ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୋମବାର ଦିନ ଏକ ବଡ଼ ଅଘଟଣ ଘଟିଯାଇଛି। ଉପରସାଜା ଗ୍ରାମ ନିକଟରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। ଅନ୍ୟ ଦୁଇଜଣ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୋମବାର ସକାଳେ ପୋଲ ନିକଟରେ ଥିବା ଏକ ନାଳକୁ ୯ ଜଣ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଲଟି ଭୁଶୁଡ଼ି ପଡ଼ିବାରୁ ପୋଲ ତଳେ ୭ ଜଣ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ୫ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିବାବେଳେ ଅନ୍ୟଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ସ୍ଥିତି ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା।

କଲ୍ୟାଣସିଂହପୁର ବ୍ଲକ ଉପରସାଜା ଗ୍ରାମ ନିକଟସ୍ଥ ନାଳ ଉପରେ ପୋଲ କାମ ଚାଲିଥିଲା। ୨ ମାସ ହେଲା ଏହି ପୋଲର ଛାତ ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ ପୋଲ କାମ ବନ୍ଦ କରାଯାଇଥିଲା। ଆଜି ସକାଳେ ଏହି ପୋଲଟି ଭୁଶୁଡ଼ି ବଡ଼ ଧରଣର ଅଘଟଣ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କଲ୍ୟାଣସିଂହପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: #Rayagada #Kalyansinghpur #Death #UnderConstructionBridgeCollapse

Comment