ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତର ୭ଟି ଗାଁ ପଣସଗୁଡ଼ା, ପୁଷଘାଟି, କାନ୍ଦ୍ରମୁଇଁ, କେଶମୁଇଁ, କୁଟିଗାଁ, କୁଟିମୁଇଁ ଓ ପାଡ଼ାରିଗୁଡ଼ାର ଲୋକେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗାଁକୁ ଭଲ ରାସ୍ତାଟିଏ ନଥିବାବେଳେ ଦୁଇ ମୁହାଁଣ ନଦୀ ପାର ହେବାକୁ ପୋଲଟିଏ ସାତ ସପନ ହୋଇ ରହିଥିଲା। ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲେ। ଫଳରେ ପୋଲ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲେ ପୁଷଘାଟି ଗାଁର ଶ୍ୟାମଧର ମାଝି। ଜିଆରଏସ ଚାକିରି କରୁଥିବା ଶ୍ୟାମଧର ୩ ଲକ୍ଷ ୩୦ ହଜାର ଟଙ୍କା ଯୋଗାଡ଼ କରି ଗାଁ ଲୋକଙ୍କ ସହଯୋଗରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି।

ଗମନାଗମନ ପାଇଁ ସୁବିଧା ନଥିବାରୁ ବର୍ଷା ଦିନ ହେଲେ ଗୋଡ଼ିବାଲି ପଞ୍ଚାୟତର ୭ଟି ଗାଁର ଲୋକେ ଜଳବନ୍ଦୀ ହୋଇ ରହୁଥିଲେ। ଖରା ଦିନେ ଦୁଇ ମୁହାଁଣ ନଦୀ ଶୁଖିଲା ରହୁଥିବାରୁ ନଦୀ ଭିତରେ ପଶି ପଞ୍ଚାୟତବାସୀ ଜୀବିକା ଅର୍ଜନ କରିବାକୁ ବାହାରକୁ ଯାଇଥାନ୍ତି। କିନ୍ତୁ ଗାଡ଼ି ମଟର ଯାତାୟତ ପାଇଁ କୌଣସି ସୁବିଧା ନଥିବାରୁ ଜରୁରୀ ସମୟରେ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହେବାକୁ ପଡ଼ୁଥିଲା ପଞ୍ଚାୟତବାସୀଙ୍କୁ। ଶିକ୍ଷାଠାରୁ ସ୍ଵାସ୍ଥ୍ୟ ସେବା ସବୁ କିଛି ଅପହଞ୍ଚ ହୋଇ ରହିଛି ଗୋଡ଼ିବାଲି ପଞ୍ଚାୟତ ଅଧୀନରେ ରହିଥିବା ସାତଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ।

ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି ଏହି ୭ଟି ଗ୍ରାମର ବାସିନ୍ଦା। ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି ଥକି ପଡ଼ିଥିଲେ ସୁଦ୍ଧା କୌଣସି ସୁଫଳ ପାଳିପାରିଲା ନାହିଁ।

ନିଜ ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ଶ୍ୟାମଧର ମାଝି ଅଣ୍ଟା ଭିଡ଼ିଥିଲେ। ନିଜ ଦରମା ଟଙ୍କା ସହ ଅନ୍ୟ କିଛି ବନ୍ଧୁଙ୍କ ସହଯୋଗ ଲୋଡ଼ି ୩ ଲକ୍ଷ ୩୦ ହଜାର ଟଙ୍କା ଯୋଗାଡ଼ କରିଥିଲେ। ଏହା ପରେ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଶ୍ୟାମଧର ଗ୍ରାମବାସୀଙ୍କ ସହଯୋଗ ଲୋଡ଼ି ଥିଲେ। ଗାଁ ଲୋକଙ୍କ ସହ ଯୋଗ ପରେ ଦୁଇ ମୁହାଁଣ ନଦୀ ଉପରେ ଗୋଟିଏ କାଠ ପୋଲ ନିର୍ମାଣ କରାଯାଇଛି। ନଦୀ ମଝିରେ ତିନୋଟି କଂକ୍ରିଟ ଖୁଣ୍ଟ ନିର୍ମାଣ କରି ତା’ ଉପରେ କାଠଗଣ୍ଡିରେ କଣ୍ଟା ବାଡ଼େଇ ନିର୍ମାଣ କରାଯାଇଛି ଏହି ପୋଲଟିକୁ।

ବର୍ତ୍ତମାନ ପୋଲ ଉପରେ ସାତଖଣ୍ଡ ଗାଁର ଲୋକେ ସୁବିଧାରେ ଯାତାୟତ କରୁଛନ୍ତି। ସାଇକେଲ, ବାଇକ ଏବଂ ଆମ୍ବୁଲାନ୍ସ ମଧ୍ୟ ଏହି ପୋଲ ଉପରେ ଯାଇପାରୁଛି। ନଦୀରେ ପୋଲଟିଏ ନଥିବାରୁ ଦୀର୍ଘ ସାତ ଦଶନ୍ଧି ଧରି ଗମନାଗମନରେ ଅସୁବିଧା ଭୋଗୁଥିଲେ ଗ୍ରାମବାସୀ। ସାଧାରଣ ରୋଗୀ ହେଉ କିମ୍ବା ଗର୍ଭବତୀ ମହିଳା ସେମାନଙ୍କୁ ଭାର କରି ମେଡ଼ିକାଲ ନେବାକୁ ପଡ଼ୁଥିଲା। ବର୍ଷା ଦିନେ ଜଳବନ୍ଦୀ ହୋଇ ଲୋକେ ଘରେ ରହୁଥିବାରୁ ବାହାରକୁ ଯାଇ ଦି’ ପଇସା ରୋଜଗାର କରିବାର ବାଟ ବନ୍ଦ ହୋଇଯାଉଥିଲା। ଏହି ପୋଲ ନିର୍ମାଣ ପରେ ଲୋକଙ୍କ ସମସ୍ୟା କିଛି ପରିମାଣରେ ଦୂର ହୋଇପାରିଛି।

Comment