାତ୍ର’, ‘ନୀଳ ଜହ୍ନ’, ଏବଂ ‘ୟୁରୋପ’ ବିଷୟ ଉନ୍ମୋଚିତ ହୋଇଥିଲା।

Comment