ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଗୁଣିଗାରେଡି ସନ୍ଧେହରେ ୨୦୧୬ରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କୁ ୯ ଜଣ ବ୍ୟକ୍ତି ବିବତ୍ସ ଭାବେ ହତ୍ୟା କରିଥିଲେ। ଗୁଗୁବାର ଏହି ମାମଲାର ପୁନର୍ବିଚାର କରି ରାୟଗଡ଼ା ଜିଲ୍ଲା ଦୌରାଜଜ୍‍ ସମସ୍ତ ଦୋଷୀଙ୍କ ଫାଶୀଦଣ୍ଡକୁ କାଏମ୍ ରଖିଛନ୍ତି।

ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅଧୀନ କିତ୍ତୁମ ଗ୍ରାମରେ ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ସେହି ଗ୍ରାମର ଜଣେ ନାବାଳକ ସମେତ ୯ ଜଣ ବ୍ୟକ୍ତି ଅପହରଣ କରି ନେଇ ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏହାସହ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ବିଷାକ୍ତ କୀଟନାଶକ ଇଞ୍ଜେକ୍ସନ ଦେଇ ମାରିଦେବା ସହ ପୋତି ଦେଇଥିଲେ।ଏହାପରେ ପ୍ରମାଣକୁ ଲୁଚାଇବା ପାଇଁ ମୃତଦେହକୁ ଆଣି ପୋଡି ଦେଇଥିଲେ। ହେଲେ ଏହିସବୁ ଘଟଣାକୁ ମୃତ ଦମ୍ପତ୍ତିଙ୍କର ସାନ ଝିଅ ଦେଖିଥିଲେ। ତେଣୁ ଦୁବୃର୍ତ୍ତମାନେ ଏ ବାବଦରେ କାହାରିକୁ ନ କହିବା ପାଇଁ ସାନଝିଅକୁ କହିଥିଲେ। ଯଦି ସେ କାହାକୁ କହିବେ ତେବେ ତାଙ୍କୁ ମଧ୍ୟ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।

ଏହି ହତ୍ୟା ଘଟଣାରେ ପୁଟାସିଂ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ୨୦୧୮ ଏପ୍ରିଲ ୧୩ ତାରିଖରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ହେଲେ ଏହାକୁ ବିରୋଧ କରି ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର ପୁନଃବିଚାର ପାଇଁ ରାୟଗଡ଼ା ଜିଲ୍ଲା ଦୌରାଜଜ୍ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ।ତେବେ ଗୁରୁବାର ଏହି ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ମାମଲାର ଶୁଣାଣି କରି ୯ ଜଣ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ୍ ରଖିଛନ୍ତି। ଅନ୍ୟପଟେ ଏହି ମାମଲରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟରେ ଅପିଲ କରାଯିବ ବୋଲି ପ୍ରତିପକ୍ଷ ଓକିଲ ବିଷ୍ଣୁ ପଣ୍ଡା କହିଛନ୍ତି।

Comment