କପିଳାସ ଭୂୟାଁ

ପ୍ରତି ବର୍ଷ ରାଜଧାନୀରେ ‘ଭୁବନେଶ୍ଵର ପୁସ୍ତକ ମେଳା’ର ନିୟମିତ ଆୟୋଜନ ଚାହୁଁ ଚାହୁଁ ସୁଦୂରପ୍ରସାରୀ ହେଲା। କେବଳ ବିଭିନ୍ନ ଜିଲ୍ଲାସ୍ତରରେ ନୁହେଁ, ବରଂ ବ୍ଲକସ୍ତରରେ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ଗୋଷ୍ଠୀ ଛୋଟ ଛୋଟ ପୁସ୍ତକ ମେଳା ଆୟୋଜନ କରିବାରେ ଲାଗି ପଡ଼ିଲେ। ବାସ୍ତବରେ ପୁସ୍ତକ ମେଳା ବର୍ଷ କେଇଟାରେ ସାରା ରାଜ୍ୟରେ ଏକ ବିପ୍ଲବର ରୂପ ନେଲା।

ଆରମ୍ଭ କାଳରେ ଭୁବନେଶ୍ଵର ପୁସ୍ତକ ମେଳା ଫେବୃଆରି ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜନ କରିବା ପଛରେ ଆୟୋଜକମାନଙ୍କର ଏକ ନିହିତ ଉଦ୍ଦେଶ୍ୟ ଥିଲା। ତା’ ହେଲା – ମାର୍ଚ୍ଚ ମାସ ସରକାରୀ ବିତ୍ତୀୟ ବର୍ଷ ଶେଷ ହୋଇଥିବାରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଏକାଧିକ ସରକାରୀ ଅନୁଷ୍ଠାନଗୁଡ଼ିକ ସିଧାସଳଖ ରିହାତି ଦରରେ ବହି କିଣି ପାରିବେ, ଯାହାକି ମେଳାରେ ଯୋଗ ଦେଉଥିବା ପୁସ୍ତକ ପ୍ରକାଶକ ଏବଂ ବିକ୍ରେତାମାନଙ୍କୁ ଉତ୍ସାହିତ କରିବ ଓ ସେମାନଙ୍କୁ ପ୍ରତି ବର୍ଷ ମେଳାରେ ଯୋଗ ଦେବାକୁ ଆଗ୍ରହୀ କରିବ। ଏହାକୁ ଆୟୋଜକମାନଙ୍କର ଏକ ମହତ ଉଦ୍ଦେଶ୍ୟ ବୋଲି କୁହାଯାଇ ପାରେ। କିନ୍ତୁ ନିହିତ ଉଦ୍ଦେଶ୍ୟଟି ଥିଲା ଆୟୋଜକମାନେ ନିଜ ଗୁରୁତ୍ଵ ବୃଦ୍ଧି କରିବା।

ଗୁରତ୍ଵ ବୃଦ୍ଧି କରିବାର ପ୍ରଥମ ଲକ୍ଷଣ ଥିଲା ଏକଚାଟିଆ ବ୍ୟବହାର। କାଳକ୍ରମେ ସେହି ହାମବଡା ନୀତି ଅଂଶଗ୍ରହଣକାରୀଙ୍କୁ ପସନ୍ଦ ନଆସିଲେ ମଧ୍ୟ ମେଳାରୁ ମିଳୁଥିବା ଲାଭକୁ ଦୃଷ୍ଟିରେ ରଖି ସମସ୍ତେ ଚୁପ ରହିବାକୁ ଶ୍ରେୟସ୍କର ମଣିଲେ। କାଳକ୍ରମେ ଭୁବନେଶ୍ଵର ପୁସ୍ତକ ମେଳାର କାୟା ବିସ୍ତାର ହେଲା।

ଅଧିକରୁ ଅଧିକ ଅନୁଷ୍ଠାନ ଏଠାରେ ଯୋଗ ଦେବାକୁ ଚାହିଁଲେ। ସେ ଭିତରେ କେବଳ ପୁସ୍ତକ ପ୍ରକାଶକ ଓ ବିକ୍ରେତା ନୁହନ୍ତି, ବରଂ ଏକାଧିକ ଟିଉଟୋରିଆଲ ଓ ଷ୍ଟେସନାରୀ ସାମଗ୍ରୀ ବିତରଣକାରୀ, ଏପରିକି କମ୍ପ୍ୟୁଟର ବିକ୍ରେତା ଅନୁଷ୍ଠାନ ସେମାନଙ୍କ ପ୍ରଚାର ପ୍ରସାର ପାଇଁ ପୁସ୍ତକ ମେଳାରେ ଗଳାବାଟ ଦେଇ ପଶିଲେ। ଏପରି ହେଲା କି  ଗୋଟିଏ ବର୍ଷ ମୋଟର କାର ବିତରଣକାରୀ ଗୋଟିଏ ସଂସ୍ଥା ମେଳା ପରିସରରେ ସମସ୍ତଙ୍କ ଦୃଷ୍ଟିଗୋଚର ହେଲା ଭଳି ସ୍ଥାନରେ ତାହାର ସୁଦୃଶ୍ୟ କାର ମଧ୍ୟ ପ୍ରଦର୍ଶନ କରିବାକୁ ପଛାଇ ନଥିଲା। ଫଳରେ ଏହି ମେଳା ଆଉ କେବଳ ପୁସ୍ତକ ପ୍ରଦର୍ଶନୀରେ ସୀମିତ ନରହି ଏକ ମୀନାବଜାରର ରୂପ ନେଲା ଓ ଆୟୋଜକମାନଙ୍କ ପାଇଁ ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା।

କୌଣସି ଅନୁଷ୍ଠାନର ଅଗ୍ରଗତି ପାଇଁ ବ୍ୟବସାୟିକ ଭିତ୍ତିଭୂମିକୁ ମଜବୁତ କରିବା ନିଶ୍ଚୟ କିଛି ଖରାପ କଥା ନୁହେଁ। କିନ୍ତୁ କେବଳ ଲାଭଖୋର ମନୋବୃତ୍ତି ରଖି ପଇସା ଆଦାୟକୁ ଗୁରୁତ୍ଵ ଦେବା, ପୁସ୍ତକ ମେଳାର ମୂଳ ଲକ୍ଷକୁ ଭୁଲିଯିବା ଓ ଆୟୋଜନକୁ ସୁଗମ କରିବା ପାଇଁ ମେଳା ପରିସରରେ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ପ୍ରତି ଆଖି ବୁଜିଦେବା ନିଶ୍ଚିତ ରୂପେ ସହଭାଗୀମାନଙ୍କ ବିଶ୍ଵାସ ହରାଇବା ଭଳି ଅବସ୍ଥା ସୃଷ୍ଟି କରେ। ଶେଷରେ ତାହା ହିଁ ହେଲା। ଫେବ୍ରୁଆରି ମାସ ଶେଷ ବେଳକୁ ଖରା ତାତି କ୍ରମଶଃ ବୃଦ୍ଧି ପାଇବା ଆରମ୍ଭ ହେଲା ବେଳକୁ ଲୋକଙ୍କ ପାଦ ଚଲା ଯୋଗୁଁ ନାଲି ମାଟି ତଳୁ ଉଠି ମେଳା ପରିସରରେ ସନ୍ଧ୍ୟା ସୁଦ୍ଧା ଏକ ଅଣନିଃଶ୍ଵାସୀ ପରିବେଶ ସୃଷ୍ଟି ହେଉଥିଲା ସିନା ତାହାର ନିରାକରଣ ପ୍ରତି କେହି ଆଦୌ ଦୃଷ୍ଟି ଦେଲେ ନାହିଁ।

ଅନ୍ୟ ପକ୍ଷରେ ଫେବ୍ରୁଆରି ମାସ ଶେଷ ସପ୍ତାହରେ ପ୍ରତି ବର୍ଷ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା କାରଣରୁ ଅଧିକାଂଶ ବାପା ମା’ ଶ୍ରେଣୀର ଲୋକେ ଓ ସେମାନଙ୍କ ପିଲାମାନେ ପୁସ୍ତକ ମେଳା ବୁଲିବା ସୁଯୋଗରୁ ବଞ୍ଚିତ ହୋଇ ରହିଲେ। ବାସ୍ତବ ଦୃଷ୍ଟିରୁ ସେହି ସମୟ ପୁସ୍ତକ ମେଳା ଆୟୋଜନ ପାଇଁ ପ୍ରକୃଷ୍ଟ ସମୟ ନୁହେଁ ବୋଲି କେବଳ ଆୟୋଜକମାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କର ହୃଦବୋଧ ହେଲା।

ତେବେ କୌଣସି ବିରୋଧାତ୍ମକ ସ୍ଵରକୁ ଚୁପ ରଖିବା ପାଇଁ ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରତି ବର୍ଷ ପୁସ୍ତକ ମେଳା ପୁରସ୍କାର ପ୍ରଦାନ ଯଥେଷ୍ଟ ସାହାଯ୍ୟ କଲା। ପୁରସ୍କାର ଆଶାୟୀ କବି ଲେଖକମାନେ ଏହି ପୁରସ୍କାର କେମିତି ପାଇବେ ସେଥିପ୍ରତି ଅଧିକ ଧ୍ୟାନ ଦେଲେ। ମେଳା ଆଯୋଜନର ସଙ୍କଟ କିପରି ଦୂର କରାଯାଇ ପାରିବ ସେଥିପ୍ରତି କେହି ଗୁରୁତ୍ଵ ଦେଲେ ନାହିଁ।

ଏହାର ଭରପୁର ସୁଯୋଗ ନେଲେ ସାହିତ୍ୟ ଓ ସାମ୍ବାଦିକତାରେ ରୁଚି ରଖୁଥିବା ରାଜଧାନୀର ଅନ୍ୟ କିଛି ଅପେକ୍ଷାକୃତ ଅଳ୍ପ ବୟସର ଗୋଟିଏ ଗୋଷ୍ଠୀ। ୨୦୦୦ ମସିହାରୁ ପ୍ରତି ବର୍ଷ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସେହି ଗୋଷ୍ଠୀ ‘ରାଜଧାନୀ ପୁସ୍ତକ ମେଳା’ ନାମରେ ଅନ୍ୟ ଏକ ସମାନ୍ତରାଳ ପୁସ୍ତକ ମେଳା ଆୟୋଜନ ଆରମ୍ଭ କଲେ। ପ୍ରଥମତଃ ଡିସେମ୍ବର ମାସର ଶୀତୁଆ ଅପରାହ୍ଣ ଓ ସନ୍ଧ୍ୟା ପୁସ୍ତକ ମେଳା ବୁଲି ଦେଖିବା ପାଇଁ ଅତ୍ୟନ୍ତ ଆରାମଦାୟକ ହୋଇଥିବାବେଳେ ‘ଭୁବନେଶ୍ଵର ପୁସ୍ତକ ମେଳା’ରେ ଥିବା ସମସ୍ୟାଗୁଡ଼ିକ ନହେବା ପାଇଁ ସେମାନେ ଆଗୁଆ ପଦକ୍ଷେପ ନେଲେ। ଯେମିତିକି ଷ୍ଟଲଗୁଡ଼ିକ ମଧ୍ୟରେ ଓ ଲୋକମାନଙ୍କ ମେଳା ପରିସରରେ ବୁଲିବା ରାସ୍ତାରେ କତା ତିଆରି ମ୍ୟାଟ ପକାଇଲେ। ତା’ ଦ୍ଵାରା ଧୂଳି ଉଡ଼ିବା ପରିମାଣ କମିଲା ଓ ଲୋକେ ପିଲାଛୁଆଙ୍କୁ ଧରି ଆରାମରେ ମେଳାରେ ବୁଲି ପାରିଲେ।

ସ୍ଵାଭାବିକ ଭାବେ ‘ଭୁବନେଶ୍ଵର ପୁସ୍ତକ ମେଳା’ ସେହି ନୂଆ ଉଦ୍ୟମର ବିରୋଧ କଲା, କିନ୍ତୁ ତାହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ‘ରାଜଧାନୀ ପୁସ୍ତକ ମେଳା’ କ୍ରମେ ଜନପ୍ରିୟ ହେବାକୁ ଲାଗିଲା ଓ ତା’ର କାୟା ବିସ୍ତାର ହେଲା। ଅଧିକାଂଶ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଏଥିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କଲେ। ଅବଶ୍ୟ ବ୍ୟବସାୟିକ ମନୋବୃତ୍ତି ରଖୁଥିବା କିଛି ପ୍ରକାଶକ ଓ ବିକ୍ରେତା ଦୁଇ ଦୁଇଟି ପୁସ୍ତକ ମେଳାର ଭରପୁର ଫାଇଦା ନେଲେ ଓ ବର୍ଷକୁ ବର୍ଷ ଦୁଇ ଦୁଇ ଥର ବ୍ୟବସାୟ କରିବାର ଲାଭ ଉଠାଇଲେ। ତେବେ ଗୋଟିଏ ପଟେ ‘ଭୁବନେଶ୍ଵର ପୁସ୍ତକ ମେଳା’ର ଜନପ୍ରିୟତା କମିବାରେ ଲାଗିବା ବେଳେ ଅନ୍ୟ ପଟେ ‘ରାଜଧାନୀ ପୁସ୍ତକ ମେଳା’ ଅଧିକ ଜନପ୍ରିୟ ହେବାରେ ଲାଗିଲା ଓ ମାତ୍ର ଦଶ ବାର ବର୍ଷ ଭିତରେ ରାଜ୍ୟର ସର୍ବ ବୃହତ୍ତ ପୁସ୍ତକ ମେଳାର ମାନ୍ୟତା ଲାଭ କଲା।

ଉଲ୍ଲେଖନୀୟ କି ଉଭୟ ପୁସ୍ତକ ମେଳାର ମଡେଲ ମୋଟାମୋଟି ଗୋଟିଏ ପ୍ରକାରର ହୋଇଥିଲାବେଳେ ଆୟୋଜନ ପରିଚାଳନା ଦୃଷ୍ଟିରୁ ‘ରାଜଧାନୀ ପୁସ୍ତକ ମେଳା’ ଅଧିକ ପ୍ରଭାବଶାଳୀ ଥିଲା। ତେବେ ପ୍ରତି ବର୍ଷ ଦୁଇ ଦୁଇଟି ପୁସ୍ତକ ମେଳା ସଫଳତାର ସହ ଆୟୋଜନ ହୋଇପାରିବା ଦ୍ଵାରା ଲୋକମାନଙ୍କ ପାଖରେ ଅଧିକ ପୁସ୍ତକ ପହଞ୍ଚି ପାରିଲା ଓ ପଠନ ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହେବାର ସୁଯୋଗ ସୃଷ୍ଟି ହେଲା।

ଏହା ମଧ୍ୟରେ ଏହି ଦୁଇଟି ମୁଖ୍ୟ ପୁସ୍ତକ ମେଳାକୁ ଛାଡ଼ିଦେଲେ ରାଜଧାନୀ ଭୁବନେଶ୍ଵରରେ ‘ଏକାମ୍ର ପୁସ୍ତକ ମେଳା’ ଓ ‘କଳିଙ୍ଗ ପୁସ୍ତକ ମେଳା’  ପରି ଅନ୍ୟ କେତେକ ଛୋଟକାଟର ପୁସ୍ତକ ମେଳା ମଧ୍ୟ ମୁଣ୍ଡ ଟେକି ଉଠିଲା। ମୋଟାମୋଟି କହିବାକୁ ଗଲେ କୋଭିଡ ମହାମାରୀ ପୂର୍ବର ଦୁଇ ଦଶନ୍ଧିରେ ଆମର ରାଜ୍ୟସ୍ତରୀୟ ସାରସ୍ଵତ ପରିବେଶ ଅତ୍ୟନ୍ତ ଉତ୍ସାହଜନକ ଥିଲା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ସଂପୂର୍ଣ୍ଣ ନିଜସ୍ଵ।)

Tags: #BookFair #BhubaneswarBookFair #FirstBookFair #Books #Readers #Publisher

Comment