ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ପାଳିବେ ଖ୍ରୀଷ୍ଟମାସ୍। ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବାଞ୍ଚଳ ଆଡ଼କୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ଯୋଗୁଁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ପୂର୍ବାଞ୍ଚଳ ଆଡ଼କୁ ଯାଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଦେବଗଡ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଏବଂ କଟକ ପ୍ରଭୃତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।

ଡିସେମ୍ବର ୨୫ ଓ ୨୬ ମଧ୍ୟରେ ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୬ ଓ ୨୭ ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତି ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୨୫ ରୁ ୨୭ ତାରିଖ ମଧ୍ୟରେ ଅନ୍ୟ ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଡକ୍ଟର ସାହୁ କହିଛନ୍ତି ଯେ, ଉତ୍ତର-ପଶ୍ଚିମ ପବନର ଗତି ବଦଳିବା କାରଣରୁ ରାତିର ତାପମାତ୍ରା ଶନିବାରଠାରୁ ବଢ଼ିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here