ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲାୟନ୍ସ କ୍ଲବରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଦିନକୁ ଦିନ ହ୍ରାସ ପାଉଥିବା ମୃତ୍ତିକା ସହ ଚାଷ କାର୍ଯ୍ୟକୁ କିଭଳି ବଜାୟ ରଖାଯାଇପାରିବ ସେ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, “ଅଧିକ ଅମଳ ପାଇବା ପାଇଁ ଚାଷୀମାନେ ଏବେ ଅଧିକ ସାର ବ୍ୟବହାର କରୁଛନ୍ତି। ଯାହାଫଳରେ ଧୀରେ ଧୀରେ ମୃତ୍ତିକାର ଉର୍ବରତା ହ୍ରାସ ପାଉଛି। ପାରମ୍ପରିକ କୃଷି ପଦ୍ଧତିରେ ଚାଷ କଲେ ମଧ୍ୟ ଚାଷୀଙ୍କୁ ଅଧିକ ଅମଳ ମିଳିବା ସହ ମାଟିର ଉର୍ବରତା ବଜାୟ ରହିପାରିବ।”

ଅମୃତ ଋତୁରାଜ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଜିଲ୍ଲାର ଚାଷୀମାନେ ବହୁଳ ପରିମାଣରେ କପା ଚାଷ କରୁଛନ୍ତି।  ଯଦି ସେମାନେ କେବଳ ଗୋଟିଏ ଚାଷ ଉପରେ ଗୁରୁତ୍ୱ ନଦେଇ ଅନ୍ୟ ଫସଲ ଉପରେ ଗୁରୁତ୍ୱ ଦେବେ, ତେବେ ମଧ୍ୟ ସେମାନେ ଲାଭବାନ ହୋଇପାରିବେ ବୋଲି ସେମାନେ କହିଛନ୍ତି। ସୂର୍ଯ୍ୟମୁଖୀ, ମକା ଚାଷ ଇଦ୍ୟାତି ପ୍ରତି ଅନୁରୂପ ଦେଲେ ଜିଲ୍ଲାର ଚାଷୀମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, ମୃତ୍ତିକାକୁ ଭାରତୀୟ ସଂସ୍କୃତିରେ ମା’ରୂପେ ବିବେଚନା କରାଯାଏ। ଜଙ୍ଗଲ କ୍ଷୟକୁ ରୋକିବା ପାଇଁ ଆମକୁ ପ୍ରଥମେ ମୃତ୍ତିକା କ୍ଷୟକୁ ରୋକିବାକୁ ହେବ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ଅଧିକାରୀ ଏସ୍‌ ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ରଥ ଓ ମୃତ୍ତିକା ରସାୟନବିତ୍‍ ନିରଞ୍ଜନ ମଲ୍ଲିକ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଦୁଷ୍ମନ୍ତକୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଜଗନ୍ନାଥ ବିନ୍ଧାଣି ପ୍ରମୁଖ ଯୋଗଦେଇଥିଲେ।

Comment