ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଅଧିକାଂଶ ଗାଡ଼ି ଚାଳକ ସଚେତନତା ଅଭାବରୁ ମୋଟା ଅଙ୍କର ଜରିମାନା ଗଣିଥା’ନ୍ତି। ଏଥିପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ରାୟଗଡ଼ା ଜିଲ୍ଲା ପୋଲିସ ତରଫରୁ ଏକ ସଚେତନ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ପଥପ୍ରାନ୍ତ ନାଟକ ମାଧ୍ୟମରେ ରାୟଗଡ଼ା ସହରବାସୀଙ୍କୁ ଟ୍ରାଫିକ୍‌ ନିୟମ ମାନି ଚଳିବା ଉପରେ ସଚେତନ କରାଯାଇଥିଲା। ଏହାସହ ଏକ ବାଇକ୍‌ ରାଲି ସହରର ବିଭିନ୍ନ ଗଳିକନ୍ଦି ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିଥିଲେ।

ଏହି ବାଇକ୍‌ ଶୋଭାଯାତ୍ରା ପ୍ରଥମେ ଶିରିଗୁଡ଼ା ଛକ, ଶାସ୍ତ୍ରୀନଗର, ରୋଇତ କଲୋନି, କୋରାପୁଟଛକ, କପିଳାସ ଛକ, ଷ୍ଟେସନ ଛକ ସମେତ ତୁମ୍ବିଗୁଡ଼ାଛକ ପରେ ରିଙ୍ଗ ରୋଡ୍‌ ଦେଇ ଜିସିଡି ପଡ଼ିଆରେ ପହଞ୍ଚିଥିଲା। ଉକ୍ତ ଶୋଭାଯାତ୍ରାରେ ଶତାଧିକ ଲୋକେ ପୋଲିସ ସହ ସାମିଲ ହୋଇ ସଡ଼କ ସୁରକ୍ଷା  ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

ହାତରେ ଫ୍ଲା କାର୍ଡ ଧରି ସଡ଼କ ସୁରକ୍ଷା ବାର୍ତ୍ତା, ସ୍ଲୋଗାନ ପ୍ରଦର୍ଶନ କରି ଏହି ବାଇକ ଶୋଭାଯାତ୍ରା ସହରପରିକ୍ରମା କରିଥିଲା।

ନୂତନ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ସଡ଼କ ନିୟମକୁ ନ ମାନୁଥିବା ବ୍ୟକ୍ତିଙ୍କ ଉପରେ ବର୍ଦ୍ଧିତ ଜରିମାନା ଲାଗୁ ହେବ। ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ସିଟ୍‌ ବେଲ୍ଟ ନ ପିନ୍ଧି ଗାଡ଼ି ଚଳାଇବା, ଭୁଲରାସ୍ତାରେ(ରଙ୍ଗ ୱେ) ରୁଟରେ ଗାଡ଼ିଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥାହେବା ଭଳି ୮ଟି ନିୟମକୁ ଚାଳକ ଅଣଦେଖା କଲେ ନୂତନ ବର୍ଦ୍ଧିତ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଆରକ୍ଷୀ ଶ୍ରବଣା ବିବେକ ଏମ୍‌ ଶୋଭାଯାତ୍ରା ଶେଷରେ ଉପସ୍ଥିତ ଲୋକଙ୍କୁ କହିଥିଲେ।

ଏହି ରାଲିରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ, ରାୟଗଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ବାଳିକା ମହାବିଦ୍ୟାଳୟ ଛାତ୍ରୀଙ୍କ ସମେତ ସହର ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ସଂଘ ସଦସ୍ୟ, ଟ୍ରକ ସଂଘର ସଦସ୍ୟ ଓ ପୋଲିସ କର୍ମୀଙ୍କ ସମେତ ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଓ ଅନ୍ୟପ୍ରମୁଖ ବ୍ୟକ୍ତି ବିଶେଷ ଶୋଭାଯତ୍ରାରେ ସାମିଲ ହୋଇଥିଲେ।

Comment