ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବାପା ଚାଲିଯିବାର ଇତି ମଧ୍ୟରେ ୭ ବର୍ଷ ବିତି ଗଲାଣି। ମା’ ବି ୪ ଝିଅଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ବାପା ମା’ଙ୍କୁ ହରାଇ ଏବେ ଅନାଥ ପ୍ରାୟ ହୋଇଯାଇଛନ୍ତି ୪ ଭଉଣୀ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଦାଣ୍ଡିଆ ସାହିର ନାଗେଶ୍ୱର ଭତ୍ରାଙ୍କର ୪ ଝିଅ। କୁଲି ମଜୁରୀ କରି ପରିବାର ଚଳାଉଥିଲେ ନାଗେଶ୍ୱର। ଆର୍ଥିକ ଭାବେ ସ୍ଵଚ୍ଛଳ ନଥିବାରୁ ମୁଣ୍ଡଗୁଞ୍ଜିବାକୁ ଭଲ ଘର ଖଣ୍ଡେ କରିପାରି ନଥିଲେ ସେ। ନାଗେଶ୍ୱରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମନି ଭତ୍ରାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ବାପା ମା’ ଚାଲିଯିବା ପରେ ନାଗେଶ୍ୱରଙ୍କର ୪ ଝିଅ ଏବେ ଅନାଥ ହୋଇଯାଇଛନ୍ତି। ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ୪ ଭଉଣୀ। ଭଙ୍ଗା କୁଡ଼ିଆ ତଳେ ବଞ୍ଚିବାର ରାହା ଖଜୁଛନ୍ତି ନାଗେଶ୍ୱରଙ୍କ ୪ ଝିଅ। ପଡ଼ିଶା ଘର ଲୋକଙ୍କ ସହାୟତାରୁ ଏମାନଙ୍କ ପେଟକୁ ଦାନ ମୁଠାଏ ମିଳୁଛି।

୭ ବର୍ଷ ତଳେ ନାଗେଶ୍ୱର କିଡନୀ ଜନିକ ରୋଗରେ ପୀଡ଼ିତ ହୋଇ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସ୍ୱାମୀ ଚାଲିଯିବା ପରେ ସ୍ତ୍ରୀ ମନି ଭତ୍ରା ନିଜର ୪ ଝିଅଙ୍କୁ ଲାଳନପାଳନ କରିବା ପାଇଁ ହାଟ ବଜାରରେ ପନିପରିବା ବିକ୍ରି କରି ପରିବାର ଚଳାଉଥିଲେ। କିନ୍ତୁ ବିଧିର ବଡ଼ ବିଚିତ୍ର ଲୀଳା, କ୍ୟାନ୍ସରରେ ଗତ ଜୁନ ୧୭ ତାରିଖରେ ମନି ପ୍ରାଣ ହରାଇଲେ। ବାପା ମା’ଙ୍କୁ ହରାଇ ନାଗେଶ୍ୱରଙ୍କର ୪ ଝିଅ ଏବେ ବେସାହାରା ହୋଇଯାଇଛନ୍ତି।

ନାଗେଶ୍ୱରଙ୍କ ବଡ଼ ଝିଅ ରୋହିଣୀ ଭତ୍ରାର ବୟସ ୧୭ ବର୍ଷ ହୋଇଥିବାବେଳେ ମଝିଆଁ ଝିଅ ଜାନୁ ଭତ୍ରାର ବୟସ ୧୪ ବର୍ଷ। ଆଉ ଦୁଇ ଝିଅଙ୍କ ମଧ୍ୟରୁ ଜଣକ ବୟସ ୧୦ ବର୍ଷ ହୋଇଥିବାବେଳେ ସାନ ଝିଅର ବୟସ ୭ ବର୍ଷ। ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି ୪ ଭଉଣୀ।

ବେସାହାରା ହୋଇପଡ଼ିଥିବା ନାଗେଶ୍ୱରଙ୍କ ୪ ଝିଅଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ କିଛି ଲୋକ ଜିଲ୍ଲାପାଳଙ୍କୁ ଭେଟିଥିଲେ। ରାୟଗଡ଼ା ଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ ୪ ଭଉଣୀଙ୍କୁ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନାଗେଶ୍ୱରଙ୍କ ୪ ଝିଅଙ୍କର ରହିବା, ଖାଇବା ଏବଂ ପାଠପଢ଼ା ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।

Tags: #Rayagada #DistAdmin #NageswarBhatra

Comment