ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏଥର ସମୁଦ୍ର ପାଖ ପାନ୍ଥନିବାସରେ କରିପାରିବେ ବାହାଘର ଆୟୋଜନ
  • ସ୍ଵତନ୍ତ୍ର ୱେଡିଙ୍ଗ୍‌ ପ୍ୟାକେଜ୍‌ ଘୋଷଣା କଲା ଓଟିଡିସି
  • ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ବୁକ୍ କରିପାରିବେ ପାନ୍ଥନିବାସ
  • ବାଜାରୋଷଣି ସହ ଖାନାପିନାର ସମସ୍ତ ଦାୟିତ୍ୱ ପାନ୍ଥନିବାସର

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆଉ ପାଦେ ଆଗେଇଲା ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟନ ବିଭାଗ ଆରମ୍ଭ କଲା ବିବାହ ଅନୁଷ୍ଠାନର ପୂରା ପ୍ୟାକେଜ୍। ଏଣିକି ମାତ୍ର ୨ଲକ୍ଷ ୧୭ ହଜାର ଟଙ୍କାରେ ଚାନ୍ଦିପୁର ପାନ୍ଥନିବାସରେ କରିପାରିବେ ବିବାହ ଉତ୍ସବ। ବିବାହ ପାଇଁ ଦୁଇ ପକ୍ଷଙ୍କୁ କୌଣସି ପ୍ରକାର ଟେନସନ ନେବାକୁ ପଡ଼ିବନାହିଁ। କେବଳ ଟଙ୍କା ଦେବେ ଓ ବାକି ସବୁ କାମ କରିବ ପାନ୍ଥନିବାସ କର୍ତ୍ତୃପକ୍ଷ। ପର୍ଯ୍ୟଟନ ବିଭାଗର ବିଚ୍ ସାଇଡ୍ ଓ୍ଵେଡିଙ୍ଗ୍ ଡେଷ୍ଟିନେସନ ତାଲିକାରେ ଚାନ୍ଦିପୁର ପାନ୍ଥନିବାସ ଆସୁଥିବାରୁ ବାଲେଶ୍ଵରବାସୀ ଏନେଇ ଖୁସି ପ୍ରକାଶ କରିଛନ୍ତି।

ଓଡିଶା ରାଜ୍ୟ ପର୍ଯ୍ୟଟନ ନିଗମ ବା ଓଟିଡିସି ଦ୍ଵାରା ‘ଡେଷ୍ଟିନେସନ ଓ୍ଵେଡିଙ୍ଗ୍ ପ୍ୟାକେଜ’ ନାମକ ଏକ ଅଭିନବ ଯୋଜନା ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କ ପାଇଁ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହି ଯୋଜନା ପୁରୀ, ଗୋପାଳପୁର, ରମ୍ଭା, କୋଣାର୍କ, ଚାନ୍ଦିପୁର ଓ ବରକୁଳଠାରେ ଥିବା ଛଅଟି ସମୁଦ୍ର ତଟୀୟ ପାନ୍ଥନିବାସରେ ଉପଲବ୍ଧ ହେବ।

ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର। କାରଣ ସୁମଦ୍ରକୂଳିଆ ପାନ୍ଥନିବାସରେ ବାହାଘର କରିପାରିବା ସାଧାରଣ ଲୋକଙ୍କ ପାଇଁ ଖାଲି ଅସାଧ୍ୟ ନଥିଲା, ଅକଳ୍ପନୀୟ ବି ଥିଲା। ଏବେ ତାହା ସମ୍ଭବ ହେଲା। ସବୁଠୁ ବଡକଥା ହେଲା ବାହାଘର ପାଇଁ ସମସ୍ତ ବ୍ୟବସ୍ଥା କରିବ ପାନ୍ଥନିବାସ।

ଏହି ଯୋଜନାରେ ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ସମୁଦ୍ର ଉପକୂଳରେ ଥିବା ପାନ୍ଥନିବାସକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏଠିକା ଲୋକଙ୍କ ଭିତରେ ଊତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ପ୍ୟାକେଜ୍‌ ମାଧ୍ୟମରେ ଯେକୌଣସି ବ୍ୟକ୍ତି ପାନ୍ଥନିବାସରେ ବାହାଘର ଆୟୋଜନ ସହ ବିବାହ ଆଦିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭ୍ରମଣର ସୁବିଧା ପାଇପାରିବେ। ଏହି ୱେଡିଙ୍ଗ୍‌ ପ୍ୟାକେଜ୍‌ ୨ଲକ୍ଷ ୧୭ହଜାର ୫୦୦ ଟଙ୍କାରୁ ଆରମ୍ଭ ହେଉଛି।

ପୂର୍ବରୁ ଏଭଳି ସୁବିଧା ନଥିବାରୁ ଚାନ୍ଦିପୁର ପାନ୍ଥନିବାସରେ ବାହାଘର ହୋଇ ପାରୁନଥିଲା। ଏହି ପ୍ୟାକେଜ୍‌ ମାଧ୍ୟମରେ ଏବେ ଚାନ୍ଦିପୁର ପାନ୍ଥନିବାସରେ ବାହାର ରାଜ୍ୟର ପର୍ଯ୍ୟଟକ ବି ଏଠାରେ ସେମାନଙ୍କ ମନ ମୁତାବକ ବାହାଘର କରିପାରିବେ। ଏଥିପାଇଁ ତିନୋଟି ୱେବ୍‌ସାଇଡ୍‌ ସହିତ ଓଟିଡିସି ଚୁକ୍ତି ସ୍ଵାକ୍ଷର କରିଛି। ଜଣେ ଅନ୍‌ଲାଇନ୍‌ ନହେଲେ ଅଫ୍‌ଲାଇନ ମାଧ୍ୟମରେ ମଧ୍ୟ ବୁକ୍‌ କରିପାରିବେ। ସଙ୍ଗୀତ, ମେହେନ୍ଦି କାର୍ଯ୍ୟକ୍ରମଠୁ ଆରମ୍ଭ କରି ବାହାଘର ଓ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଓଟିଡିସି ଡେଷ୍ଟିନେସନ୍‌ ୱେଡିଙ୍ଗ୍ ପ୍ୟାକେଜ୍ ଭିତରେ ଆସିବ।

ସଂପୂର୍ଣ୍ଣ ବାହାଘର ପାଇଁ ପ୍ୟାକେଜ୍‌ ୨ଲକ୍ଷ ୧୭ ହଜାର ୫ଶହ ଟଙ୍କାରୁ ଆରମ୍ଭ। ଏହି ପ୍ୟାକେଜ୍‌ ମଧ୍ୟରେ ୫୦ ଜଣଙ୍କ ପାଇଁ ୨୫ଟି ରୁମ୍ ସହିତ ମିଲ୍‌, ସ୍ନାକସ୍‌, ଜଳଖିଆ, ମିନେରାଲ୍ ୱାଟର୍‌ ଏବଂ ୱେଡିଙ୍ଗ୍‌ ମିଲ୍‌ର ସୁବିଧା ରହିବ। ଏଥିସହିତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ଓ ଅଧିକ କିଛି ସାଜସଜ୍ଜା ଚାହୁଁଥିଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ।

ଏ ସମ୍ପର୍କରେ ଚାନ୍ଦିପୁର ପାନ୍ଥନିବାସର ମ୍ୟାନେଜର୍ ତାରିକ୍‌ ଅଲ୍ଲୀ କହିଛନ୍ତି, “ଚାନ୍ଦିପୁର ପାନ୍ଥନିବାସରେ ପୂର୍ବରୁ ବାହାଘର ବ୍ୟବସ୍ଥା ନଥିଲା। ପୂର୍ବରୁ ମାତ୍ର ୩ଟି ମାରୱାଡ଼ି ବାହାଘର ଆମେ କରିଛୁ। ସେଥିରେ ସେମାନେ କେବଳ ଆମଠୁ ସ୍ପେଶ୍ ନିଅନ୍ତି। ବାକି ସବୁ ବ୍ୟବସ୍ଥା ସେମାନେ ନିଜେ କରନ୍ତି। ଏବେ କିନ୍ତୁ ଏହି ୱେଡିଙ୍ଗ୍‌ ପ୍ୟାକେଜ୍‌ ଯୋଜନାରେ ଆମେ ସବୁ ପ୍ରକାର ବ୍ୟବସ୍ଥା କରିବୁ। ଲୋକେ ଏଥିପ୍ରତି ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ।“

ଏହି ପ୍ୟାକେଜ୍‌ ଯୋଜନାରେ ବାହାର ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ପର୍ଯ୍ୟଟକ ମଧ୍ୟ ଏଠାରେ ବାହାଘର ପାଇଁ ବୁକ୍ କରିପାରିବେ। ବାହାଘର ପାନ୍ଥନିବାସ କ୍ୟାମ୍ପସ୍‌ ଭିତରେ ହିଁ ହେବ। ଆସିବା ପାଇଁ ବସ୍‌ ଦିଆଯିବ। ବାହାଘର ପାଇଁ ସବୁ ଯୋଜନା ଯଥା ରୁମ୍‌, ହଲ୍‌, ମଣ୍ଡପ, ରୋଷେଇ ବ୍ୟବସ୍ଥା କରାଯିବ। ପ୍ୟାକେଜ୍‌ ବୁକ୍ ହେବା ପରେ ସେମାନଙ୍କ ପାଇଁ ଆଉ କିଛି କାମ ରହିବ ନାହିଁ।

Comment