ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୧ ଦିନ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାର ପୋଷାକ ପିନ୍ଧି ମଞ୍ଚକୁ ଆସନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ। ଜାଣନ୍ତୁ କିଏ ତାଙ୍କର ଏହି ପୋଷାକ ତିଆରି କରନ୍ତି?

  • ୧୧ ଦିନ ଧରି ଚାଲିବ କଂସ ରାଜୁତି
  • କଂସଙ୍କ ପୋଷାକରେ ଲାଗେ ମୋତି, ଜରି ଓ ପିତ୍ତଳ ସାମଗ୍ରୀ
  • ଚେନ୍ନାଇରୁ ଆସେ ରତ୍ନ ପଥର
  • ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା। ତାଙ୍କ ଗର୍ଜନରେ କମ୍ପିଉଠେ ବରଗଡ଼। ଦେଖିବାକୁ ଗଲେ କଂସ ରାଜାଙ୍କର ପୋଷାକ ଏବଂ କହିବାର ଶୈଳୀ ହିଁ ବରଗଡ଼ ଧନୁଯାତ୍ରାକୁ ଅଧିକ ଲୋକପ୍ରିୟ କରିପାରିଛି।kansa maharaj, baragarah dhanu yatra

ଏହି କଂସ ମହାରାଜାଙ୍କୁ ଦେଖିବା ପାଇଁ ଭାରତ ସମେତ ଭାରତ ବାହାରୁ ବହୁ ଦର୍ଶକ ବରଗଡ଼କୁ ଛୁଟି ଆସନ୍ତି। ୧୧ ଦିନର ଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି କଂସ ମହାରାଜା ରଙ୍ଗମହଲରେ ବିଜେ କରିଥାନ୍ତି। ମଥୁରା ନରେଶଙ୍କର ପୋଷାକ, ଆଭୂଷଣ ପ୍ରତିବର୍ଷ କିପରି ଆକର୍ଷଣୀୟ ହେବ ସେଥିପାଇଁ ଦୀର୍ଘ ୬୦ ବର୍ଷ ହେଲା ଦେବାନନ୍ଦ ସାହୁ (ବାଙ୍କାବାବୁ) ଉଦ୍ୟମ କରି ଆସୁଛନ୍ତି।

 ପୋଷାକ ତିଆରି ପଛରେ ଦେବାନନ୍ଦ ସାହୁ

ଧନୁଯାତ୍ରା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଦେବାନନ୍ଦ ସାହୁ (ବାଙ୍କା ବାବୁ) ପୋଷାକ ତିଆରି କାମରେ ଲାଗି ପଡ଼ନ୍ତି। ବାଙ୍କାବାବୁଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧି ବରଗଡ଼ କଂସ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ଦେବାନନ୍ଦଙ୍କ ପୂରା ପରିବାର ଏହି କଂସ ମହାରାଜଙ୍କ ପୋଷାକ ପ୍ରସ୍ତୁତିରେ ଲାଗି ପଡ଼ନ୍ତି। କେବଳ କଂସ ମହାରାଜା ନୁହେଁ କୃଷ୍ଣ ଏବଂ ବଳରାମଙ୍କ ପୋଷାକରେ ଶେଷ ସ୍ପର୍ଶ ଦେଇଥାନ୍ତି ବାଙ୍କାବାବୁ। ସେ ମଥୁରା ରାଜ ଦରବାରର ଅନ୍ୟ ମନ୍ତ୍ରୀଙ୍କ ପାଇଁ ମଧ୍ୟ ୧୧ ଦିନରେ ୧୧ ପ୍ରକାରର ପୋଷାକ ତିଆରି କରିଥାନ୍ତି।kansa maharaj 3

ପ୍ରତିବର୍ଷ କଂସଙ୍କ ପାଇଁ ନୂଆ ନୂଆ ପୋଷାକ ତିଆରି କରାଯାଇଥାଏ। ଏଥିରେ କିଛି ନୂଆ ଡିଜାଇନ୍‌ର ଛାପ ଦେଖିବାକୁ ମିଳିଥାଏ। ଏହାସହ ୧୧ ଦିନ ଧରି ସମସ୍ତ କଳାକାରଙ୍କୁ ବାଙ୍କା ବାବୁ ଭିନ୍ନ ଭିନ୍ନ ଗେଟଅପ୍‌ରେ ସଜେଇ ଦିଅନ୍ତି।

କଟକ ଏବଂ କଲିକତାରୁ ଆସେ ମୋତି-ଜରି

କଂସ ମହାରାଜା ଏବଂ କଂସ ଦରବାରର ଅନ୍ୟ ସଦସ୍ୟମାନଙ୍କ ପୋଷାକକୁ ଆକର୍ଷଣୀୟ କରାଯାଇଥାଏ। ପୋଷାକରେ ଲାଗୁଥିବା ମୋତି-ଜରି କଟକ ଏବଂ କଲିକତାରୁ ଆସୁଥିବା ବେଳେ ପିତ୍ତଳ ସାମଗ୍ରୀ ଏବଂ କିଛି ରତ୍ନ ପଥର ଚେନ୍ନାଇରୁ ଆସିଥାଏ।kanasa maharaj 4

 କଂସ ଭୂମିକାରେ ଅଭିନୟ କରିଛନ୍ତି ୭ ଜଣ

ଧନୁଯାତ୍ରା ଆରମ୍ଭ ହେବା ବେଳେ ବୁନ୍ଦି ରଥ ହେଉଥିଲେ ମଥୁରା ନରେଶ। ଏହାପରେ ଭିମ ଦାସ ଏବଂ ଯୁଧିଷ୍ଠିର ଶତପଥୀ ରଙ୍ଗମହଲରେ କଂସ ଭୂମିକାରେ କରିଥିଲେ ଅଭିନୟ। ଯୁଧିଷ୍ଠିର ୨୦ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଉଚ୍ଚକୋଟୀର ଥିବାରୁ ତାଙ୍କୁ ସମସ୍ତେ ମହାରାଜ ଭାବେ ସମ୍ବୋଧନ କରୁଥିଲେ। ଏହାପରେ ନୀଳାଚଳ ନାୟକ, ରାଧେଶ୍ୟାମ ଗଉନ୍ତିଆ, ଗୋପାଳ ସାହୁ, ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିଛନ୍ତି। ଏଥର ଭୁବନେଶ୍ୱର ପ୍ରଧାନଙ୍କୁ କଂସ ଭୂମିକାରେ ଅଭିନୟ କରିବା ଲାଗି ଚୟନ କରାଯାଇଛି।kansa maharaj 5

ଡିସେମ୍ବର ୩୧ରୁ ୧୧ ଦିନ ଧରି ଚାଲିବ କଂସ ଦରବାର। ବରଗଡ଼ର ପରିବା ମାର୍କେଟ ନିକଟସ୍ଥ ପେଣ୍ଡାଲ ପାଲଟିଯିବ ମଥୁରା ନଗରୀ। ସହରର ପଶ୍ଚିମରେ ବହି ଯାଉଥିବା ଜୀରା ନଦୀ ଯମୁନା ନଈ ସାଜୁଥିବା ବେଳେ ଅମାପାଲି ଗାଁ ପାଲଟିଯିବ ଗୋପପୁର।

Comment