ଓଡ଼ିଶାଲାଇଭ୍ ବ୍ୟୁରୋ

‘ବାରବାଟୀରେ ବୋଲିଂ କରି ଭେଙ୍ଗସରକାରଙ୍କ ହେଲମେଟରେ ବଲ୍ ବଜାଇଥିଲି’

କଟକ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଟି ଏ ଶେଖର। ତାମିଲନାଡୁର ଏହି କ୍ରିକେଟର ଜଣକ ଭାରତ ପାଇଁ ୨ଟି ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି। ୧୯୮୨-୮୩ ମସିହାରେ ପାକିସ୍ତାନ ବିପକ୍ଷରେ ମଦନ ଲାଲ୍ ଆହତ ଜନିତ ସମସ୍ୟା ଯୋଗୁଁ ବାଦ୍‌ ପଡିବାରୁ ଶେଖରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଶେଖର ଭାରତୀୟ କ୍ରିକେଟ ଇତିହାସର ଜଣେ ଦ୍ରୁତ ବୋଲର୍ ଭାବେ ଜଣାଶୁଣା। କିନ୍ତୁ ସେ ଖେଳିଥିବା ୨ଟି ଟେଷ୍ଟ ମ୍ୟାଚରେ ଗୋଟିଏ ବି ୱିକେଟ ହାସଲ କରିପାରିନଥିଲେ।

ସେହିପରି ୪ଟି ଦିନିକିଆ ମ୍ୟାଚ ଭାରତ ପାଇଁ ଖେଳିଛନ୍ତି ଶେଖର। ସୋମବାର ବୋଷ ଗ୍ରାଉଣ୍ଡରେ ଅନୁଷ୍ଠିତ ପିଭିଆର୍‌ ମୂର୍ତ୍ତି ଆନ୍ତଃସ୍କୁଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ବାରବାଟୀ ଷ୍ଟାଡିୟମ୍ ସହିତ ମୋ ସ୍ମୃତି ଜଡିତ ହୋଇ ରହିଛି। କାରଣ ଏଠାରେ ଖେଳି ଫେରିବା ପରେ ମତେ ଭାରତ ଦଳ ପାଇଁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଟି.ଏ.ଶେଖର।

କଟକ ୟୁନିୟନ୍ ସ୍ପୋର୍ଟିଂ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ପିଭିଆର୍ ମୂର୍ତ୍ତି ଆନ୍ତଃସ୍କୁଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗ ଦେଇଥିଲେ ଶେଖର। ଏହି ଅବସରରେ ସେ ନିଜର ଅତୀତ ଏବଂ ବର୍ତ୍ତମାନର ଭାରତୀୟ କ୍ରିକେଟର ଦୃଶ୍ୟପଟ ସମ୍ପର୍କରେ ପ୍ରକାଶ କରିଥିଲେ।

ଶେଖର କହିଥିଲେ, ‘‘୧୯୮୩ରେ ପାକିସ୍ତାନ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା। ମୁଁ ଦଳରେ ସୁଯୋଗ ପାଇନଥିଲି। ମୋ ସହିତ ଦକ୍ଷିଣାଞ୍ଚଳର କେହି ବି ଖେଳାଳି ଦଳରେ ସ୍ଥାନ ପାଇନଥିଲୁ। ଏହି ଗସ୍ତ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଦେଓଧର ଟ୍ରଫି ଖେଳାଯାଇଥିଲା। ଆମେ ପଶ୍ଚିମାଞ୍ଚଳ ବିପକ୍ଷରେ ଖେଳିବାକୁ ଆସିଥିଲୁ। ସୁନିଲ ଗାଭାସ୍କାର, ଦିଲ୍ଲୀପ ଭେଙ୍ଗସରକାର, ରବି ଶାସ୍ତ୍ରୀ ବହୁ ଖେଳାଳିଙ୍କୁ ମୁଁ ବୋଲିଂ କରିଥିଲି। ବହୁତ କମ୍ ରନ୍ ବ୍ୟବଧାନରେ ଆମେ ମ୍ୟାଚ ହାରିଯାଇଥିଲୁ। କିନ୍ତୁ ମ୍ୟାଚରେ ମୁଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲି।’’

ସେ ଆହୁରି କହିଥିଲେ, ‘‘ବୋଲିଂରେ ମାତ୍ରାଧିକ ପେସ୍ ରହିଥିବାରୁ ପ୍ରତିପକ୍ଷ ଖେଳାଳିମାନେ ହଇରାଣ ହୋଇଥିଲେ। ଏମିତିକି ମୋ ବଲ୍ ଭେଙ୍ଗସରକାରଙ୍କ ମୁଣ୍ଡରେ ବାଜିବାରୁ ସେ ଆହତ ମଧ୍ୟ ହୋଇଥିଲେ। ମ୍ୟାଚ ପରେ କପିଳ ଦେବ ମତେ ପାଖକୁ ଡାକି ପ୍ରଶଂସା କରିଥିଲେ। ପରେ ଏହି ପ୍ରଦର୍ଶନ ମତେ ଭାରତୀୟ ଦଳ ପାଇଁ ସୁଯୋଗ ଦେଇଥିଲା।’’

‘‘ରାଜ୍ୟସ୍ତରରେ ବିଶେଷକରି ଓଡ଼ିଶାରେ ତୃଣମୂଳ କ୍ରିକେଟରେ ପରିବର୍ତ୍ତନ ଆଣିବାକୁ ହେଲେ ସ୍କୁଲ୍, କ୍ଲବ୍ ସ୍ତରୀୟ ପ୍ରତିଯୋଗିତା ଅଧିକରୁ ଅଧିକ ଆୟୋଜନ କରାଯିବା ଦରକାର। ଏ କ୍ଷେତ୍ରରେ ରାଜ୍ୟ କ୍ରିକେଟ ସଂଘ ସକ୍ରୀୟ ଭୂମିକା ନେବା ଆବଶ୍ୟକ। ଏହାଛଡା ପ୍ରତ୍ୟେକ ବୟସ ବର୍ଗରେ ପ୍ରକୃତ ବୟସର ଖେଳାଳି ଖେଳିଲେ ସେମାନେ ଜାତୀୟ ଦଳ ପାଇଁ ମନୋନୀତ ହେବାର ସୁଯୋଗ ପାଇପାରିବେ। ସେହିପରି କ୍ରିକେଟରେ କ୍ୟାରିୟର କରୁଥିବା ଖେଳାଳିଙ୍କୁ ବିଭିନ୍ନ ମହଲରୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ବିଶେଷକରି ସରକାରୀ ଏବଂ ବେସରକାରୀ ସ୍ତରରେ ଚାକିରି ସୁବିଧା ସୃଷ୍ଟି କରାଯିବା ଦରକାର। ଖେଳାଳିମାନଙ୍କର ଭବିଷ୍ୟତ ସୁରକ୍ଷିତ ହେଲେ ସେମାନେ କ୍ରିକେଟ ପ୍ରତି ଅଧିକରୁ ଅଧିକ ଧ୍ୟାନ ଦେଇପାରିବେ’’, କହିଛନ୍ତି ଟି ଏ ଶେଖର।

Comment