ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଆସିଥିଲା ନୂଆ ଟ୍ରାଫିକ ନିୟମ। ସାରା ଦେଶରେ ଆଦାୟ ହୋଇଥିଲା ମୋଟା ଅଙ୍କର ଫାଇନ୍‌। କେଉଁଠି ଆଦାୟ ହୋଇଥିଲା କେତେ ଫାଇନ୍‌। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

କେଇଟା ଦିନ ପରେ ସରିଯିବ ୨୦୧୯। ହେଲେ ମନରେ ରହିଯିବ ଏହି ବର୍ଷ ଘଟିଥିବା କିଛି ବଡ଼ ଘଟଣା। ୨୦୧୯ରେ ସଭିଙ୍କ ମନରେ ଛନକା ପୂରାଇଥିଲା ନୂଆ ଟ୍ରାଫିକ ନିୟମ। ଏହି ନିୟମ ଲାଗୁ ହେବା ପରେ ସାରା ଦେଶରେ କଡ଼ାକଡ଼ି ଟ୍ରାଫିକ ଯାଞ୍ଚ କରାଯାଇଥିଲା। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଦାୟ ହୋଇଥିଲା ମୋଟା ଅଙ୍କର ଫାଇନ୍‌, ଯାହାକୁ ନେଇ ରାଜ୍ୟରେ ଅନେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଫଳରେ ରାଜ୍ୟସରକାର ଏହାକୁ ୩ ମାସ ପାଇଁ କୋହଳ କରିଥିଲେ।

କୋହଳ ପରେ ଆରଟିଓରେ ଲାଗିଥିଲା ଲମ୍ଵା ଲାଇନ। ଲାଇସେନ୍ସ ପାଇଁ ଲୋକମାନେ ଭିଡ଼ ଜମାଇଥିଲେ। ୩ ମାସ ସରିଯାଇଥିଲା ହେଲେ ଲାଇସେନ୍ସ କରିପାରିନଥିଲେ ଲୋକେ। ଏହାକୁ ନଜରରେ ରଖି ସରକାର ପୁଣି ଏହାକୁ ୩ ମାସ କୋହଳ କରିଛନ୍ତି।

କେଉଁ ନିୟମ ଉଲ୍ଲଘଂନ ପାଇଁ ଥିଲା କେତେ ଫାଇନ୍‌?

  • ଟ୍ରାଫିକ୍ ପୋଷ୍ଟରେ ନିୟମ ଉଲଘଂନ କଲେ – ୫ ହଜାର ଟଙ୍କା
  • ମଦ୍ୟପାନ କରି ଗାଡ଼ି ଚଲାଇଲେ – ୧୦ ହଜାର ଟଙ୍କା
  • ରୋଡର ବିପରୀତ ଦିଗରେ ଗାଡ଼ି ଚଲେଇଲେ -୫ ହଜାର ଟଙ୍କା
  • ବେପାରୁଆ ଗାଡ଼ି ଚାଳନା – ୫ହଜାର ଟଙ୍କା
  • ସିଟ୍ ବେଲ୍ଟ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କଲେ – ୫ ହଜାର ଟଙ୍କା
  • ହେଲମେଟ୍ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ମୋବାଇଲରେ କଥା ହୋଇ ଗାଡ଼ି ଚଲାଇଲେ – ୫ ହଜାର ଟଙ୍କା
  • ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ – ୫ହଜାର ଟଙ୍କା

ଭୁବନେଶ୍ଵରରୁ ଆରମ୍ଭ ହେଲା ଟ୍ରାଫିକ ଚେକିଂ

ସେପ୍ଟେମ୍ଵର ମାସ ଆରମ୍ଭରୁ ଆକ୍ସନ ମୋଡ଼କୁ ଆସିଥିଲା ଟ୍ରାଫିକ ପୋଲିସ। ଅନେକ ସ୍ଥାନରେ ପୋଲସି ପକ୍ଷରୁ ଚେକିଂ ହୋଇଥିଲା। ଆଚାର୍ଯ୍ୟବିହାର, ନାଲକୋ ଛକ, ରସୁଲଗଡ଼, ରୂପାଲି ଛକ, ଏଜି ଛକ, ରାଜମହଲ ଛକ ଓ କଳ୍ପନା ଛକରେ ଜୋରଦାର ଟ୍ରାଫିକ ଧରପଗଡ଼ ହୋଇଥିଲା। କିଛି ଲୋକ ଏହାକୁ ପାଳନ କରୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ପାଳନ କରିନଥିଲେ। ଯେଉଁଥିପାଇଁ ସେମାନଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ ହୋଇଥିଲା। ଏଭଳି ଟ୍ରାଫିକ ଚେକିଂରେ ଚାଳକଙ୍କ ନିଦ ହଜି ଯାଇଥିଲା।

ଓଡ଼ିଶାରେ କେଉଁଠି ଆଦାୟ ହୋଇଥିଲା ବଡ଼ ଫାଇନ୍‌

ସେପ୍ଟେମ୍ଵର ମାସ ଆରମ୍ଭରୁ ନୂଆ ମୋଟର ଯାନ ଆଇନ୍ ଲାଗୁ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଟ୍ରାଫିକ ଧରପଗଡ଼। ଲୋକଙ୍କଠାରୁ ଆଦାୟ ହୋଇଥିଲା ମୋଟାଅଙ୍କର ଫାଇନ। ଏହା ମଧ୍ୟରେ ଓଡ଼ିଶାରେ ଦେଖିବାକୁ ମିଳିଥିଲା ସବୁଠାରୁ ବଡ଼ ଫାଇନ। ସମ୍ବଲପୁରରେ ଗୋଟିଏ ଟ୍ରକକୁ  ସର୍ବାଧିକ ୬ଲକ୍ଷ ୫୩ ହଜାର ୧୦୦ଟଙ୍କା ଫାଇନ୍ କଟାଯାଇଥିଲା। ଏହି ଟ୍ରକର ମାଲିକ ଥିଲେ ନାଗାଲାଣ୍ଡର ଶୈଲେସ ଶଙ୍କର ଲାଲ ଗୁପ୍ତା। ସେ ୨୦୧୪ ମସିହା ଜୁଲାଇ ମାସରୁ ଟ୍ୟାକ୍ସ ଦେଇନଥିଲେ। ଏହାସହ ଟ୍ରକର ପରମିଟ୍, ପଲ୍ୟୁସନ୍ ସାର୍ଟିଫିକେର୍ଟ କିମ୍ବା ଇନ୍ସୁରାନ୍ସ କିଛି ବି ନଥିଲା।

ଅଟୋ ଡ୍ରାଇଭରଙ୍କୁ ୪୭ ହଜାର ଫାଇନ୍‌

ସେପ୍ଟେମ୍ଵର ମାସରେ ଏହି ନିୟମ ଲାଗୁ ହେବା ପରେ ଆରମ୍ଭ ହୋଇଯାଇଥିଲା କଡ଼ାକଡ଼ି ଯାଞ୍ଚ। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଦାୟ ହୋଇଥିଲା ଫାଇନ। ଭୁବନେଶ୍ଵରର ଆଚାର୍ଯ୍ୟ ବିହାର ଓ ବାଣୀବିହାର ମଝିରେ ଚେକିଂ ବେଳେ ଧରାପଡ଼ିଲେ ଜଣେ ଅଟୋ ଡ୍ରାଇଭର। ମଦ ପିଇକି ଗାଡ଼ି ଚଲାଉଥିବାରୁ ୧୦ ହଜାର, ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ହଜାର ଟଙ୍କା ଫାଇନ, ଅଟୋର ଫିଟନେସ ନଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ରେଜିଷ୍ଟ୍ରେସନ କାର୍ଡ ନଥିବାରୁ ୫ ହଜାର, ଅଟୋର ଇନସୁରାନ୍ସ ନଥିବାରୁ ୨ ହଜାର ଟଙ୍କା। ଆଉ ଏସବୁକୁ ହିସାବ କରି ଆରଟିଓ କର୍ମଚାରୀ ଅଟୋକୁ ଫାଇନ କରିଥିଲେ ୪୭ ହଜାର। ଯାହାକି ସାରା ଓଡ଼ିଶାରେ ଚାଞ୍ଚଲ୍ୟ ହୋଇଥିଲା।

ବାଇକ ଚାଳକଙ୍କୁ ବଡ଼ ଫାଇନ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରେ ବାଇକ ଉପରେ ୨୨ ହଜାର ଟଙ୍କାର ଫାଇନ ହୋଇଥିଲା। ଗୋଟିଏ ବାଇକ ଚାଳକକୁ ଧରି ୨୨ ହଜାର ୫ ଶହ ଟଙ୍କାର ଚାଲାଣ କାଟିଛି ପୁଲିସ। ବାଇକ ଚାଳକ ବିପଦଜନକ ଭାବେ ଗାଡି ଚଳାଉଥିବା ବେଳେ ପୁଲିସ ତାଙ୍କୁ ଧରି ୨୨ହଜାର ୫ଶହ ଟଙ୍କାର ଜରିମାନା କରିଛି। ନିୟମ ଭାଙ୍ଗିଥିବାରୁ ୫ ଶହ ଟଙ୍କା, ଟ୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶ ମାନିନଥିବାରୁ ୨ହଜାର ଟଙ୍କା। ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା, ବିଦଜନକ ଭାବେ ଗାଡି ଚଲାଉଥିବାରୁ ୫ ହଜାର ଟଙ୍କା। ମଦ୍ୟପାନ କରି ଗାଡି ଚଳାଉଥିବାରୁ ୧୦ ହଜାର ଟଙ୍କାର ଜରିମାନା କରାଯାଇଥିଲା।

ଅହମ୍ମଦାବାଦରେ ଦେଶର ସବୁଠାରୁ ବଡ଼ ଫାଇନ

ଅହମ୍ମଦାବାଦର ସିନ୍ଧୁ ଭବନ ରୋଡ୍‌ଠାରେ ଏକ ଦାମୀ ଗାଡ଼ିରୁ ଫାଇନ କାଟିଛି ଟ୍ରାଫିକ ପୋଲିସ। ଗାଡ଼ି ଚାଳକ ଜଣକ ସିଟ୍‌ ବେଲ୍ଟ ପିନ୍ଧି ନଥିଲେ, ଗାଡ଼ିର ନମ୍ଵର ପ୍ଲେଟ ନଥିଲା, ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର ମଧ୍ୟ ନଥିଲା। ଏହି ସବୁ ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କୁ ୯ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କଟିଥିଲା ଅହମ୍ମଦାବାଦ ପୋଲିସ। ଯାହାକି ବର୍ତ୍ତମାନ ସୁଦ୍ଧା ଦେଶର ସବୁଠାରୁ ବଡ଼ ଫାଇନ ବୋଲି ଜଣାପଡ଼ିଛି।

ରାଜମହଲ ଛକରେ ପୋଲିସ ଜନତା ଖଣ୍ଡଯୁଦ୍ଧ

ରାଜମହଲ ଛକରେ ପୋଲିସ ଗାଡ଼ି ଚେକିଂ କରୁଥିବା ବେଳେ ଏକ ମିଡିଆର ଗାଡ଼ିକୁ ଅଟକାଇଥିଲା। ଗାଡ଼ିର କାଗଜପତ୍ର ମାଗିଥିଲା। ହେଲେ ଗାଡ଼ି ଭିତରେ ଥିବା ମହିଳା ସାମ୍ବାଦିକ ଜଣକ ପୋଲିସକୁ ପାଲଟା ବାଣ ମାରିଥିଲେ। ପୋଲିସ ଗାଡ଼ିର କାଗଜପତ୍ର ଅଛି କି ବୋଲି ପଚାରିଥିଲେ। ଯଦି ଅଛି ଏବେ ଦେଖାଅ ବୋଲି ଲୋକଙ୍କ ସାମ୍ନାରେ କହିଥିଲେ। ଏହାକୁ ସାଧାରଣ ଲୋକେ ଅସ୍ତ୍ର କରି ପୋଲିସକୁ ଘେରିଥିଲେ। ଫଳରେ ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ପୋଲିସ-ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ପରେ ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Comment