ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ଦୁଇଜଣ ଗର୍ଭବତୀ ମହିଳା। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତର ଗାଡ଼ରାମୁହିଁ ଗ୍ରାମରେ।

ଗାଡ଼ରାମୁହିଁ ଗାଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ବୁଧବାର ଦିନ ଗାଁର ସବିତା ମାଝି ଏବଂ ତୁରିକି ମାଝିଙ୍କର ଗର୍ଭଜନିତ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗାଡ଼ରାମୁହିଁ ଗାଁରୁ ଡାକ୍ତରଖାନାକୁ ଯିବାକୁ ହେଲେ ଗୋଟିଏ ନଦୀ ପାର କରିବାକୁ ପଡ଼େ। ଆମ୍ବୁଲାନ୍ସଟି ନଦୀର ଅପର ପାର୍ଶ୍ଵରେ ଅଟକି ରହିଥିଲା।

ସବିତା ଏବଂ ତୁରିକିଙ୍କର ଗର୍ଭଜନିତ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ସେମାନଙ୍କୁ ଖଟିଆ ଭାର କଟି ନଈ ପାର କରିଥିଲେ। ଉଭୟଙ୍କୁ କଲ୍ୟାଣସିଂପୁର ବ୍ଲକର ସିକରପାଇ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସବିତା ଏବଂ ତୁରିକି ଗୋଟିଏ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ଏହି ଘଟଣା କାଶୀପୁର ବ୍ଲକରେ ନୂଆ ନୁହେଁ। ଏହିଭଳି ସମସ୍ୟା ଏ ଅଞ୍ଚଳରେ ନିତିଦିନିଆ। କେତେବେଳେ ଗର୍ଭବତୀ ତ କେତେବେଳେ ବିଭିନ୍ନ ରୋଗରେ ପୀଡ଼ିତ ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆ କିମ୍ବା ଲୁଗାରେ ଭାର କରି ଡାକ୍ତରଖାନାକୁ ନେବାକୁ ହୁଏ। ଗ୍ରାମବାସୀ ବାରମ୍ବାର ଗାଡ଼ରାମୁହିଁ ଗାଁ ନିକଟରେ ଥିବା ନଦୀ ଉପରେ ଗୋଟିଏ ପୋଲ ନିର୍ମାଣ କରିବା ସହ ଯାତାୟତ ପାଇଁ ଭଲ ରାସ୍ତା କରିବାକୁ ଦାବି କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Tags: #Rayagada #PregnantWomen #Treatment #Odisha #Hospital

Comment