ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ପ୍ରଥମେ ଗାଡ଼ିରେ ଚଢ଼ିଲେ ଅନୁକୁଳ ବିଗିଡ଼ିଯାଏ, ଅଶୁଭ ହୋଇଥାଏ। ଏଭଳି ଭ୍ରାନ୍ତ ଧାରଣା ଏବଂ ଅନ୍ଧବିଶ୍ଵାସ ଆଜି ପର୍ଯ୍ୟନ୍ତ ଚାଲିଆସୁଛି। ଏହା କେବଳ ମହିଳାଙ୍କ ପ୍ରତି ଅସମ୍ମାନ ନୁହେଁ, ଏହା ସମାଜ ପାଇଁ ମଧ୍ୟ ଗ୍ରହଣୀୟ ନୁହେଁ।

  • ମହିଳାମାନଙ୍କୁ ପ୍ରଥମେ ଗଡ଼ିରେ ଚଢ଼ିବାକୁ କରାଯାଇପାରିବ ନାହିଁ ବାରଣ
  • ଆରଟିଓଙ୍କୁ ଚିଠି ଲେଖିଲେ ଟ୍ରାନ୍ସପୋର୍ଟ କମିସନର
  • ଆଇନ ଉଲ୍ଲଙ୍ଘନ କଲେ କଟିବ ଇ-ଚାଲାଣ

ମହିଳାମାନଙ୍କର ପ୍ରଥମେ ବସ କିମ୍ବା ଅନ୍ୟ ଗାଡ଼ିରେ ଚଢ଼ିବା ଶୁଭ ନୁହେଁ ବୋଲି ଗୋଟିଏ ଭ୍ରାନ୍ତ ଧାରଣା ରହିଆସିଛି। ଯାତ୍ରୀବାହୀ ଗାଡ଼ିରେ ମହିଳମାନେ ପ୍ରଥମେ ପ୍ରବେଶ କଲେ ଅଶୁଭ ହେବ ଭାବି ମହିଳାଙ୍କୁ ପ୍ରଥମ ଗ୍ରାହକ ଭାବେ ଚଢ଼ିବାକୁ ଦେଇନଥାନ୍ତି ବସି ମାଲିକ ଏବଂ କଣ୍ଡକ୍ଟର। କିନ୍ତୁ ଏବେ ଏଭଳି ଆଉ ହୋଇପାରିବ ନାହିଁ। କାରଣ ମହିଳାଯାତ୍ରୀଙ୍କୁ ପ୍ରଥମେ ଗାଡ଼ିରେ ଚଢ଼ିବାକୁ ବାରଣ କଲେ ମୋଟର ଯାନ ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର।

ଅନ୍ଧବିଶ୍ଵାସ ଯୋଗୁଁ ମହିଳାଙ୍କ ସମ୍ମାନ ହାନୀ ହେଉଛି – ଘାସିରାମ ପଣ୍ଡା

“ଲଙ୍ଗ ଭିତ୍ତିକ ଭେଦଭାବକୁ ପ୍ରୋତ୍ସାହିତ କରୁଥିବା ଅନ୍ଧବିଶ୍ଵାସ ଯୋଗୁଁ ମହିଳାମାନେ ଅନେକ କ୍ଷେତ୍ରରେ ଅବହେଳା ଶିକାର ହେଉଛନ୍ତି। ପୁରୁଣା ଚିନ୍ତାଧାରା ଏବଂ ଅନ୍ଧବିଶ୍ଵାସ ପାଇଁ ମହିଳାଯାତ୍ରୀମାନଙ୍କୁ ପ୍ରଥମେ ବସରେ ପ୍ରବେଶ କରିବାକୁ ଦିଆନଯିବା ଏହା ମହିଳାଙ୍କ ପ୍ରତି ଅସମ୍ମାନ। ବିଭିନ୍ନ ସ୍ଥାନରେ ମହିଳାଯାତ୍ରୀଙ୍କୁ ପ୍ରଥମ ଗ୍ରାହକ ଭାବେ ଗାଡ଼ିରେ ପ୍ରବେଶ କରିବାକୁ ବାରଣ କରାଯାଉଛି। ଅନେକ ସମୟରେ ବସରେ ମହିଳା ଯାତ୍ରୀମାନେ ପ୍ରବେଶ କରିବା ସମୟରେ ଠେଲାପେଲା ଯୋଗୁଁ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହେଉଛି, ଯାହା ମହିଳାମାନଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି”, କହିଛନ୍ତି ଆକ୍ସନ ଏଡର ବାଲ୍ୟ ବିବାହ ବିରୋଧୀ କାର୍ଯ୍ୟକ୍ରମର ନାସନାଲ ମ୍ୟାନେଜର ଘାସିରାମ ପଣ୍ଡା।

ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଗାଡ଼ିରେ ଚଢ଼ିବାକୁ ବାରଣ କରାଯିବା ପ୍ରସଂଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ଵାଗତ ଯୋଗ୍ୟ ଏବଂ ଏହା ଆମ ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂର କରିବାରେ ଏକ ଭଲ ପ୍ରୟାସ ବୋଲି କହିଛନ୍ତି ଘାସିରାମ ପଣ୍ଡା।

ଆଇନ ଉଲ୍ଲଙ୍ଘନ କଲେ କଟିବ ଇ-ଚାଲାଣ

ଗାଡ଼ିରେ ପ୍ରଥମେ ମହିଳାଯାତ୍ରୀଙ୍କ ପ୍ରବେଶକୁ ବାରଣ କରିବା ଘଟଣାକୁ ନେଇ ସାମାଜୀକ କର୍ମୀ ଘାସିରାମ ପଣ୍ଡା ରାଜ୍ୟ ମହିଳା କମିସନଙ୍କ ନିକଟରେ ଏକ ପିଟିସନ ଦାୟର କରିଥିଲେ। ଏହି ପିଟିସନକୁ ଗୁରୁତ୍ଵର ସହ ନେଇ ରାଜ୍ୟ ମହିଳା କମିସନ ପରିବାହନ ବିଭାଗକୁ ଚିଠି ଲେଖିଥିଲେ। ମହିଳାମାନଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି ଧ୍ୟାନ ଦେବା ସହ ଗାଡ଼ିରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ସୁଯୋଗ ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଥିଲା। ମହିଳାମାନଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ବସ ମାଲିକ ଏବଂ କର୍ମଚାରୀ ଯତ୍ନବାନ ହେବା ଆବଶ୍ୟକ ବୋଲି ମହିଳା କମିସନ କହିଥିଲେ।

ରାଜ୍ୟ ମହିଳା କମିସନଙ୍କ ଚିଠିକୁ ଗୁରୁତ୍ଵର ସହ ନେଇଛନ୍ତି ରାଜ୍ୟ ପରିବହନ କମିସନର। ଜୁଲାଇ ୨୮ ତାରିଖରେ ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାର ଆରଟିଓଙ୍କୁ ଚିଠି ଲେଖିଛନ୍ତି। କୌଣସି ଅଞ୍ଚଳରେ ମହିଳାଯାତ୍ରୀଙ୍କୁ ପ୍ରଥମ ଯାତ୍ରୀଭାବେ ଉଠାଇବାକୁ ବସ ମାଲିକ କିମ୍ବା କଣ୍ଟକ୍ଟର ବାରଣ କରୁଥିଲେ ନିୟମ ଖିଲାପକାରୀଙ୍କ ବିରୋଧରେ ୧୯୮୮ ମୋଟର ଯାନ ଆଇନର ଧାରା ୧୯୨ ଏ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

ପରିବହନ କମିସନର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଏସଟିଏ ଏବଂ ଆରଟିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥାଏ। ଯାତ୍ରୀମାନେ ଭଡ଼ା ଦେଇ ଯାତ୍ରା କରିଥାନ୍ତି। ତେଣୁ କୌଣସି ପରିସ୍ଥିତିରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଉଠାଇବାକୁ କୌଣସି ବସ ମାଲିକ କିମ୍ବା କଣ୍ଡକ୍ଟର ଉଠାଇବାକୁ ମନା କରିପାରିବେ ନାହିଁ।

ନିୟମିତ ଭାବେ ସମସ୍ତ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ଯାଞ୍ଚ କରିବାକୁ ଆରଟିଓଙ୍କୁ ନିର୍ଦେଶ ଦିଆଯାଇଛି। କୌଣସି ମାଲିକ କିମ୍ବା କଣ୍ଡକ୍ଟର ମହିଳାମାନଙ୍କୁ ପ୍ରଥମ ଯାତ୍ରୀ ଭାବେ ଉଠାଇବାକୁ ବାରଣ କରୁଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ପାଖରୁ ଇ-ଚାଲାଣ କଟାଯିବ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ମହିଳାଙ୍କୁ ସମାନ ଅଧିକାରୀ ଓ ସମ୍ମାନ ଦେବା ଲାଗି ଚାଲିଥିବା ପ୍ରୟାସ ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ଣ୍ଣ ମାତ୍ରାରେ ସଫଳ ହୋଇପାରୁ ନାହିଁ। ଓଡ଼ିଶାରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଗାଡ଼ିରେ ପ୍ରବେଶ କରିବାକୁ ବାରଣ କରାଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଗାଡ଼ିରେ ପ୍ରଥମ ଯାତ୍ରୀ ଭାବେ ମହିଳା ଚଢ଼ିଲେ ଅଶୁଭ ହୁଏ ବୋଲି ପୂର୍ବରୁ ରହିଆସିଥିବା ଅନ୍ଧବିଶ୍ୱାସ ପରମ୍ପରା ଆଜି ସଭ୍ୟ ଏବଂ ଶିକ୍ଷିତ ସମାଜ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।

Tags: #BusPassenger #WomenPassenger #Supertstition #TransportCommission #RTO

Comment