କପିଳାସ ଭୂୟାଁ

ସର୍ବଭାରତୀୟ ଦୃଷ୍ଟିରୁ ବିଚାର କଲେ ଗତ ଶତାବ୍ଦୀର ଅଶି ଦଶକ ପର୍ଯ୍ୟନ୍ତ କେବଳ କଲିକତା ବହି ମେଳାକୁ ଛାଡ଼ି ଦେଲେ ଅନ୍ୟ କୌଣସି ରାଜ୍ୟରେ ପୁସ୍ତକ ମେଳା ଆୟୋଜନ କରିବା ପରମ୍ପରା ଆରମ୍ଭ ହୋଇନଥିଲା। ତେବେ ଦେଶରେ ପୁସ୍ତକ ବିକ୍ରି ଓ ପଠନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ‘ନାସନାଲ ବୁକ ଟ୍ରଷ୍ଟ’ ପକ୍ଷରୁ ଯଥାସାଧ୍ୟ ପଦକ୍ଷେପ ନିଆଯାଉଥିଲା। ମଧ୍ୟ-ଅଶି ଦଶକରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ସର୍ବପ୍ରଥମ ଆତର୍ଜାତୀୟ ପୁସ୍ତକ ମେଳାର ଆୟୋଜନ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଓଡ଼ିଶାର କୌଣସି ପୁସ୍ତକ ପ୍ରକାଶକ ଓ ବିକ୍ରେତା ସେଥିରେ ଭାଗ ନେବାକୁ ଯାଉନଥିଲେ।

ଉଲ୍ଲେଖନୀୟ କି ସେହି ମଧ୍ୟ-ଅଶି ଦଶକ ବେଳକୁ ଓଡ଼ିଶା ପରି କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଭଳି ରାଜ୍ୟଗୁଡ଼ିକରେ ପୁସ୍ତକ ମେଳା ମଧ୍ୟ ଆୟୋଜନ ଆରମ୍ଭ ହେବାରେ ଲାଗିଲା। ତେବେ ‘କଲିକତା ବହି ମେଳା’ ଆମ ଦେଶ ଭିତରେ ସର୍ବ-ବୃହତ ପୁସ୍ତକ ମେଳା ଥିଲା ଓ ଏବେ ବି ସେହି ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିଛି। ତେଣୁ ‘ଭୁବନେଶ୍ଵର ପୁସ୍ତକ ମେଳା’ ଆୟୋଜକମାନଙ୍କ ପାଇଁ ‘କଲିକତା ବହି ମେଳା’ ହିଁ ଥିଲା ଅନୁସରଣ କରିବାର ମଡେଲ, ଯାହାକୁ ପ୍ରତି ବର୍ଷ ସେଠାକାର ‘ପବ୍ଲିସର୍ସ ଆଣ୍ଡ ବୁକ ସେଲର୍ସ ଗିଲ୍ଡ’ ଆୟୋଜନ କରେ। ତେଣୁ ସେମାନେ ଏଠାରେ ମଧ୍ୟ ସେହି ଢାଞ୍ଚାରେ ଗୋଟିଏ ମେଳା କମିଟି ମାଧ୍ୟମରେ ପ୍ରତି ବର୍ଷ ‘ଭୁବନେଶ୍ଵର ପୁସ୍ତକ ମେଳା’ ଆୟୋଜନ କରି ଆସୁଥିଲେ। କିନ୍ତୁ ‘ରାଜଧାନୀ ପୁସ୍ତକ ମେଳା’ର ଆୟୋଜନ ଓ ପ୍ରସାର ହେବା ସହ ସେହି ପୁରୁଣା ପୁସ୍ତକ ମେଳାଟି କାଳକ୍ରମେ ତା’ର ଚମକ ହରେଇବାରେ ଲାଗିଲା।

ଏଠାରେ ମନକୁ ପ୍ରଶ୍ନଟିଏ ଆସେ ଯେ, ଆମ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଚାରି ଚାରିଟି ପୁସ୍ତକ ମେଳା ସହ ପୁରୀରେ ‘ଶ୍ରୀକ୍ଷେତ୍ର ପୁସ୍ତକ ମେଳା ତଥା ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଏକାଧିକ ପୁସ୍ତକ ମେଳା ଆୟୋଜନ ହେବାର କାରଣ କ’ଣ? ଏହା ସ୍ପଷ୍ଟ ଅନୁମେୟ ଯେ ଆୟୋଜକମାନଙ୍କ ପାଇଁ ଅତି ସହଜରେ ଏକ ସାମାଜିକ ଓ ସାରସ୍ଵତ ଆତ୍ମପରିଚୟ ଆଣି ଦେବା ପାଇଁ ପୁସ୍ତକ ମେଳା ଏକ ସହଜ ରାସ୍ତା ନୁହେଁ କି?

ସେ ଯାହା ବି ହେଉ, ରାଜ୍ୟ ସ୍ତରୀୟ ଏହିସବୁ ପୁସ୍ତକ ମେଳା ସମୟାନୁକ୍ରମେ ଉଠାପକା ହେଇ ଚାଲିଥିବାବେଳେ ୨୦୧୮ ମସିହାରେ ସରକାର ସେହି ଆୟଜନରେ ମୁଣ୍ଡ ପୁରେଇବାକୁ ନିଷ୍ପତ୍ତି ନେଲେ। ତଦନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଗୁଡ଼ିକ ପୁସ୍ତକ ମେଳାକୁ ମିଶାଇ ଗୋଟିଏ ବଡ଼ ଧରଣର ବିଶ୍ଵସ୍ତରୀୟ ପୁସ୍ତକ ମେଳା ଆୟୋଜନ କରିବାକୁ ପଦକ୍ଷେପ ନିଆଗଲା। କିନ୍ତୁ କୌଣସି ପୁସ୍ତକ ମେଳା କମିଟି ସେଥିରେ ସହମତ ହେଲେ ନାହିଁ। କେହି କେହି କହିଲେ ଯେ, ସରକାର ନିଜେ ମୁଣ୍ଡ ନପୁରାଇ ସହଯୋଗ କରନ୍ତୁ। ଏହା ନିଶ୍ଚୟ ଏକ ଯୁକ୍ତିଯୁକ୍ତ କଥା। କାରଣ ସରକାର ଯଦି ପ୍ରଥମରୁ ପୁସ୍ତକ ମେଳା ଆୟୋଜନ କରୁଥାନ୍ତେ, ତେବେ ଅନ୍ୟମାନେ ଏ ବାବଦରେ କେବେ ବି ମୁଣ୍ଡ ଖେଳେଇ ନଥାନ୍ତେ। କିନ୍ତୁ ସମୟ କ୍ରମେ ଏହା ଏକ  ସାଂସ୍କୃତିକ ପରମ୍ପରା ହୋଇଗଲା ପରେ ସରକାର କାହିଁକି କର୍ତୃତ୍ତ୍ଵ ଦେଖାଉଛନ୍ତି?

ଅବଶ୍ୟ ସରକାର ମୁଣ୍ଡ ଖେଳେଇବା ପଛରେ ଗୋଟିଏ ବଡ଼ ଉଦ୍ଦେଶ୍ୟ ରହିଛି। ଛୋଟକୁ ମାରିବା ଓ ବଡ଼ିମା ଦେଖେଇବା! ପ୍ରକୃତରେ ଫଳ ତାହା ହିଁ ହେଲା। ଓଡ଼ିଶାର ସର୍ବ ପୁରାତନ ‘ଭୁବନେଶ୍ଵର ପୁସ୍ତକ ମେଳା’ ସରକାରଙ୍କ ବିଶ୍ଵସ୍ତରୀୟ ସ୍ଵପ୍ନ ତଳେ ପୋତି ହେଇଗଲା। ୨୦୧୮ରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ‘ଅକ୍ଷର’ ପୁସ୍ତକ ମହୋତ୍ସବ। ଏବର୍ଷ ଚତୁର୍ଥ ବର୍ଷ, କିନ୍ତୁ କୋଭିଡ ମହାମାରୀ ପାଇଁ ମଝିରେ ୨୦୨୧ରେ ଆୟୋଜିତ ହୋଇ ପାରି ନଥିଲା। ତେଣୁ ଖ୍ୟାତନାମା ସ୍ତମ୍ଭକାର ଅସିତ ମହାନ୍ତି ତାଙ୍କ ‘ପୁସ୍ତକ ମେଳା ପିଠାକଳି’ ଲେଖାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି –

“… ୨୦୨୧ରେ ମେଳା ପାଇଁ ସମସ୍ତ ଆୟୋଜନ ସରିଥିଲା; କିନ୍ତୁ ମେଳା ଆରମ୍ଭ ହେବାର ମାତ୍ର ଦୁଇଦିନ ପୂର୍ବରୁ ସରକାର ସେହି ମେଳାକୁ ବାତିଲ କରିଦେଲେ। କିନ୍ତୁ ଆଶ୍ଚର୍ଯ୍ୟ ଯେ ସେହି ମେଳାକୁ ‘ତୃତୀୟ ରାଜ୍ୟ ପୁସ୍ତକ ମହୋତ୍ସବ’ ‘ଅକ୍ଷର’ ବୋଲି ଗ୍ରହଣ କରାଯାଇ ଏ ବର୍ଷ ଆୟୋଜିତ ହୋଇଛି ଚତୁର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ। ଜରାୟୁରେ ମୃତ ଏକ ସନ୍ତାନକୁ ଆମ ରାଜ୍ୟ ସରକାର ଯେ ଏକ ସନ୍ତାନ ରୂପେ ପରିଗଣନା କରୁଛନ୍ତି, ଏହା ହିଁ ଆଶ୍ଚର୍ଯ୍ୟ।”

କହିବା କଥା ହେଲା ଯେ ଏବେ ସମୟ ବଦଳି ଗଲାଣି। ବୈଷୟିକ ଅଭିବୃଦ୍ଧି ଓ ଅନଲାଇନ ସରଫିଙ୍ଗରେ ନୂଆପିଢ଼ିର ଯୁବ ବର୍ଗ ଏତେ ନିମଗ୍ନ ରହୁଛନ୍ତି ଯେ ବହିପଢ଼ା ସଂସ୍କୃତିରେ ଶିଥିଳତା ଆସିଯାଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଏଭଳି ସ୍ଥିତିରେ ପଠନ ଅଭ୍ୟାସକୁ ଜାରି ରଖିବା କ୍ଷେତ୍ରରେ ବହି ମେଳାର ଗୋଟିଏ ଗୁରତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ପୁସ୍ତକ ମେଳାର ଆୟୋଜନରେ କୌଣସି ବାଧା ସୃଷ୍ଟି କରିବା ଗ୍ରହଣୀୟ ନୁହେଁ। 

ସରକାର ବିଶ୍ଵ ଭାବନା ରଖନ୍ତୁ, ସେଥିକୁ ମନା ନାହିଁ। କିନ୍ତୁ ସ୍ଥାନୀୟକୁ ଗୁରୁତ୍ଵ ଦିଅନ୍ତୁ। ‘ଅକ୍ଷର’କୁ ଗୋଟିଏ ସର୍ବୋତ୍କୃଷ୍ଟ ପୁସ୍ତକ ମହୋତ୍ସବ ରୂପେ ନିଶ୍ଚୟ ଆୟୋଜନ କରନ୍ତୁ। କିନ୍ତୁ ସେହି ଆୟୋଜନରେ ଯେତେ ସମ୍ଭବ କମ ମୁଣ୍ଡ ଖେଳାନ୍ତୁ।

ଏହା କରିବାକୁ ହେଲେ ରାଜ୍ୟରେ ପୁସ୍ତକ ପ୍ରକାଶନ ଓ ପ୍ରସାରଣ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ନେଇ ଗୋଟିଏ ରାଜ୍ୟସ୍ତରୀୟ ପୁସ୍ତକ କମିଟି ଗଠନ କରନ୍ତୁ – ସେହି କମିଟି ହାତରେ କେବଳ ଭୁବନେଶ୍ଵରରେ ନୁହେଁ, ବରଂ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷର ନିର୍ଦ୍ଧିଷ୍ଟ ସମୟରେ ପୁସ୍ତକ ମେଳା ଆୟୋଜନ କରିବାର ଦାୟିତ୍ଵ ନ୍ୟସ୍ତ କରନ୍ତୁ। ସେହିସବୁ ଆୟୋଜନକୁ ସୁଗମ କରିବା ପାଇଁ ଭିତ୍ତିଭୂମି ଓ ସହଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରନ୍ତୁ ଓ ଅନ୍ୟ ସବୁ କଥା ବୁଝିବା ଦାୟିତ୍ଵ କମିଟି ହାତରେ ଛାଡ଼ି ଦିଅନ୍ତୁ।

ଆଉ ଗୋଟିଏ କଥା ହେଲା ଯେ ମହୋତ୍ସବ ନୁହେଁ, ନାମକରଣକୁ ପୂର୍ବ ଭଳି ପୁସ୍ତକ ମେଳା ହିଁ ରଖନ୍ତୁ। ସରକାର କ’ଣ ଏକଥା କେବେ ବୁଝିପାରିବେ?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ସଂପୂର୍ଣ୍ଣ ନିଜସ୍ଵ।)

Tags: #BookFair #BhubaneswarBookFair #FirstBookFair #Books #Readers #Publisher

Comment