ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ‘ପେଟ୍ରୋଲ ଡିଜେଲ ପ୍ରସ୍ତୁତ ରଖ, ନିର୍ଦ୍ଦେଶ ଦେଲେ ନିଆଁ ଲଗାଇ ଦେବ’ ମନ୍ତବ୍ୟକୁ ନେଇ ରାଜନୀତିରେ ଝଡ଼ ଉଠିଛି। ପ୍ରଦୀପଙ୍କ ଏଭଳି ବୟାନକୁ ତାଙ୍କ ନିଜ ଦଳର ନେତା ସମର୍ଥନ କରୁ ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଣ ମାରିଛନ୍ତି। ଏହାକୁ ନେଇ ବୁଧବାର ପରି ଗୁରୁବାର ମଧ୍ୟ ରାଜନୀତି ପାଣିପାଗ ସରଗରମ ରହିଛି।

ଏପଟେ ନବରଙ୍ଗପୁର ପୋଲିସ ପ୍ରଦୀପଙ୍କ ସମେତ ୧୫ ଜଣଙ୍କ ନାଁରେ ନିଜ ଆଡୁ ମାମଲା ରୁଜୁ କରିଛି। ପ୍ରଦୀପଙ୍କ ନାଁରେ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦(ଖ)ରେ ମାମଲା ରୁଜୁ ହୋଇଛି।

ଏନେଇ ପ୍ରଦୀପ ମାଝି କହିଛନ୍ତି, ‘‘ଆମେ ଏଥିରେ ଭୟଭୀତ ହୋଇନାହୁଁ। ଏହା ରାଜ୍ୟ ସରକାର ଏବଂ ଗୃହ ବିଭାଗର ଏକ ନୀତି। ମୁଁ ଜବାବ ମାଗିଛି, ସରକାର ଜବାବ ନଦେଲେ ମୁଁ ଜବାବ ଦେବି। ପୋଲିସ ପୂରା ଜିଲ୍ଲାବାସୀଙ୍କ ନାଁରେ ଏତଲା ଦେଉ।’’

ପ୍ରଦୀପଙ୍କ ଏଭଳି ଆଚରଣକୁ ନିଜ ଦଳର ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିନ୍ଦା କରିଛନ୍ତି।

‘‘କଂଗେଅସ ଅହିଂସା ନୀତିରେ ବିଶ୍ୱାସ କରେ। କଂଗ୍ରେସ ଦଳ କେବେ ହିଂସାକୁ ପ୍ରଶୟ ଦିଏ ନାହିଁ। ପ୍ରଦୀପ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ କଥା। କଂଗ୍ରେସ ଦଳର କିଛି ନାହିଁ। ମୁଁ ଏହାକୁ ନିନ୍ଦା କରୁଛି’’, କହିଛନ୍ତି ତାରା।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଅନୁସରଣ କରେ। ପ୍ରଦୀପ ଭାବ ବିହ୍ଵଳ ହୋଇ ଏଭଳି କଥା କହିଛନ୍ତି। ପ୍ରଦୀପଙ୍କ ନାଁରେ ପୋଲିସ ଏତଲା ଦେବାକୁ ନେଇ ରାଜନୀତିକରଣ କରାଯାଉଥିବା ନିରଞ୍ଜନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ପ୍ରଦୀପ ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

‘‘କଂଗ୍ରେସ ପାଦ ତଳୁ ମାଟି ଧସି ଯାଇଛି। ଗତ ନିର୍ବାଚନରେ ପରାଜିତ ହେବା ପରେ କଂଗ୍ରେସ କିଛି ପ୍ରସଙ୍ଗ ପାଉନି। ଏଣୁ ତାଙ୍କ ଦଳର ନେତା ହିଂସାକୁ ଉସୁକଉଛନ୍ତି। ହିଂସା ଦ୍ୱାରା ଭୟ ଓ ଆତଙ୍କର ରାଜନୀତି କରିବାକୁ ଚାହୁଁଛି କଂଗ୍ରେସ’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ନବରଙ୍ଗପୁର କୋଷାଗୁମୁଡ଼ାର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ବନ୍ଦ ପାଳନ କରିଥିଲା। ଏହି ବନ୍ଦ ବେଳେ ପ୍ରଦୀପ ମାଝି ତାଙ୍କ ସମର୍ଥକଙ୍କୁ ପେଟ୍ରୋଲ ଡିଜେଲ ରେଡି କରି ରଖ ଏବଂ ନିର୍ଦ୍ଦେଶ କଲେ ନିଆଁ ଲଗାଇ ଦେବାକୁ ଫୋନ୍‌ରେ କହୁଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ରାଜନୀତି ତେଜିଛି।

Comment