ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ଲୋକପର୍ବ ‘ଚଇତି’ ମହୋତ୍ସବର ଦ୍ୱିତୀୟ ରଜନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚକୁ ଦୁଲୁକାଇ ଥିଲା।

ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଦୀପ ପ୍ରଜ୍ୱଳନ କରି ଚଇତି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ମୁଖ୍ୟ ଅତିଥି ରୂପେ ଇସ୍ପାତ ଓ ଖଣି ତଥା ପୂର୍ତ୍ତି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ।

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଥିଲେ, ‘‘ଚଇତି ହେଉଛି ଜିଲ୍ଲା ମହୋତ୍ସବ। ଯେଉଁଠି ସବୁ ଜିଲ୍ଲାବାସୀ ଏକତ୍ରିତ ହୋଇ ଏହାର ପ୍ରତ୍ୟେକ ମୁହୂର୍ତ୍ତର ମଜା ନେବେ। ମଞ୍ଚରେ କଳାକାରଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଆଦିବାସୀଙ୍କ ଆଦିମ ଲୋକକଳା, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜିବିତ କରିବ।’’

ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ମ୍ୟୁଜିକ ଗାଲାକ୍ସି ଟିମ୍‌ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ ପରିବେଷଣ ହୋଇଥିଲା। ଗଜପତି ଜିଲ୍ଲାରୁ ଆସିଥିବା ପ୍ରିୟଙ୍କା ଗ୍ରୁପ କଳାକାରଙ୍କ ଦ୍ୱାରା ମାହାରି ଲୋକନୃତ୍ୟ ମଞ୍ଚସ୍ଥ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଡଙ୍ଗରିଆ ଉନ୍ନୟନ ସଂସ୍ଥା ଚାଟିକଣାରୁ ଆସିଥିବା କଳାକରଙ୍କ ଦ୍ୱାରା ଆଦିମ ପାରମ୍ପରିକ ଲୋକନୃତ୍ୟ ପରିବେଷଣ ହୋଇଥିଲା।

ଏହାପରେ ସୁଦୂର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ନେପାଳରୁ ଆସିଥିବା ନୃତ୍ୟଶିଳ୍ପୀମାନେ ନିଜ ଦେଶର ପାରମ୍ପରିକ ଲୋକନୃତ୍ୟ ‘ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।

ଶ୍ରୀଲଙ୍କା ଦେଶର ଲୋକନୃତ୍ୟକୁ ଦେଖି ‘ଚଇତି’ ମଞ୍ଚ ପାର୍ଶ୍ୱରେ ଦର୍ଶକଙ୍କ ଭାରି ଭିଡ଼ ଜମିଥିଲା। ପଶ୍ଚିମବଙ୍ଗରୁ ଆସିଥିବା କଳାକାରଙ୍କ ସାଂସ୍କୃତିକ ଲୋକନୃତ୍ୟରେ ମଞ୍ଚ ଦୁଲୁକିଥିଲା।

‘ଚଇତି’ର ଦ୍ୱିତୀୟ ରାତିରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ୱାରା ମଞ୍ଚରେ ପରିବେଷଣ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା। ପଡୋଶୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧରୁ କଳାକାରମାନେ ଆସି ନିଜର ପାରମ୍ପରିକ ଲୋକନୃତ୍ୟ ମଞ୍ଚରେ ପରିବେଷଣ କରିଥିଲେ। ପରେ କୋରାପୁଟିଆ ଢେମ୍‌ସାର ତାଳେତାଳେ କାଶୀପୁର ସିମନ ନୃତ୍ୟ ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶର୍ବଣା ବିବେକ ଏମ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମୃତ ଋତୁରାଜ, ଉପଜିଲ୍ଲାପାଳ ଗୁଣୁପୁର ବିଏସ ବଳିରାମ, ରାୟଗଡା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ସମତ ଅନ୍ୟ ପ୍ରମୁଖ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ।

Comment