ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ରାଜନାଥ ସିଂହ। ବୁଧବାର ସେ କଳାହାଣ୍ଡି ଏବଂ ରାୟଗଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ଏଠାରେ ସେ ନିଜ ସମ୍ବୋଧନରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ରାଜନାଥ ସିଂହ ବୁଧବାର ସକାଳେ ସ୍ଵତନ୍ତ୍ର ହେଲିକପ୍ଟରରେ ଭବାନୀପାଟଣାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ସେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ଯାଇ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

“ମୁଁ ଅନେକ ଥର ଓଡ଼ିଶା ଆସିଛି, ହେଲେ ଚଳିତ ବର୍ଷ ମତେ ଏଠାକାର ରାଜନୈତିକ ପାଣିପାଗ ବଦଳିଲା ଭଳି ଲାଗୁଛି। ଓଡ଼ିଶାର ଜନତା ଏବେ ବିଜେପିକୁ ଆଡ଼କୁ ଢଳିବାକୁ ଲାଗିଛନ୍ତି। ଓଡ଼ିଶାର ବିଜେଡି ସରକାର ରାଜ୍ୟବାସୀଙ୍କୁ କେନ୍ଦ୍ରର ବିଭିନ୍ନ ଯୋଜନାଠାରୁ ଦୂରେଇ ରଖିଛନ୍ତି। ବିଜେପି ସରକାର ଆସିଲେ ସମସ୍ତଙ୍କୁ ଏହାର ଫାଇଦା ମିଳିବ। ଧନୀ ହେଉ ବା ଗରିବ ସମସ୍ତଙ୍କୁ ଆୟୁଷ୍ମାନ୍ ସ୍ଵାସ୍ଥ୍ୟ କାର୍ଡ ମିଳିବ”, କହିଛନ୍ତି ରାଜନାଥ ସିଂହ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେପି ସରକାର ଯାହା କହିଥାଏ ତାହା କରିକି ଦେଖାଏ, ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓଡ଼ିଶା ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଛି। ଏଥର ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”

ଭବାନୀପାଟଣାରେ କାର୍ଯ୍ୟକ୍ରମ ସାରି ରାଜନାଥ ସିଂହ ରାୟଗଡ଼ା ଅଭିମୁଖେ ବାହାରିଥିଲେ। ରାୟଗଡ଼ାରେ ସେ ବିଜେପିର ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ। ଏଠାରେ ମଧ୍ୟ ସେ ବିଭିନ୍ନ ସମସ୍ୟାକୁ ନେଇ ବିଜେଡିକୁ ସମାଲୋଚନା କରିଥିଲେ। ଏହାସହ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଉପସ୍ଥିତ ଲୋକମାନଙ୍କୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ, ବରିଷ୍ଠ ନେତା ଅର୍କ କେଶରୀ ଦେଓ, କଳାହାଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ ଏବଂ କୋରାପୁଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କାଳୀରାମ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଏହାସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଅନ୍ୟ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।    

Tags: #OdishaAssemblyElections2024 #RajnathSingh #ElectionCampaign #BJP #Kalahandi #Rayagada #Odisha 

LEAVE A REPLY

Please enter your comment!
Please enter your name here