ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଘରୋଇ ବସକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ବସ୍‌ର ପରମିଟ୍ କି ଇନସୁରାନ୍ସ ନଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ସଡ଼କ ଓ ପରିବହନ ଅଧିକାରୀ (ଆର୍‌ଟିଓ) ମାନସ ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଆର୍‌ଟିଓ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, “ବସ୍‌ଟି ୨୫ ବର୍ଷ ପୁରୁଣା ଅଟେ। ୧୯୯୮ ମସିହା ମାର୍ଚ୍ଚ ୨୬ ତାରିଖରେ ଆର୍‌ଟିଓରେ ଏହି ଘରୋଇ ବସ୍‌ର ରେଜିଷ୍ଟ୍ରେସନ ହୋଇଥିଲା। ହେଲେ ଏହି ବସ୍‌ର ଇନସୁରାନ୍ସ ନଥିଲା କି ରାତିରେ ଚଳାଚଳ ପାଇଁ ପରମିଟ୍ ବି ନଥିଲା। ମାତ୍ର ବସ୍‌ର ଫିଟନେସ୍ ଥିଲା। ରବିବାର ରାତିରେ ଘଟିଥିବା ଦୁର୍ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଆର୍‌ଟିଓ ଅଧିକାରୀଙ୍କ ଏହି ସୂଚନା ପରେ ପ୍ରଶ୍ନ ଉଠୁଛି ଯେ, ୨୫ ବର୍ଷର ବସ୍‌କୁ ଫିଟନେସ୍‌ ମିଳିଲା କେମିତି। କାରଣ ଯାନବାହାନ ଜନିତ ବାୟୁ ପ୍ରଦୂଷଣ କମ୍ କରିବା ଲାଗି ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍କ୍ରାପିଂ ପଲିସିର ନିୟମ ମୁତାବକ ୧୫ ବର୍ଷର ଗାଡ଼ିକୁ ଅଦରକାରୀ ଦର୍ଶାଯାଇ ସ୍କ୍ରାପ୍ କରିଦିଆଯିବ। ତେଣୁ ୨୫ ବର୍ଷର ଏହି ବସ୍‌କୁ କେମିତି ଫିଟନେସ୍ ପ୍ରମାଣପତ୍ର ମିଳିଥିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ଦିଗପହଣ୍ଡି ଦୁର୍ଘଟଣା ସୂଚନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ମଧ୍ୟରାତ୍ରିରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଦୁଇ ବସ୍ ମୁହାଁମୁହିଁ ଧକ୍କାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି। ସେହିପରି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି।

ରବିବାର ରାତି ପ୍ରାୟ ୧ଟା ବେଳେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ଛକ ନିକଟରେ ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସ୍ ସହ ଏକ ଘରୋଇ ମିନି ବସ୍‌ର ଧକ୍କା ହୋଇଥିଲା। ଏହି ମିନି ବସ୍‌ରେ ବ୍ରହ୍ମପୁରରୁ ବିବାହ କାର୍ଯ୍ୟକ୍ରମ ସାରି କନ୍ୟା ପକ୍ଷର ଲୋକେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗାଁକୁ ଫେରୁଥିଲେ। ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲାକି ମିନି ବସ୍‌ର ବାମ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା।

Tags: #DigapahandiBusAccident #Odisha #RTO #Accident #BusAccident

Comment