ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ ଯାନ ବାହନ ପରିମାର୍ଜନା ସ୍କ୍ରାର୍ପିଂ ଘୋଷଣାକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବେ। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ବଜେଟ ଭାଷଣରେ ଏହି ନୂଆ ନୀତି ଘୋଷଣା କରିଥିଲେ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂଆ ଗାଡ଼ି ବାଜ୍ୟାପ୍ତ ନୀତିକୁ ଓଡ଼ିଶା ସରକାର ସମର୍ଥନ କରୁଛନ୍ତି ଓ ସେହି ଅନୁଯାୟୀ ଚାଲିବେ। ତେଣୁ ରାଜ୍ୟରେ ଯେଉଁ ସବୁ ଗାଡି ୧୫ ବର୍ଷ ପୁରୁଣା ସେସବୁର ତାଲିକା ପ୍ରସ୍ତୁତ କରିବା ପାଇଁ ଆରଟିଓମାନଙ୍କୁ କୁହାଯାଇଛି। ପନ୍ଦର ଦିନ ମଧ୍ୟରେ ରାଜ୍ୟକୁ ଏହି ତାଲିକା ପଠାଇବାକୁ କେନ୍ଦ୍ର ସରକାର କହିଛନ୍ତି।“ଆରଟିଓମାନେ ତାଲିକା ଦେଲେ ରାଜ୍ୟରେ କେତେ ପୁରୁଣା ଗାଡି ରହିଛି ତାହା ଜଣାପଡ଼ିବ। ଏହି ନୀତି ଫଳରେ ପ୍ରଦୂଷଣ ନିୟନ୍ତ୍ରଣ ହେବ ଏବଂ ଅଧିକ ଚାକିରି ସୃଷ୍ଟି ହୋଇ ପାରିବ”, କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ନୂଆ ସ୍କ୍ରାପ୍ ପଲିସି ବିଷୟରେ ଘୋଷଣା କରିଥିଲେ। ଏହି ନୂଆ ନିୟମ ଅନୁସାରେ ବ୍ୟବସାୟିକ ଗାଡ଼ି ୧୫ ବର୍ଷ ଏବଂ ଘରୋଇ ଗାଡ଼ି ୨୦ ବର୍ଷ ପୁରୁଣା ହେବା ପରେ ତାହାକୁ ଚଲାଇବାକୁ ଅନୁମତି ଦିଆଯିବ ନାହିଁ। ଚାଳକମାନେ ଏହି ସମୟ ଅବଧି ପରେ ଗାଡ଼ିର ଫିଟନେସ ପରୀକ୍ଷା କରାଇ ପାରିବେ ବୋଲି ମଧ୍ୟ ଘୋଷଣା ହୋଇଛି।

Comment