ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମିଆ ମିଲିଆ ଇସ୍ଲାମିଆ ଓ ଅଲିଗଡ଼ ବିଶ୍ୱବିଦ୍ୟାଳୟ ହିଂସା ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀଙ୍କୁ ସମ୍ପୃକ୍ତ ହାଇକୋର୍ଟ ଯିବାକୁ ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏହି ମାମଲାର ଶୁଣାଣି କରିବାକୁ ଯାଇ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଲେ ହାଇକୋର୍ଟ ନଯାଇ ଆପଣ ଏଠିକି କାହିଁକି ଆସିଛନ୍ତି?
ଶୁଣାଣି ବେଳେ ବିଚାରପତି ପଚାରିଲେ ଯଦି କେହି ଆଇନ ଭାଙ୍ଗିବ, ପଥରମାଡ଼ କରିବ ଓ ବସ୍ ଜଳେଇବ ପୋଲିସ ସେଠି କ’ଣ କରିବ? ଜାମିଆ ଓ ଏଏମୟୁରେ ଛାତ୍ରମାନଙ୍କୁ ଗିରଫ ନକରିବା ପାଇଁ ଓକିଲମାନେ ଯୁକ୍ତି କରିବା ବେଳେ ବିଚାରପତିମାନେ ପୋଲିସର ଭୂମିକା କଥା ଉଠାଇଥିଲେ।
ସିଧା ସୁପ୍ରିମକୋର୍ଟ ଆସିଥିବାରୁ ଜଷ୍ଟିସ ବୋବଡେ ପ୍ରତିପକ୍ଷର ଓକିଲ ଇନ୍ଦିରା ଜୟସିଂଙ୍କୁ କହିଲେ ସୁପ୍ରିମକୋର୍ଟକୁ ଟ୍ରାଏଲ କୋର୍ଟ ବା ତଳ କୋର୍ଟ ବୋଲି ଭାବିବା ଅନୁଚିତ। ଏହି ମାମଲାରେ ଆମେ ଦଖଲ ଦେବୁ ନାହିଁ। ଏହା ଆଇନ ଶୃଙ୍ଖଳାର କଥା। ‘ଆପଣ ହାଇକୋର୍ଟ କାହିଁକି ନଗଲେ? ଏହି ବିଷୟ ଶୁଣିବା ପାଇଁ ହାଇକୋର୍ଟ ପୂରା ହକ୍ଦାର।
















