ଓଡ଼ିଶାଲାଇଭ୍ ବ୍ୟୁରୋ

  • ସ୍ଥିତି ଅନୁଧ୍ୟାନ କରିବାକୁ କାଶୀପୁରରେ ୨ ଜଣିଆ ଡାକ୍ତରୀ ଟିମ୍
  • ଡାକ୍ତରଖାନାରେ ୪୦ ଜଣଙ୍କର ଚାଲିଛି ଚିକିତ୍ସା

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତିକୁ ନେଇ ଆତଙ୍କ ଦେଖାଦେଇଛି। ୨୪ ଘଣ୍ଟା ମଧ୍ୟରେ ଝାଡ଼ାବାନ୍ତି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ବିଭିନ୍ନ ଚିକିତ୍ସାଳୟରେ ପ୍ରାୟ ୪୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଝାଡ଼ାବାନ୍ତିର କାରଣ ଜଣାପଡ଼ିନଥିବାବେଳେ ସ୍ଥିତି ଅନୁଧ୍ୟାନ କରିବା ଲାଗି ଶନିବାର ଦିନ ରାୟଗଡ଼ାରେ ପହଞ୍ଚିଛନ୍ତି ଦୁଇ ଜଣିଆ ଡାକ୍ତରୀ ଟିମ୍। ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବସନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ କାଶୀପୁର ବ୍ଲକ ଗସ୍ତ କରିଛନ୍ତି।

ପାଞ୍ଚଦିନ ହେଲା କାଶୀପୁର ଅଞ୍ଚଳରେ ଛାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଶୁକ୍ରବାର ଦିନ ଝାଡ଼ାବାନ୍ତିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ ୪୦ ଜଣ ଚିକିତ୍ସାଧୀନ ରହିଛନ୍ତି। ମୃତକମାନେ ହେଲେ ଟିକିରି ପଞ୍ଚାୟତ କୋରାକୁପିଲିସାହିର ଧୋବା ମାଝି (୩୬), ଝୋଡ଼ିଆ ସାହିର ସରୋଜିନି ଝୋଡ଼ଆ (୩୦), ଅଞ୍ଜ ଝୋଡ଼ିଆ (୧୮), ରଜନି ଝୋଡ଼ିଆ (୧୪) ଓ ଗବର ଘାଟି ଗ୍ରାମର କନେଇ ମାଝୀ (୫୯)। ଝାଡ଼ାବାନ୍ତିରେ ମୃତ୍ୟୁ ହେବା ପରେ କାଶୀପୁର ଅଞ୍ଚଳରେ ଏବେ କୋକୁଆ ଭୟ ଦେଖାଦେଇଛି। ପୂର୍ବରୁ କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ସଦର ଅଞ୍ଚଳର ସବିତା ନାୟକ (୪୧) ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା।

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୮ ଜଣ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଜଣ ଏବଂ ଉଷାପଡ଼ା ସ୍ଥିତ କମ୍ପାନୀ ଚିକିତ୍ସାଳୟରେ ୧୨ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଦୁଡୁକାବାହଲ ପଞ୍ଚାୟତ ସମେତ ଟିକିରି, ଶଙ୍କରଡ଼ା ଓ ମାଇକଞ୍ଚ ପଞ୍ଚାୟତର ରହିଛନ୍ତି।

ଅନ୍ୟପକ୍ଷରେ ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ଅଭିଯୋଗ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଦିନ ପ୍ରଶାସନିକ ଅଧିକାରୀ କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ପଜିଲ୍ଲାପାଳ ଭୀମସେନ ଶବର, ବିଡିଓ ଦେବାଶିଷ କର ଏବଂ ତହସିଲଦାର ଶରତ ଶବର ପ୍ରମୁଖ ସ୍ଥାନୀୟ ଝୋଡ଼ିଆସାହି ଓ ଦୁଡୁକାବାହାଲ ପଞ୍ଚାୟତ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ କୂଅ ପୋଖରୀରେ ବ୍ଲିଚିଂ ପାଉଡର ପକାଇବା ସହ ପାଣିକୁ ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ।

କାଶୀପୁର ବ୍ଲକରେ ଅସ୍ଥାୟୀ କ୍ୟାମ୍ପ କରି ସ୍ଥିତି ଉପରେ ନଜର ରଖାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଅନ୍ୟ ପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବି ରାଜୁଙ୍କ ନେତୃତ୍ୱରେ ୪ଟି ମୋବାଇଲ ହେଲ୍‍ଥ ଟିମ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ କରି ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ଝାଡ଼ାବାନ୍ତିରେ ପୀଡ଼ିତଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି।

Tags: #Health #HealthIssue #Death #Treatment #Hospital

Comment