ଓଡ଼ିଶାଲାଇଭ୍ ବ୍ୟୁରୋ

୨ୟ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ବର୍ଷ ପାଳନ ଅବସରରେ ସମର୍ପିତ ଦ୍ଵିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ଉଦ୍‌ଘାଟନ କରି ନବୀନ ପଟ୍ଟନାୟକ କହିଛନ୍ତି, ‘‘ଗାନ୍ଧୀଜୀଙ୍କ ପ୍ରତିଟି ଲେଖା ମାନବତାର ବାର୍ତ୍ତା ଦେଉଥିଲା। ଆଜିର ଯୁବପିଢ଼ି ଗାନ୍ଧୀଜୀ ଓ ତାଙ୍କ ଆଦର୍ଶକୁ ପଢ଼ି, ଜାଣି ଓ ବୁଝି ଶ୍ରେଷ୍ଠ ବିଶ୍ଵ ଗଢ଼ିବା ଦିଗରେ କାମ କରିବା ଦରକାର।’’

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ବହି ମେଳାରେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ସମାଜସେବୀ କ୍ରିଷ୍ଣା ମହାନ୍ତି ଅତିଥି ଭାବେ ଯୋଗଦେଇ କହିଲେ, ‘‘ବହି ସବୁଠୁ ବଡ଼ ସାଥୀ। ଏହା ସବୁବେଳେ ମଣିଷକୁ ଉଚିତ୍‌ ପଥ ଦେଖାଇ ତା’ର ଉତ୍ତରୋତ୍ତର ଉନ୍ନତି କରି ଆସିଛି।’’

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ୫ଶହ ଷ୍ଟଲ ସହ ‘ଓଡ଼ିଶାରେ ଗାନ୍ଧୀ ବିଷୟ’ ଉପରେ ସ୍ୱତନ୍ତ୍ର ମଣ୍ଡପ ଖୋଲାଯାଇଛି। ଏଥିସହ ଓଡ଼ିଶା ସାହିତ୍ୟ ଏକାଡେମି, ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ରାଜ୍ୟ ସଂଗ୍ରହାଳୟର ବହି ଷ୍ଟଲ ମଧ୍ୟ ଖୋଲିଛି। ଏହି ଅବସରରେ ଆକର୍ଷଣ ସାଜିଛି ‘ଗାନ୍ଧୀଜୀ ଓ ଓଡ଼ିଶା’ ଶୀର୍ଷକ ଷ୍ଟଲ। ଗାନ୍ଧୀଜୀଙ୍କ ପିଲା ବେଳର ଫଟୋଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବହୁ ବିରଳ ଫଟୋ ସହ ପୁସ୍ତକ ଓ ନଥି ପ୍ରଦର୍ଶିତ ହେଉଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଏହି ମେଳା ବୁଲି ବହି କିଣିପାରିବେ।

Comment