ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ଉତ୍ସବକୁ ନେଇ ଓଡ଼ିଶାଲାଇଭ୍‌ର ସଂକ୍ଷିପ୍ତ ଭିଡିଓ ଦେଖନ୍ତୁ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇ ଯାଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ଉତ୍ସବ। ଡିସେମ୍ବର ୧ରୁ ୫ ଯାଏଁ ଚାଲିଥିଲା ଏହି ଉତ୍ସବ। ଶିତୁଆ ସନ୍ଧ୍ୟାରେ ଏହି ଉତ୍ସବ ଉପଭୋଗ କରିଥିଲେ ଓଡ଼ିଶା ତଥା ଦେଶ ବିଦେଶର ପର୍ଯ୍ୟଟକ।

ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ ସୃଜନ ଅନୁଷ୍ଠାନର କଳାକାର। ଦ୍ୱିତୀୟ ପ୍ରସ୍ତୁତିରେ କଥକ ନୃତ୍ୟ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଗୁରୁ ଶାମା ଭଟ୍ଟେ ଏବଂ ସାଥୀକଳାକାରମାନେ।

ସେହିପରି ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆର ୱିଦ୍ୟ ବୁଦାୟ ଗ୍ରୁପ୍‌ ଲୋକନୃତ୍ୟ ପରିବେଷଣ କରିଥିଲେ। ଏହି ସଂଧ୍ୟାର ପର ପ୍ରସ୍ତୁତିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ କୋଲକାତାର ଆଲୋକା କାନୁନ୍‌ଗୋ ଏବଂ ସାଥୀ କଳାକାର।

ତୃତୀୟ ସଂଧ୍ୟାରେ ଅନୁଗୁଳର ନୃତ୍ୟନିଳୟ ଅନୁଷ୍ଠାନର ସ୍ୱପ୍ନାରାଣୀ ସିହ୍ନା ଓ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ତୃତୀୟ ସଂଧ୍ୟାର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଥିଲା ମୋହିନୀଆଟ୍ଟମ ନୃତ୍ୟ। ଏହାକୁ ଦିଲ୍ଲୀର ଜୟପ୍ରଭା ମେନନ୍ ଓ ଗ୍ରୁପ ପରିବେଷଣ କରିଥିଲେ।

ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟରେ ଦର୍ଶକଙ୍କ ମନ ମୋହିଥିଲେ ଦିଲ୍ଲୀର ରାଜା ଏବଂ ରାଧା ରେଡି ଗ୍ରୁପ୍। ସେହି ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଭୁବନେଶ୍ୱରର ତ୍ରିଧାରା ଅନୁଷ୍ଠାନର ଗଜେନ୍ଦ୍ର ପଣ୍ଡା ଏବଂ ସାଥୀ କଳାକାର।

କୋଣାର୍କ ଉତ୍ସବର ଶେଷ ସଂଧ୍ୟାରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ ବୈଭବ ଆରେକର୍ ଏବଂ ସାଥୀ କଳାକାର। ଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ।

୧୯୮୯ ମସିହାରୁ ଲଗାତାର ଭାବେ ଆୟୋଜିତ ହୋଇ ଆସୁଛି କୋଣାର୍କ ଉତ୍ସବ। ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଲକ୍ଷ୍ୟରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି।

Comment