ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରରେ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଆୟୋଜିତ ହୋଇଛି ‘ଉତ୍‍ସାହିତ୍ୟ’ ଉତ୍ସବ। ଏଥିରେ ଜଣାଶୁଣା କବି ତଥା ଗାଳ୍ପିକ କୃଷ୍ଣ କୁମାର ମହାନ୍ତିଙ୍କୁ କବିତା ପୁସ୍ତକ ‘ରୁବି ରାଏ’ ପାଇଁ ‘ଟାଇମପାସ୍‍ ବେଷ୍ଟସେଲର୍ ପୁରସ୍କାର’ ପ୍ରଦାନ କରାଯାଇଛି। ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଙ୍ଗଳା ଭାଷାର ପ୍ରସିଦ୍ଧ କଥାକାର ତଥା ବଙ୍କିମ ପୁରସ୍କାର ବିଜେତା ଜୟନ୍ତ ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଚଳିତ ବର୍ଷ କବିତା ବିଭାଗରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ହୋଇଥିବା ଏହି ‘ରୁବି ରାଏ’ ପୁସ୍ତକ ବେଷ୍ଟସେଲର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି ଫିଚର୍ ବିଭାଗରେ କ୍ଷୀରୋଦ ପରିଡ଼ାଙ୍କ ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’, ଗଳ୍ପ ବିଭାଗରେ ବିୟତ୍‍ପ୍ରଜ୍ଞା ତ୍ରିପାଠୀଙ୍କ ‘ଶ୍ରେଷ୍ଠ ଗଳ୍ପ’ ଏବଂ ଉପନ୍ୟାସରେ ଦେବବ୍ରତ ଦାସଙ୍କ ‘ଠ’ ପୁସ୍ତକକୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ଅନ୍ୟପଟେ ଗାଳ୍ପିକା ମହାଶ୍ଵେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ‘ଟାଇମପାସ୍‍ ବୁକର ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମରେ ଓଡ଼ିଆ ପୁସ୍ତକ ତଥା ସାହିତ୍ୟର ପ୍ରଚାରପ୍ରସାର ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କରୁଥିବା ସରଳ କୁମାର ଦାସଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯାଇଛି।

ଟାଇମପାସ୍ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରତିବର୍ଷ ତାଙ୍କ ପବ୍ଲିକେଶନର ପୁସ୍ତକ ମଧ୍ୟରୁ ଉପନ୍ୟାସ, ଗଳ୍ପ, କବିତା ଓ ଫିଚର୍ ବିଭାଗରୁ ସର୍ବାଧିକ ବିକ୍ରି ହୋଇଥିବା ବହି ପାଇଁ ସ୍ରଷ୍ଟାମାନଙ୍କୁ ବେଷ୍ଟସେଲର୍ ପୁରସ୍କାର ଦିଆଯାଇଥାଏ।

ଏହି ‘ଉତ୍‍ସାହିତ୍ୟ’ ଉତ୍ସବରେ ଏକ ଦଳଗତ ବିତର୍କ ସଭା ଅନୁଷ୍ଠିତ ହୋଇଥିଲା। ‘କବିତାରେ ଫେସଭାଲ୍ୟୁ’ ଶୀର୍ଷକ ଏହି ବିତର୍କ ମଞ୍ଚରେ କବି କୃଷ୍ଣ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ। ଏହାସହିତ କାର୍ଯ୍ୟକ୍ରମରେ ଅନେକ ଯୁବ କବି ତଥା ସାହିତ୍ୟିକମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଆଶୁତୋଷ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ କବି ପ୍ରଫେସର ଜ୍ଞାନୀ ଦେବାଶିଷ ମିଶ୍ର, ଡକ୍ଟର ଶୁଭଶ୍ରୀ ଲେଙ୍କା, ଦୁର୍ଗା ପ୍ରସାଦ ପଣ୍ଡା, ଦେବବ୍ରତ ଦାସଙ୍କ ସମେତ ଓଡ଼ିଶାର ଅନେକ କବି ଓ ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟାଇମପାସ୍ ପ୍ରକାଶନର ନିର୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।  

Tags: #Utsahitya #LiteraryProgramme #KrushnaKumarMohanty #Literature #Books #Odisha

Comment