ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦୀର୍ଘ ୫ ଦିନ ଧରି ଚାଲିଥିବା ରାୟଗଡ଼ା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଉଦ୍‌ଯାପିତ ହୋଇଛି। ମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଥିଲା ବେଶ୍ ମନୋରମ। ଓଡ଼ିଶୀ, ଶାସ୍ତ୍ରୀୟ ନୃତ୍ୟ ସହ ଗୋଟିଏ ପରେ ଗୋଟିଏ ଲୋକ ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଦେଇଥିଲା। ଶେଷ ଦିନରେ ଶାସକଙ୍କଠାରୁ ପ୍ରଶାସକ ଓ ମନ୍ତ୍ରୀ ଚଇତି ମୁକ୍ତାକାଶ ମଞ୍ଚରେ ନାଚି ଥିଲେ। ଆଉ ଏହାକୁ ଉପଭୋଗ କରିବା ପାଇଁ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ହାତଛଡ଼ା କରିନଥିଲେ।

ଚଇତି ମହୋତ୍ସବର ଶେଷ ଶୀତୁଆ ସଂଧ୍ୟାରେ ଗୋଟିଏ ପରେ ଗୋଟିଏ ଲୋକ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା। ପ୍ରଥମେ ଓଡ଼ିଶୀ ନୃତ୍ୟଙ୍ଗନା ଦେବଦୀପ୍ତି ବିଶ୍ୱାଳଙ୍କ ନୃତ୍ୟ ବେଶ୍ ଆକୃଷ୍ଟ କରିଥିଲା ଦର୍ଶକଙ୍କୁ। ବିବାହ ପୂର୍ବରୁ ମହାଭାରତର କୁନ୍ତି କିପରି ସୂର୍ଯ୍ୟ ଦେବଙ୍କ ସହ ସାକ୍ଷାତ କରିଥିଲେ ଓ ପରେ କର୍ଣ୍ଣ ଜନ୍ମଲାଭ କରିଥିଲେ, ସେହି ଉକ୍ତିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତି ନିଖୁଣ ରୂପେ ପରିବେଷଣ କରିଥିଲେ। ପରେ ପରେ ରାୟଗଡ଼ା ସହରର କଳାକାରମାନେ ବିହୁ ନୃତ୍ୟ ପରିବେଷଣ କରିଥିଲେ।

ଶେଷ ଦିନରେ ମୁନିଗୁଡ଼ା ସନ୍ତୋଷୀ ଡାନ୍ସ ଗ୍ରୁପ ପକ୍ଷରୁ ଶିବ ତାଣ୍ଡବ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ ନବୀନ ଡାନ୍ସ ଏକାଡେମିରେ କୁନି କୁନି କଳାକାରମାନେ ଦେଶାତ୍ମବୋଧ ସଙ୍ଗୀତରେ ନୃତ୍ୟ ପରିବେଷଣ କରିବା ସହ ଛଉ, ବେଙ୍ଗଲି, ବିହୁ ଓ ଫ୍ୟୁଜନ୍ ଡାନ୍ସ ପରିବେଷିତ ହୋଇଥିଲା। ଆଉ ଏହାକୁ ମନୋଭରି ଉପଭୋଗ କରିଥିଲେ ସୂଦୁର ଆମେରିକାରୁ ଆସିଥିବା ବିଦେଶୀ ପର୍ଯ୍ୟଟକ।

ଶେଷରେ ଅତିଥିମାନଙ୍କ ଦ୍ଵାରା ଚଇତି ମହୋତ୍ସବର ସାହିତ୍ୟ ବିଶେଷାଙ୍କ ଚଇତାଳିର ଉନ୍ମୋଚନ ହୋଇଥିଲା। ପରିଶେଷରେ ଶିକ୍ଷା, କଳା, ସାହିତ୍ୟ ଓ ବିଜ୍ଞାନ ପ୍ରଦର୍ଶନୀରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comment