ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଡିସେମ୍ବର ୨୪ ତାରିଖରେ ୧୬ତମ ‘ଉତ୍‍ସାହିତ୍ୟ’ ଉତ୍ସବ ଆୟୋଜିତ ହେବ। ଏଥିରେ କୃଷ୍ଣ କୁମାର ମହାନ୍ତିଙ୍କ ପୁସ୍ତକ ‘ରୁବି ରାଏ’କୁ ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପ୍ରଦାନ କରାଯିବ। ଚଳିତ ବର୍ଷ କବିତା ବିଭାଗରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ହୋଇଥିବା ଏହି ପୁସ୍ତକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ସେହିପରି କାର୍ଯ୍ୟକ୍ରମରେ ଫିଚର୍ ବିଭାଗରେ କ୍ଷୀରୋଦ ପରିଡ଼ାଙ୍କ ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’, ଗଳ୍ପ ବିଭାଗରେ ବିୟତ୍‍ପ୍ରଜ୍ଞା ତ୍ରିପାଠୀଙ୍କ ‘ଶ୍ରେଷ୍ଠ ଗଳ୍ପ’ ଏବଂ ଉପନ୍ୟାସରେ ଦେବବ୍ରତ ଦାସଙ୍କ ‘ଠ’ ପୁସ୍ତକକୁ ପୁରସ୍କାର ମିଳିବ।

ଅନ୍ୟପଟେ ଗାଳ୍ପିକା ମହାଶ୍ଵେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ‘ଟାଇମପାସ୍‍ ବୁକର ପୁରସ୍କାର’ ପ୍ରଦାନ କରାଯିବ। ଏହାସହ କାର୍ଯ୍ୟକ୍ରମରେ ପୁରସ୍କୃତ ଏହି ପାଣ୍ଡୁଲିପିଟିକୁ ପୁସ୍ତକ ଆକାରରେ ଲୋକାର୍ପିତ କରାଯିବ।

ଏହାସହ ଓଡ଼ିଆ ପୁସ୍ତକ ତଥା ସାହିତ୍ୟର ପ୍ରଚାରପ୍ରସାର ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କରୁଥିବା ସରଳ କୁମାର ଦାସଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

ଏହି ଉତ୍ସବରେ ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର ଏବଂ ପ୍ରଶ୍ନୋତ୍ତର ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଟାଇମପାସ ଦ୍ୱାରା ଆୟୋଜିତ ଏହି ‘ଉତ୍‍ସାହିତ୍ୟ’ ଉତ୍ସବରେ ଅନେକ ଯୁବ କବି ତଥା ସାହିତ୍ୟିକମାନଙ୍କୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ବିଶିଷ୍ଟ ବଙ୍ଗଳା ଲେଖକ ଜୟନ୍ତ ଦେଙ୍କ ସମେତ ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠ ଓ ତରୁଣ ଲେଖକ ଯୋଗଦେବେ।

Tags: #Utsahitya #LiteraryProgramme #Literature #Books #Odisha

LEAVE A REPLY

Please enter your comment!
Please enter your name here