ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଟ୍ରାଫିକ ନିୟମ ବା ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଙ୍ଗ ଲାଇସେନ୍ସ। ପୂର୍ବରୁ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା, ତାହା ଏବେ ଦୁଇ ଗୁଣ ବୃଦ୍ଧି କରାଯାଇଛି। ଏନେଇ ବୁଧବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପରିବହନ କମିସନର।

ସୂଚନା ଅନୁସାରେ, ଯଦି କୌଣସି ଚାଳକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ତିନି ମାସ ପର୍ଯ୍ୟନ୍ତ ଅସ୍ଥାୟୀଭାବେ ରଦ୍ଦ କରାଯିବ। ଏଥିସହ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ, ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର କରୁଥିଲେ, ହେଲମେଟ୍ ପିନ୍ଧିନଥିଲେ, ଭୁଲ୍ ଦିଗରେ ଗତି କରୁଥିଲେ କିମ୍ବା ଦରକାରଠାରୁ ଅଧିକ ଲୋକଙ୍କୁ ଗାଡ଼ିରେ ନେଉଥିବା ଚାଳକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିସହ ଅନେକଙ୍କ ଜୀବନ ହାନି ଘଟୁଛି। ତେଣୁ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment