ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ। ନିର୍ଦ୍ଦେଶ ଗଲେ ସିଧା ନିଆଁ ଲଗାଇ ଦେବ। ଯାହା ହେବ ଦେଖାଯିବ’’ – କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଏହି ଫୋନ୍‌କଲ୍‌ ରାଜ୍ୟ ରାଜନୀତିରେ ଝଡ଼ ଆଣିଛି। ନବରଙ୍ଗପୁର ବନ୍ଦ ବେଳେ ପ୍ରଦୀପଙ୍କ ଏଭଳି ଫୋନ୍‌କଲ୍‌ ରାଜନୀତିକୁ ତତେଇଛି।

କନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଏବଂ ନିକଟରେ ନବରଙ୍ଗପୁର କୁମୁଣ୍ଡୁଳିର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ବେଳେ ପ୍ରଦୀପ ତାଙ୍କ ସମର୍ଥକଙ୍କୁ ହିଂସା ଆଚରଣ କରିବାକୁ ଫୋନ୍‌ରେ ଉସକେଇଥିଲେ। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ବନ୍ଦ ବେଳେ ହିଂସାତ୍ମକ ଆଚରଣ କେତେ ଜରୁରୀ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଛି।

‘‘ଆମେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଥିଲୁ। ପୋଲିସ ବାଧା ଦେଲା। କଂଗ୍ରେସ ଦଳର ଦୁଇ ଜଣ ନେତାଙ୍କ ଆଦର୍ଶରେ ଆମେ ବାଟ ଚାଲିଥାଉ। ଆମେ ଆଗରୁ ଗାନ୍ଧିଜୀଙ୍କ ନୀତିରେ ଚାଲୁଥିଲୁ। ହେଲେ କିଛି ଲାଭ ହେଲାନି। ଏବେ ସୁବାସ ବୋଷ୍‌ଙ୍କ ନୀତି ଆପଣାଇବାକୁ ବାଧ୍ୟ ହେଉଛୁ’’, କହିଛନ୍ତି ପ୍ରଦୀପ ମାଝି।

ପ୍ରଦୀପଙ୍କ ଏଭଳି ବୟାନଙ୍କୁ ନିନ୍ଦା କରିଛନ୍ତି ଝରିଗାଁ ବିଧାୟକ ରମେଶ ମାଝି। ସେ କହିଛନ୍ତି, ‘‘କଂଗେଅସ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ପରିଚାଳିତ ହେଉଛି। ହେଲେ ସେହି ଦଳର ନେତା ପ୍ରଦୀପ ମାଝି ଯେଉଁ ବୟାନ ଦେଇଛନ୍ତି ତାହା ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ମନ୍ତବ୍ୟ ଦେବା ଏବଂ ସମର୍ଥକଙ୍କୁ ହିଂସାକାଣ୍ଡ ପାଇଁ ଉସ୍‌କେଇବା ଦୁର୍ଭାଗ୍ୟଜନକ’’

ପ୍ରଦୀପଙ୍କ ଏହି ବୟାନ ଭାଇରାଲ ହେବା ପରେ ନବରଙ୍ଗପୁର ଆମ୍ବେଦକର ଛକରେ ନିଆଁ ଜଳିଥିଲା। ଉତ୍ତ୍ୟକ୍ତ ଲୋକେ ଏକ ଅବ୍ୟବହୃତ କାରରେ ନିଆଁ ଲଗାଇ ଦେଇଥିଲେ।

ପ୍ରଦୀପ ଆହୁରି କହିଛନ୍ତି ଯେ ବିଜେଡି ଶାସନ ଅମଳରେ ନାରୀମାନେ ଅସୁରକ୍ଷିତ। ଗଣଦୁଷ୍କର୍ମ ବଢ଼ି ଚାଲିଛି। ହେଲେ ପୀଡ଼ିତାଙ୍କୁ ନ୍ୟାୟ ମିଳୁନି। ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଚାପି ଦେଉଛି। ନ୍ୟାୟ ନମିଳିଳେ ଆଇନକୁ ହାତକୁ ନିଆଯିବ ବୋଲି ପ୍ରଦୀପ ଚେତାବନୀ ଦେଇଛନ୍ତି।

ଗତ ୧୩ ତାରିଖରେ ଦିଆଳି ପର୍ବ ଚାଲିଥିବା ବେଳେ ନବରଙ୍ଗପୁର ଗୁମଣ୍ଡଳୀ ଗାଁର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଏ ଦିଗରେ କୌଣସି ପଦକ୍ଷେପ ନେଇନି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସ ଚାପି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଂଗ୍ରେସ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା ଦେଇଥିଲା।

Comment