କପିଳାସ ଭୂୟାଁ

ଦୁଇ ବର୍ଷର ବ୍ୟବଧାନରେ ଆୟୋଜିତ ରାଜ୍ୟସ୍ତରୀୟ ଚତୁର୍ଥ ରାଜ୍ୟ ‘ଅକ୍ଷର’ ପୁସ୍ତକ ମହୋତ୍ସବ ବା ବହି ମେଳା ଗତ ରବିବାର ସନ୍ଧ୍ୟାରେ ସମାପ୍ତ ହୋଇଯାଇଛି। ମେଳା ଦିନଗୁଡିକରେ ପ୍ରବଳ ଜନ ଗହଳିରୁ ଗୋଟିଏ କଥା ସ୍ପଷ୍ଟ ଅନୁମେୟ ଯେ ବର୍ଷକୁ ଅନ୍ତତଃ ଥରେ ଏହି ମେଳା ନିଶ୍ଚୟ ଏକ ସାମାଜିକ ଆବଶ୍ୟକତା। ମେଳା ପରିସରରେ ବହିମାନଙ୍କ ସହ ସମୟ କାଟିବା ଓ ସାରସ୍ଵତ ମାନସିକତା ଥିବା ବନ୍ଧୁମାନଙ୍କ ସହ କିଛିଟା ସାହିତ୍ୟ ଆଲୋଚନା କରିବା ଠାରୁ ଜୀବନ ବଞ୍ଚିବାର ମହତ୍ତର ଉଦ୍ଦେଶ୍ୟ ଆଉ ବା କଣ ହୋଇପାରେ?

ଏହି ପରିପ୍ରେକ୍ଷୀରେ ରାଜଧାନୀପୁସ୍ତକ ମେଳାର ଆରମ୍ଭ ଓ ଅଭିବୃଦ୍ଧି ସମ୍ପର୍କରେ କିଛିଟା ଆଲୋଚନା କରାଯାଇ ପାରେ। ଚାରି ଦଶନ୍ଧି ତଳେ ଏଠାରେ ବହିମେଳା ବୋଲି କିଛି ନଥିଲା। ପୁସ୍ତକ ପ୍ରକାଶନ ଓ ବିକ୍ରିର ପେଣ୍ଠ ଥିଲା କଟକ। କାରଣ ଭୁବନେଶ୍ଵରରେ ୧୯୪୮ ମସିହାରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ କଟକ ଥିଲା ପୁରୁଣା ରାଜଧାନୀ। ତେଣୁ ସାହିତ୍ୟଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ନାଟକ ଓ ଚଳଚ୍ଚିତ୍ର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କଟକରେ ହେବାଟା ଥିଲା ଏକ ସ୍ଵାଭାବିକ ପ୍ରକ୍ରିୟା। ବାଙ୍କାବଜାର ସ୍ଥିତ ବିନୋଦବିହାରୀଠାରେ ବହି ପ୍ରକାଶକମାନେ ବର୍ଷ ସାରା ବହି ଦୋକାନ ଖୋଲି ବସୁଥିଲେ ଏବଂ ସାରା ଓଡ଼ିଶାର ପୁସ୍ତକ ବିକ୍ରେତାମାନେ ସେଠାରୁ ବହି ନେଇ ନିଜ ନିଜ ଅଞ୍ଚଳରେ ବିକ୍ରି କରୁଥିଲେ। ବାସ୍ତବରେ କହିବାକୁ ଗଲେ ସେତେବେଳେ ବିନୋଦବିହାରୀଠାରେ ବାରମାସୀ ବହିମେଳା ହିଁ ହେଉଥିଲା।

ସେହି କାରଣରୁ ୧୯୮୪ ମସିହା ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ଲେଖକଙ୍କ ନେତୃତ୍ଵରେ ଯେତେବେଳେ ଭୁବନେଶ୍ଵରର କେତେକ ପାଠପଢୁଆ ଯୁବକ ଗୋଷ୍ଠୀ ଗୋଟିଏ ପୁସ୍ତକ ମେଳା ଆୟୋଜନ କଲେ, ବିନୋଦବିହାରୀଠାରେ ଅବସ୍ଥାପିତ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନେ ସେଥିରେ ଯୋଗ ଦେବାକୁ ସ୍ପଷ୍ଟ ମନା କରିଦେଲେ। ସେମାନେ କାରଣ ଦର୍ଶାଇଲେ, ଭୁବନେଶ୍ଵରରେ କିଏ ଅବା ବହି କିଣିବ ଯେ ସେମାନେ କଟକରୁ ଆସି ପୁସ୍ତକ ମେଳାରେ ଯୋଗଦେବେ? ସେମାନଙ୍କର ଆଶଙ୍କା ଥିଲା ଯେ ଏଠାକୁ ବହି ନବାଆଣିବା ଓ ପାଞ୍ଚ ଦିନ ଏଠାରେ ଡେରା ମାରି ରହିବାର ଖର୍ଚ୍ଚ ଉଠିବ ନାହିଁ! ସେମାନଙ୍କର ସନ୍ଦେହ ଅମୂଳକ ନଥିଲା, କାରଣ ବିନୋଦବିହାରୀର ପ୍ରକାଶକମାନେ ସେତେବେଳେ କେବଳ ସରକାରଙ୍କୁ ବହି ବିକି ସେମାନଙ୍କ ବ୍ୟବସାୟ ଚଳେଇ ରଖିବାରେ ଅଭ୍ୟସ୍ତ ଥିଲେ। ତେଣୁ ହୁଏତ ଅଧିକାଂଶ ଭାବେ ଉଚ୍ଚ ପଦଧିକାରୀଙ୍କ ପୁସ୍ତକ ପ୍ରକାଶ କରିବାକୁ ସେମାନେ ଅଧିକ ଗୁରୁତ୍ଵ ଦେଉଥିଲେ। ପାଠକମାନଙ୍କ ପାଖରେ ବହି ନପହଞ୍ଚିଲେ ସେମାନେ କିଣିବେ କେମିତି?

ପାଠକମାନଙ୍କ ପାଖରେ ସିଧାସଳଖ ପୁସ୍ତକ ରିହାତି ଦରରେ ପହଞ୍ଚାଇବା ଭୁବନେଶ୍ଵରରେ ଆୟୋଜିତ ସେହି ପ୍ରଥମ ପୁସ୍ତକ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, କିନ୍ତୁ ବିନୋଦବିହାରୀସ୍ଥିତ ଓଡିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସେଥିରେ ସହଯୋଗ କଲେ ନାହିଁ। ତେବେ ବିଶିଷ୍ଟ ପ୍ରକାଶନ ସଂସ୍ଥା ଅଗ୍ରଦୂତ, ଲାର୍କ ବୁକ୍ସ, ଶିବାନୀ ପ୍ରକାଶନୀ, ମିଉଜ ବୁକ୍ସ, ରାମକୃଷ୍ଣ ମଠ ତଥା ରୁଷ ସାହିତ୍ୟ ପୁସ୍ତକ ବିକ୍ରେତା ନବଯୁଗ ପୁସ୍ତକର ଯୋଗଦାନରେ ମାତ୍ର ଆଠଟି ଷ୍ଟଲ ସହ ଭୁବନେଶ୍ଵରରେ ଓଡିଶାର ସର୍ବ ପ୍ରଥମ ପୁସ୍ତକ ମେଳା ଆୟୋଜିତ ହୋଇ ପାରିଥିଲା। ପ୍ରଖ୍ୟାତ ସାହିତ୍ୟିକ ତଥା ସେତେବେଳେ ନୂଆ କରି ପ୍ରକାଶନ ଆରମ୍ଭ ହୋଇଥିବା ଓଡିଶାର ଆଧୁନିକ ଖବର କାଗଜ ‘ସମ୍ବାଦ’ର ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଦ୍ଵାରା ଡିସେମ୍ବର ୧ ତାରିଖ ପୂର୍ବାହ୍ନରେ ଓଡିଶାର ସେହି ପ୍ରଥମ କ୍ଷୁଦ୍ର ପୁସ୍ତକ ମେଳାଟିର ଅୟମାରମ୍ଭ ହୋଇଥିଲା।

ଭୁବନେଶ୍ଵରରେ ଗୋଟିଏ ପୁସ୍ତକ ମେଳାର ଆବଶ୍ୟକତା ଏତେ ଜରୁରୀ ଥିଲା ଯେ, ପରବର୍ତ୍ତୀ ବର୍ଷ ଓଡ଼ିଶା ଲେଖକ ସାମ୍ମୁଖ୍ୟ, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ନୂଆଦିଲ୍ଲୀ ସ୍ଥିତ ନାସନାଲ ବୁକ ଟ୍ରଷ୍ଟ ସହଯୋଗରେ ରାଜଧାନୀର ସଚିବାଳୟ ମାର୍ଗରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜୁନ ୨ ତାରିଖ, ୧୯୮୫ ମସିହାରେ ଆଉ ଗୋଟିଏ ପୁସ୍ତକ ମେଳା ଆୟୋଜନ କଲେ। କିନ୍ତୁ ଆୟୋଜନରେ ବୁଝାମଣା ଅଭାବରୁ ନାସନାଲ ବୁକ ଟ୍ରଷ୍ଟ ଏଠାରେ ଭବିଷ୍ୟତର ଆଉ କୌଣସି ପୁସ୍ତକ ମେଳାରେ ସହଯୋଗ କରିବ ନାହିଁ ବୋଲି ନିଷ୍ପତ୍ତି ନେଇ ନୂଆଦିଲ୍ଲୀ ଫେରିଗଲା।

ଖୋଲା ପଡ଼ିଆରୁ ମହାବିଦ୍ୟାଳୟର ରୁଦ୍ଧ କୋଠରିଗୁଡ଼ିକରେ ଆୟୋଜିତ ସେହି ପୁସ୍ତକ ମେଳା ଲୋକମାନଙ୍କ ପାଇଁ ମଧ୍ୟ ଗ୍ରହଣୀୟ ହୋଇ ପାରିନଥିଲା। ତେଣୁ ତହିଁ ପର ବର୍ଷ କେତେକ ଗଣ୍ୟମାନ୍ୟ ଲେଖକ ମେଳା ଆୟୋଜନ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ଵ ନେଇ ଗଠନ କଲେ ଗୋଟିଏ ‘ଭୁବନେଶ୍ଵର ପୁସ୍ତକ ମେଳା କମିଟି’ – ପରବର୍ତ୍ତୀ ସମୟରେ ସେହି କମିଟି ଦ୍ଵାରା ହିଁ ୧୯୮୬ ମସିହାରୁ ପ୍ରତି ବର୍ଷ ‘ଭୁବନେଶ୍ଵର ପୁସ୍ତକ ମେଳା’ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆୟୋଜନ ଆରମ୍ଭ ହେଲା ଓ ଏହାକୁ ହିଁ ସାରା ରାଜ୍ୟର ସର୍ବ ବୃହତ୍ତ ପୁସ୍ତକ ମେଳାର ମର୍ଯ୍ୟାଦା ଦିଆଗଲା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ସଂପୂର୍ଣ୍ଣ ନିଜସ୍ଵ।)

Tags: #BookFair #BhubaneswarBookFair #FirstBookFair #Books #Readers #Publisher

Comment