ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମଠାରେ ଖେଳାଯିବ। ଏନେଇ ଆଜି ଉଭୟ ଦଳର ଖେଳାଳି କଟକ ଆସି ଅଭ୍ୟାସ କରି ଫେରିଛନ୍ତି। ପୂର୍ବାହ୍ନ ୧୦ଟା ବେଳକୁ ଭାରତୀୟ ଦଳ ଅଭ୍ୟାସ କରିବାକୁ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲା।

ଭୁବନେଶ୍ୱର ହୋଟେଲ୍ ମେ’ ଫେୟାରରୁ କଡା ସୁରକ୍ଷା ବଳୟରେ ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚଥିଲେ। କିଛି ସମୟ ଡ୍ରେସିଂରୁମ୍‌ରେ ସମୟ ବିତାଇବା ପରେ ପଡ଼ିଆକୁ ଓହ୍ଲାଇଥିଲେ। କିଛି ସମୟର ଓ୍ଵାର୍ମଅପ୍‌ରେ ଖେଳାଳି ମାନେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଅଭ୍ୟାସ କରିଥିଲେ। କୋଚ୍ ରବି ଶାସ୍ତ୍ରୀଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଖେଳାଳିମାନେ ନେଟ୍ସକୁ ଓହ୍ଲାଇଥିଲେ।

ଅଧିନାୟକ ବିରାଟ କୋହଲି, ଶ୍ରେୟାସ ଆୟର, ମନିଷ ପାଣ୍ଡେ, କେଦାର ଯାଦବ, ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରିଥିଲେ। ନବଦୀପ ସାଇନି, ସାର୍ଦ୍ଦୁଲ୍ ଠାକୁର, ଶୁଭମ ଦୁବେ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ବୋଲିଂ କରିଥିବାର ଦେଖିବାକୁ ମିଳିଥିଲା। ରୋହିତ ଶର୍ମା, ଲୋକେଶ ରାହୁଲ, ରିଷବ ପନ୍ତ, ମହମ୍ମଦ ସାମି, ଯୁଝବେନ୍ଦ୍ର ଚହଲ ଅଭ୍ୟାସରେ ଯୋଗ ଦେଇନଥିଲେ।

ଆସନ୍ତାକାଲି ମ୍ୟାଚ ପୂର୍ବରୁ ଖେଳାଳିମାନେ ଶୀଘ୍ର ପଡ଼ିଆକୁ ଆସି ଅଭ୍ୟାସ କରିବେ ବୋଲି ଜଣାପଡିଛି। ସେହିପରି ୱେଷ୍ଟଇଣ୍ଡିଜ୍ ଦଳ ଅପରାହ୍‌ଣ ୩ଟା ବେଳକୁ ଅଭ୍ୟାସ ଆରମ୍ଭ କରିଥିଲେ। ଦଳର ସମସ୍ତ ଖେଳାଳିଙ୍କ ଉପସ୍ଥିତିରେ ଜୋର୍ଦାର ନେଟ୍ସ କରାଯାଇଥିଲା। ଅଧିନାୟକ କିରନ ପୋଲାର୍ଡଙ୍କ ନେତୃତ୍ୱରେ ବ୍ରାଣ୍ଡନ୍ କିଙ୍ଗ୍, ସିମ୍ରନ୍ ହେତମାୟାର୍, ଜେସନ୍ ହୋଲ୍ଡର୍, ସାଇ ହୋପ୍‌, ସେଲ୍ଡନ୍ କଟ୍ରେଲ୍ ଉଭୟ ବ୍ୟାଟିଂ ଓ ବୋଲିଂ କରିଥିବାର ଦେଖିବାକୁ ମିଳିଥିଲା।

ଅଭ୍ୟାସ ଦିନରୁ ହିଁ ହଜାର ହଜାର କ୍ରିକେଟେପ୍ରେମୀଙ୍କ ଉପସ୍ଥିତି ବାରବାଟୀ ଷ୍ଟାଡିୟମ୍ ମାହୋଲକୁ ଅଧିକ ରଙ୍ଗୀନ କରିଥିଲା। ଅଭ୍ୟାସ ଦେଖିବାକୁ ଓସିଏ ପକ୍ଷରୁ ୬ ନମ୍ବର ଗ୍ୟାଲେରୀ ଓ କ୍ଲବହାଉସ୍ ଖୋଲାଯାଇଥିଲା। ପ୍ରାୟ ୧୦ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହ ଯୋଗାଇଥିଲେ।

Comment