ଓଡ଼ିଶାଲାଇଭ୍ ବ୍ୟୁରୋ

ପାଞ୍ଚ ଦିନ ଧରି ଲୋକଗୀତ ଓ ଲୋକନୃତ୍ୟରେ ଦୁଲୁକିବ ଚଇତି ଲୋକ ମହୋତ୍ସବ।

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ଲୋକ ମହୋତ୍ସବ ‘ଚଇତି’-୨୦୧୯ ଓ ପଲ୍ଲିଶ୍ରୀ ମେଳା ଗୁରୁବାର ଉଦ୍‍ଘାଟିତ ହୋଇଛି।

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ପୌରୋହିତ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍‌ ଓ କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ଉପସ୍ଥିତରେ ଅଧିଷ୍ଟାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା ଆୟୋଜନ ହୋଇଥିଲା।

ମା’ଙ୍କଠାରୁ ଅଜ୍ଞାମାଳ ଓ ମଶାଲ ଆଣି ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ସେଠାରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଘେନି ଉକ୍ତ ଶୋଭାଯାତ୍ରା ପୁଣି ସହର ପରିକ୍ରମା କରି ‘ଚଇତି’ ପଡ଼ିଆଠାରେ ପହଞ୍ଚିଥିଲା। ବିରାଟ ଶୋଭାଯାତ୍ରା ପଟୁଆରା ସାଙ୍ଗକୁ ସହର ରାସ୍ତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାକୁ ଦେଖିବା ଲାଗି ସହର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଥିଲା। ଶେଷରେ ଉକ୍ତ ପଦଯାତ୍ରା ‘ଚଇତି’ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ମଶାଲ୍‍ ଓ ଆଜ୍ଞାମାଳ ମଞ୍ଚରେ ସ୍ଥାପନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ପଲ୍ଲିଶ୍ରୀ ମେଳାକୁ ଉଦ୍‍ଘାଟନ କରିଥିଲେ।

ଏଥିସହ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ସହ ଷ୍ଟଲ ପରିଦର୍ଶନ କରିଥିଲେ। ପରେ ଶ୍ରୀ ମିଶ୍ର ମଞ୍ଚରେ ଉପସ୍ଥିତ ରହି ‘ଚଇତି’ ମହୋତ୍ସବ-୨୦୧୯ ଶୁଭାରମ୍ଭ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଆଦିବାସୀ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବୀଣାପାଣି ସାହୁକାର ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ, ‘‘ଦୁଇ ହଜାର ବର୍ଷ ପୂର୍ବରୁ ରାୟଗଡ଼ା ମାଟିରେ ଯାହା କଳା ସଂସ୍କୃତି ରହିଥିଲା ତାହା ଆଜି ବି ଆଦିମ ଅଧିବାସୀଙ୍କ ମଧ୍ୟରେ ଉଜ୍ଜୀବିତ ହୋଇ ରହିଛି। କିନ୍ତୁ ଆଗାମୀ ଦୁଇ ହଜାର ବର୍ଷ ଯାଏଁ ଆଧୁନିକତାର ଛାପରେ ଏଗୁଡ଼ିକ ବିଲୀନ ହେବାକୁ ଯାଉଛି। ହେଲେ ଚଇତି ଭଳି ମଞ୍ଚ କଳା, ସଂସ୍କୃତିକୁ ଯେଭଳି ଉଜ୍ଜୀବିତ କରୁଛି ତାହା ଆଗାମୀ ଦଶନ୍ଧି ଧରି ରହିଥିବ, ଏହା ହିଁ ଚଇତିର ବିଶେଷତ୍ୱ।’’

ସେ ଆହୁରି ମଧ୍ୟ କହିଥିଲେ, ‘‘ଏହି ମାଟିର ଆଦିମ କଳା ସଂସ୍କୃତି ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରକୃତିକୁ ନେଇ ଆଦିବାସୀଙ୍କ ପରମ୍ପରା ରହିଆସିଛି। ଆଜିର ବିଶ୍ୱ ସାମଗ୍ରିକ ବିକାଶ ପାଇଁ ଆଦିବାସୀଙ୍କଠାରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି।’’

ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିବା ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ସଂଖ୍ୟାଲଘୁ ଏବଂ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ, ଆଦିବାସୀ ଲୋକକଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିଛି ଚଇତି ମଞ୍ଚ। ଶିକ୍ଷା, ସଂସ୍କୃତି, ସାହିତ୍ୟକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଛି ଏହି ଚଇତି ମଞ୍ଚ। ଏହି ମଞ୍ଚ ମାଧ୍ୟମରେ ଗାଁ ଗହଳିର ଲୁକ୍କାୟିତ ପ୍ରତିଭା ପ୍ରସ୍ପୁଟିତ ହୋଇପାରୁଛି। ଲୁକ୍କାୟିତ ପ୍ରତିଭାକୁ ଜନସାଧାରଣଙ୍କ ନିକଟରେ ପରିଚିତ କରୁଛି ଏହି ଚଇତି ମଞ୍ଚ। ଚଇତି ଭାଇଚାରାର ପର୍ବ। ସମସ୍ତେ ଏକତ୍ରିତ ହୋଇ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ସାମିଲ୍‍ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅନୀତା ରାଜଗୁରୁଙ୍କ ଦ୍ୱାରା ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ପୁଟାସିଂରୁ ଆସିଥିବା ଆଦିବାସୀ ଲୋକନୃତ୍ୟ କଳାକାରଙ୍କ ଦ୍ୱାରା ଲାଞ୍ଜିଆ ସୌରା ନୃତ୍ୟ ପରିବେଷଣ ବେଳେ ଦର୍ଶକ ମନଭରି ଉପଭୋଗ କରିଥିଲେ। ତାହାସହ ପଡ଼ୋଶୀ ଦେଶ ନେପାଳ ଓ ଶ୍ରୀଲଙ୍କାର ଲୋକନୃତ୍ୟ ପରିବେଷଣ କଳାଶୈଳୀ ଦର୍ଶକଙ୍କ ମନ ମୋହିଥିଲା।

ପ୍ରଥମ ଦିନରେ ଲାଞ୍ଜିଆ ସୋଉରା, ପାଇକ ଆଖଡ଼ା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ରାଜ୍ୟର ଲୋକନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

Comment