ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯାଇଛି। କେନ୍ଦ୍ର ପରିବହନ ମନ୍ତ୍ରାଳୟର ନୂଆ ଗାଇଡଲାଇନ ଅନୁଯାୟୀ ରାଜ୍ୟ ପରିବହନ ବିଭାଗଗୁଡ଼ିକ ଏଣିକି ଅଧିକ ଶକ୍ତିଶାଳୀ ହେବେ। ନୂଆ ନିର୍ଦ୍ଦେଶ ଅନୁସାରେ ଟ୍ରାଫିକ ନିୟମ ବା ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ପରିବହନ କମିସନର।

ପୂର୍ବରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ବର୍ତ୍ତମାନ ତାହା ଦୁଇ ଗୁଣ ବୃଦ୍ଧି କରାଯାଇଛି। ଏଣିକି ସମସ୍ତ ରାଜ୍ୟରେ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଆଇନ ଉଲ୍ଲଙ୍ଘନର ୧୫ ଦିନ ମଧ୍ୟରେ ଘରକୁ ନୋଟିସ ଯିବ। ତା’ଛଡ଼ା ସମସ୍ତ ଟ୍ରାଫିକ ନିୟମ ଉଲ୍ଲଙ୍ଘନର ଏକ ରେକର୍ଡ ରଖାଯିବ।ନୂଆ ଟ୍ରାଫିକ ନିୟମ

ନୂଆ ନିୟମ ଅନୁସାରେ, ଯଦି କୌଣସି ଚାଳକ ପ୍ରଥମଥର ପାଇଁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ୩ମାସ ପର୍ଯ୍ୟନ୍ତ ଅସ୍ଥାୟୀଭାବେ ରଦ୍ଦ କରାଯିବ। ଏଥିସହ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ, ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର କରୁଥିଲେ, ହେଲମେଟ୍ ପିନ୍ଧିନଥିଲେ, ଭୁଲ୍ ଦିଗରେ ଗତି କରୁଥିଲେ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ, ଟ୍ରାଫିକ ସିଗନାଲ ଭଙ୍ଗକଲେ, ଦରକାରଠାରୁ ଅଧିକ ଲୋକ କିମ୍ବା ମାଲ ପରିବହନ କଲେ ଚାଳକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସାଙ୍ଗକୁ ମୋଟା ଅଙ୍କର ଫାଇନ ଆଦାୟ କରିବା ପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସଡ଼କ ନିରାପତ୍ତା ନେଇ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଅନୁସାରେ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ୨୦୧୯ରେ ଦିଲ୍ଲୀ ସମେତ ଅନେକ ସହରରେ ଫାଇନ ଆଦାୟ ପାଇଁ ଇ-ଚାଲାଣର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

୨୦୧୯ରେ ଲାଗୁ ହୋଇଥିଲା ଟ୍ରାଫିକ ନିୟମ

୨୦୧୯ରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମକୁ ସହଜରେ ଗ୍ରହଣ କରିପାରିନଥିଲେ ସାଧାରଣ ଜନତା। କାରଣ ଏହି ନିୟମ ଅନୁସାରେ ପୂର୍ବାପେକ୍ଷା ଦଶ ଗୁଣା ଫାଇନ ବୃଦ୍ଧି କରାଯାଇଥିଲା। ଟ୍ରାଫିକ୍ ପୋଷ୍ଟରେ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ୫ ହଜାର ଟଙ୍କା କରାଯାଇଥିଲା, ଯାହାକି ପୂର୍ବରୁ ୧ହଜାର ଟଙ୍କା ରହିଥିଲା। ସେହିପରି ମଦ୍ୟପାନ କରି ଗାଡ଼ି ଚଲାଇଲେ ୧୦ ହଜାର ଟଙ୍କା, ଭୁଲ ଦିଗରେ ଗାଡ଼ି ଚଲେଇଲେ ୫ ହଜାର ଟଙ୍କା, ବେପରୁଆ ଗାଡ଼ି ଚାଳନା ପାଇଁ ୫ହଜାର ଟଙ୍କା, ସିଟ୍ ବେଲ୍ଟ ନପିନ୍ଧି ଗାଡ଼ି ଚଲାଇଲେ ୧ ହଜାର ଟଙ୍କା, ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କଲେ  ୫ ହଜାର ଟଙ୍କା, ହେଲମେଟ୍ ନପିନ୍ଧି ଗାଡ଼ି ଚଲାଇଲେ ୧ ହଜାର ଟଙ୍କା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିଲେ ୫ ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ ୫ହଜାର ଟଙ୍କା କରାଯାଇଥିଲା।୨୦୧୯ ଟ୍ରାଫିକ ନିୟମକୁ ନେଇ ଭୁବନେଶ୍ଵରରେ ହୋଇଥିଲା ଖଣ୍ଡଯୁଦ୍ଧ

୨୦୧୯ ମସିହାରେ ଟ୍ରାଫିକ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ଯାହାଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହି ନିୟମକୁ ବିରୋଧ କରାଯାଇଥିଲା। ଏମିତି କି କିଛି ସ୍ଥାନରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା।

ସେହି ସମୟରେ ରାଜଧାନୀ ଭୁବନେଶ୍ଵର ଚର୍ଚ୍ଚିତ ଘଟଣା ଥିଲା ରାଜମହଲ ଛକର ଦୃଶ୍ୟ। ସେଠାରେ ପୋଲିସ ଗାଡ଼ି ଚେକିଂ କରୁଥିବାବେଳେ ଏକ ମିଡିଆ ଗାଡ଼ିକୁ ଅଟକାଇ କାଗଜପତ୍ର ମାଗିଥିଲା। ହେଲେ ଗାଡ଼ି ଭିତରେ ଥିବା ମହିଳା ସାମ୍ବାଦିକା ଜଣକ ପୋଲିସକୁ ପାଲଟା ପ୍ରଶ୍ନ କରି ପୋଲିସ ଗାଡ଼ିର କାଗଜପତ୍ର ଅଛି କି ନାହିଁ ପଚାରିଥିଲେ।

ପରେ ସାଧାରଣ ଲୋକ ଏହାକୁ ଅସ୍ତ୍ର କରି ପୋଲିସକୁ ଘେରିଥିଲେ। ଫଳରେ ରାଜମହଲ ଛକରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା।କାହିଁକି ଏଭଳି ପଦକ୍ଷେପ?

ସାଧାରଣତଃ ଦେଖାଯାଇଛି ଯେ ଅନେକ ସମୟରେ ଲୋକମାନେ ବେପରୁଆ ଗାଡ଼ି ଚଳାଉଛନ୍ତି। ବିଶେଷକରି ଯୁବକମାନେ ଟ୍ରାଫିକ୍‌ ନିୟମକୁ ଖୁଲମ୍‌ ଖୋଲା ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ୨୦୨୦ ମସିହାରେ ୭୨ପ୍ରତିଶତ ଦୁର୍ଘଟଣା କେବଳ ଦ୍ରୁତ ଗତି ଗାଡ଼ି ଚାଳନା ପାଇଁ ଘଟିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷା ନିୟମକୁ କଡାକଡି କରାଯାଇଛି। ସଡ଼କ ସୁରକ୍ଷା ଆଇନ୍‌ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଯଦି ଏହାକୁ ସମସ୍ତେ ସଠିକ୍ ଭାବରେ ମାନନ୍ତି, ତେବେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ।

Comment