ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

“ସମୟ ବଦଳିଛି, ଲୋକଙ୍କ ଚିନ୍ତାଧାରା ବି ବଦଳିଛି। କିଛି ପରିବାର ଭିତରେ ପିରିୟଡସକୁ ନେଇ ଆଲୋଚନା ଆରମ୍ଭ ହୋଇଛି ସତ, କିନ୍ତୁ ଏବେ ବି ଅନେକ ପରିବାରରେ ସଚେତନତାର ଅଭାବ ରହିଛି। ମୁଁ ମୋ ପିରିୟଡସ୍ କଥା ଲୁଚେଇଥିଲି, ହେଲେ ଆପଣ ଲୁଚାନ୍ତୁନି। କାରଣ ଏହା ଲୁଚେଇବା ବିଷୟ ନୁହେଁ, ଏବେ ପିରିୟଡସ୍ ବିଷୟରେ ଖୋଲାଖୋଲି କଥା ହେବାର ସମୟ”, କୁହନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ।

ବର୍ତ୍ତମାନ ପିରିୟଡସ ବିଷୟରେ ଅଧିକରୁ ଅଧିକ ଆଲୋଚନା କରିବାର ସମୟ ଆସିଛି। ପିରିୟଡସ କ’ଣ, କେମିତି ହୁଏ ଏବଂ କାହିଁକି ହୁଏ? ଏସବୁ ବିଷୟରେ ମହିଳା, ପୁରୁଷ ଏବଂ ପୁଅ ଓ ଝିଅ ସମସ୍ତେ ଜାଣିବା ଦରକାର ବୋଲି କହିଛନ୍ତି ତନୟା ପଟ୍ଟନାୟକ।

ଋତୁସ୍ରାବକୁ ନେଇ ଏବେ ବି ଅନେକ କିଶୋରୀ ଏବଂ ମହିଳା କଥା ହେବାକୁ ଲାଜ କରନ୍ତି। ଏହାକୁ ନେଇ ଏବେ ବି ସଚେତନତାର ଅଭାବ ରହିଛି। ପିରିୟଡସକୁ ନେଇ ଲାଜ ନୁହେଁ ବରଂ ଖୋଲାଖୋଲି କଥା ହେବାର ସମୟ ଆସିଛି ବୋଲି ତନୟା ପଟ୍ଟନାୟକ କୁହନ୍ତି।

“ପ୍ରଥମେ ଯେବେ ପିରିୟଡସ୍ ହେଇଥିଲା ମୁଁ ଡରିଯାଇଥିଲି। ଭାବୁଥିଲି କିଛି ଗୋଟେ ରୋଗ ହୋଇଛି। ଦୁଇ ତିନି ମାସ ପର୍ଯ୍ୟନ୍ତ କାହାକୁ କିଛି ଜଣେଇ ନଥିଲି। ମା’ ମଧ୍ୟ ଏ ବିଷୟରେ କେବେ ଆଲୋଚନା କରିନଥିଲେ। ହୁଏତ ସେ ସମୟରେ ପିରିୟଡସ ବିଷୟରେ କଥା ହେବାକୁ ମା’ ସଙ୍କୋଚ ପ୍ରକାଶ କରୁଥିଲେ। ପ୍ରତି ଘରେ ପିରିୟଡସକୁ ନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି। ଘରୁ ହିଁ ସଚେତନତା ଆରମ୍ଭ ହେଲେ ପରିବର୍ତ୍ତନ ଆସିପାରିବ”, କୁହନ୍ତି ତନୟା।

ପିରିୟଡସକୁ ନେଇ ଧୀରେ ଧୀରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁଛି। ପରିବାରରେ ବାପା ମା’ ଏବେ ପିଲାଙ୍କ ସହ ଏ ବିଷୟରେ କଥା ହେବା ଆରମ୍ଭ କଲେଣି, ଯାହା ବହୁତ ଭଲ ସଙ୍କେତ। ପିରିୟଡସକୁ ନେଇ ଆହୁରି ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କୁହନ୍ତି।

ପିରିୟଡସ ସମୟରେ ସ୍ଵଚ୍ଛତା ରକ୍ଷା କରିବା ସବୁଠାରୁ ବଡ଼ କଥା। କାରଣ ଏହି ସମୟରେ ସ୍ଵଚ୍ଛତା ରକ୍ଷା ନକଲେ ଇନଫେକ୍ସନ ହେବାର ଅଧିକ ସମ୍ଭାବନା ରହିଛି। ସ୍କୁଲ, କଲେଜ, ଅଫିସ୍ ଏବଂ ପବ୍ଲିକ ପ୍ଲେସରେ ପ୍ୟାଡର ବ୍ୟବସ୍ଥା କରିବା ଆବଶ୍ୟକ। କିଶୋରୀ ଏବଂ ମହିଳାମାନଙ୍କ ପାଇଁ ପରିୟଡସ୍ ଫ୍ରେଣ୍ଡଲି ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ପିରିୟଡସ୍ ଏକ ପ୍ରାକୃତିକ ପ୍ରକ୍ରିୟା। ଏହାକୁ ନେଇ ଲାଜ କରିବା କଥା ନୁହେଁ। ପିରିୟଡସକୁ ନେଇ ଆମେ ଗର୍ବ କରିବା କଥା ବୋଲି କୁହନ୍ତି ତନୟା ପଟ୍ଟନାୟକ।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

LEAVE A REPLY

Please enter your comment!
Please enter your name here