ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ପାଳିଲା ୨୩ତମ ପ୍ରତିଷ୍ଠା ଦିବସ।
‘‘ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ବିଜେଡି କାମ କରୁଛି। ଆମେ କ୍ଷମତା ଲୋଭରେ ନୁହେଁ, ଲୋକଙ୍କ ପାଇଁ ସେବା କରୁଛୁ। ସେବା ଦ୍ଵାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ’’, ବିଜେଡି ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ନବୀନ ପଟ୍ଟନାୟକ।
ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ବିଜେଡି ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ।
ନବୀନ କହିଥିଲେ, ‘‘ଜାତିର ପିତା ମହାତ୍ମା ଗାନ୍ଧୀ ହେଉଛନ୍ତି ଆମର ଆଦର୍ଶ। ଗାନ୍ଧିଜୀ ସେବା ମନୋଭାବ ନେଇ କାମ କରୁଥିଲେ। ବିଜେଡି ବି ଲୋକଙ୍କ ସେବା କରି ଆସୁଛି। ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ଆମ ପରିବାର। ଓଡ଼ିଶାବାସୀ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତାର ସହ ପାଳନ କରୁଛୁ।’’
ପଞ୍ଚମ ପାଳି ସରକାର କ୍ଷମତାକୁ ଆସିବା ପରେ ବିଜେଡି ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ପାଳନ କରୁଛି। ଚଳିତ ବର୍ଷ ବିଜେଡି ପ୍ରତି ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରୁଛି।
‘‘ବିଜେଡି ମୋ’ ଉପରେ ନିର୍ଭରଶୀଳ ନୁହେଁ। ବିଜେଡି ତିଷ୍ଠି ରହିବା ପାଇଁ କେଉଁ ନେତାଙ୍କ ଉପରେ ନିର୍ଭରଶୀଳ ନୁହେଁ। ୨୨ ବର୍ଷ ଭିତରେ ବିଜେଡି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଯାଇଛି। ସାଢ଼େ ୪ କୋଟି ଲୋକଙ୍କ ଆଶା ଓ ବିଶ୍ୱାସକୁ ନେଇ ଚାଲିଛି ଆନ୍ଦୋଳନ’’, କହିଛନ୍ତି ନବୀନ।
ପ୍ରତିଷ୍ଠା ଦିବସ ଅବସରରେ ନେତା ଓ କର୍ମୀମାନେ ପାର୍ଟି ଅଫିସ୍ରେ ଉପସ୍ଥିତ ଥିଲେ। ଚାରିଆଡ଼େ ପ୍ରତିଷ୍ଠା ଦିବସର ହୋର୍ଡିଂ ଛାଇ ଯାଇଥିଲା। ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ପରିବେଶ କମ୍ପିଥିଲା।








ବିଜେଡି ପାଳିଲା ୨୩ତମ ପ୍ରତିଷ୍ଠା ଦିବସ।








