ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି। ଉତ୍ତର ପୂର୍ବ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଦେଶର ଅନ୍ୟ ରାଜ୍ୟକୁ ଡେଇଁଛି। ଏହି ନାଗରିକତା ଆଇନ୍‌କୁ ନେଇ ମୋଦୀ ସରକାର ଓ ବିରୋଧୀ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

ସାରା ଦେଶରେ କଂଗ୍ରେସ ନିଆଁ ଲଗାଉଥିବା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା ବେଳେ କଂଗ୍ରେସ ମୋଦୀ ସରକାରଙ୍କୁ ଘେରିବା ପାଇଁ ବଡ଼ ଅସ୍ତ୍ର ପାଇ ଯାଇଛି।

‘‘ନାଗରିକତା ଆଇନ୍‌ ସମ୍ପର୍କରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମିଛ ପ୍ରଚାର କରୁଛନ୍ତି। ଚର୍ଚ୍ଚାରେ ରହିବା ପାଇଁ କଂଗ୍ରେସ ଏଭଳି ପ୍ରଚାର କରୁଛି। ମୁସ୍‌ଲିମ୍‌ ସଂପ୍ରଦାୟଙ୍କୁ ମିଛ କଥା କହି ଭୟଭୀତ କରାଉଛନ୍ତି’’, ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସଂସଦରେ ନାଗରିକତା ବିଲ୍‌ ପାସ୍‌ ହେବା ଦିନରୁ ହିଁ ଉତ୍ତର ପୂର୍ବ ରାଜ୍ୟ ଜଳିଥିଲା। ଏହି ଆଇନ୍‌ରେ ଦେଶ ବାହାରୁ ଆସିଥିବା ମୁସ୍‌ଲିମ୍‌ ସଂପ୍ରଦାୟଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହାକୁ ନେଇ ଆନ୍ଦୋଳନ ଜୋର୍‌ ଧରିଛି। ଆସାମରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ମେଘାଳୟ, ପଶ୍ଚିମବଙ୍ଗ, ଦିଲ୍ଲୀର ସୀମା ସରହଦ ଡେଇଁ ଓଡ଼ିଶାରେ ପହଞ୍ଚିଛି। କେରଳ ଓ ତାମିଲନାଡୁରେ ବି ଆନ୍ଦୋଳନ ଜୋର୍‌ ଧରିଲାଣି। ସବୁଠି ମୋଦୀ ସରକାରଙ୍କ ବିରୋଧରେ ନାରାବାଜୀ ଚାଲିଛି। ଏହି ଆଇନ୍‌ ପ୍ରତ୍ୟାହାର କରିନେବାକୁ ଦାବି ହେଉଛି।

ସବୁଠୁ ବଡ଼ କଥା ହେଉଛି ଏହି ଆଇନ୍‌କୁ ବିରୋଧ କରି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ କଂଗ୍ରେସ ଏହାକୁ ସମର୍ଥନ କରି ଆନ୍ଦୋଳନକୁ ଜୋରଦାର କରିଛି।

ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଲାଠି ମାଡ଼ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଇଣ୍ଡିଆଗେଟ୍‌ ସମ୍ମୁଖକୁ ଆସି ପ୍ରତିବାଦ କରିଥିଲେ। ଏପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାଜରାସ୍ତାକୁ ଓହ୍ଲାଇ ନାଗରିକତା ଆଇନ୍‌ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। ଏହାସହ ପଶ୍ଚିମବଙ୍ଗରେ ଏହି ଆଇନ୍‌ ଲାଗୁ ହେବାକୁ ଦିଆଯିବନି ବୋଲି କହିଛନ୍ତି ମମତା।

ନାଗରିକତା ଆଇନ୍‌କୁ ନେଇ ସାରା ଦେଶରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଆନ୍ଦୋଳନକୁ ଆହୁରି ତୀବ୍ରତର କରିଛି। ଫଳରେ ପରିସ୍ଥିତି ଅଣାୟତ୍ତ ହେବକୁ ଯାଉଛି।

Comment