ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଭୟ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍‌କୋ ପକ୍ଷରୁ ରାୟଗଡ଼ାର କଂସାରିଗୁଡ଼ାରେ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ ରିଫାଇନାରି ପ୍ରତିଷ୍ଠା କରାଯିବ। ସେହିପରି ରାୟଗଡ଼ାର ଫୁଲୁଜୁବା ଗ୍ରାମରେ ଉତ୍କଳ ଆଲୁମିନା ସୋସିଆଲ ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଏକ ପୋଷାକ କାରଖାନା ନିର୍ମାଣ କରାଯିବ।

“ଶିଳ୍ପ କ୍ଷେତ୍ର ପାଇଁ ଓଡ଼ିଶାରେ ଅନେକ ସୁଯୋଗ ରହିଛି। ରାଜ୍ୟର ପ୍ରାକୃତିକ ସମ୍ବଳ ବିଭିନ୍ନ ଶିଳ୍ପ ପାଇଁ ବହୁତ ଉପଯୋଗୀ ହେବାସହ ଓଡ଼ିଶାକୁ ସମୃଦ୍ଧ କରିବାରେ ବଡ଼ ଭୂମିକା ବହନ କରୁଛି। ଆଦିତ୍ୟ ବିର୍ଲା ଗ୍ରୁପର ଏହି ଦୁଇଟି ପ୍ରକଳ୍ପ ଯୋଗୁଁ ଅନେକ ଲୋକଙ୍କୁ ରୋଜଗାର ମିଳିବ। ଏହାଦ୍ଵାରା ରାୟଗଡ଼ାର ଆହୁରି ବିକାଶ ହେବ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଦିତ୍ୟ ବିର୍ଲା ଗ୍ରୁପର ଏହି ଦୁଇ ପ୍ରକଳ୍ପରେ ପ୍ରାୟ ୭,୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହ କେବଳ ପୋଷାକ କାରଖାନାରେ ୩,୦୦୦ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ। ଏଠାରେ ବର୍ଷକୁ ୩୬ ଲକ୍ଷ ସାର୍ଟ ତିଆରି ହେବ ବୋଲି ଗ୍ରୁପ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ ଉନ୍ନୟନ ବିଭାଗ ଏବଂ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ହିଣ୍ଡାଲ୍‌କୋର ପରିଚାଳନା ନିର୍ଦେଶକ ସତୀଶ ପାଇ ପ୍ରମୁଖ ଯୋଗ ଦେଇଥିଲେ।

Tags: #AdityaBirlaGroup #Hindalco #UtkalAlumina #Industries #Rayagada #DeptofIndustries #Odisha

LEAVE A REPLY

Please enter your comment!
Please enter your name here