ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଶିକରପାଇ ପଞ୍ଚାୟତର ଉପରସଜା ଗ୍ରାମ ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଙ୍ଗଳବାର ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ମଣ୍ଡଳ ଓ ସହକାରୀ ଯନ୍ତ୍ରୀ ଭେଙ୍କଟ ରମଣ ମୁଦୁଲିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ପୋଲ କାମ କରୁଥିବା ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ଦାଏର ହୋଇଛି। ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ଵେଧାଦେବ ସିଂ।

୪ ମାସ ପୂର୍ବରୁ ଉପରସଜା ନିକଟ ଜାପିଙ୍ଗ ନାଳ ଉପରେ କଲଭର୍ଟ (ଛୋଟ ପୋଲ) କାମ ଆରମ୍ଭ ହୋଇଥିଲା। ଦୁଇ ମାସ ତଳେ ସେଣ୍ଟ୍ରିଂ ପକାଯାଇଥିଲା, କିନ୍ତୁ ବର୍ଷା ଯୋଗୁଁ କାମ ବନ୍ଦ କରାଯାଇଥିଲା।

ସୋମବାର ସକାଳେ ଜାପିଙ୍ଗ ନାଳକୁ ୯ ଜଣ ଗାଧୋଇବାକୁ ଯାଇଥିବା ସମୟରେ ନିର୍ମାଣାଧୀନ ପୋଲଟି ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ଅନୁଧ୍ୟାନ କରି ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଆଜି ୩ ଜଣ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Tags: #Rayagada #Kalyansinghpur #Death #UnderConstructionBridgeCollapses #EngineersSuspend

Comment